ମାଝେରହାଟ ବ୍ରିଜ୍ ଭୁଶୁଡ଼ିବା ଘଟଣା: ୨ ବର୍ଷ ପୂର୍ବରୁ ସତର୍କ ସୂଚନା ମିଳିଥିଲା
କଲକତା: ପଶ୍ଚିମବଙ୍ଗର ମାଝେରହାଟ ବ୍ରିଜ୍ ଭୁଶୁଡ଼ିବା ପରେ ପଶ୍ଚିମ ବଙ୍ଗ ସରକାର ଚେତିଛନ୍ତି। ଏହି ୫୦ ବର୍ଷ ପୁରୁଣା ବ୍ରିଜ୍ର ମରାମତି ପାଇଁ ଏକ କମିଟି ଗଠନ କରାଯାଇଛି। କିନ୍ତୁ ବ୍ରିଜ୍ର ଦୁର୍ବଳ ସ୍ଥିତି ବିଷୟରେ ପ୍ରାୟ ୨ ବର୍ଷ ପୂର୍ବରୁ ସରକାରୀ ଇଞ୍ଜିନିୟରିଂ ଓ ଉପଦେଷ୍ଟା ସଂସ୍ଥା ରାଇଟ୍ସ ପକ୍ଷରୁ ରାଜ୍ୟ ସରକାରଙ୍କୁ ସତର୍କ କରାଯାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଇ ନଥିଲେ ବୋଲି ଜଣାପଡ଼ିଛି। କେବଳ ମାଝେରହାଟ ବ୍ରିଜ ନୁହେଁ ବରଂ ରାଜ୍ୟର ଅନେକ ଏପରି ଦୁର୍ବଳ ବ୍ରିଜ୍ ସମ୍ପର୍କରେ ରାଇଟ୍ସ ରାଜ୍ୟ ସରକାରଙ୍କୁ ଚେତାଇ ଦେଇଥିଲା। କିନ୍ତୁ ପ୍ରଶାସନିକ ଜଟିଳତା ମଧ୍ୟରେ ଛନ୍ଦି ହୋଇ ମରାମତି କାମ ବିଳମ୍ବିତ ହୋଇଥିଲା। ୨୦୧୬ରେ ବିବେକାନନ୍ଦ ଫ୍ଲାଏଓଭର ଭୁଶୁଡ଼ି ୨୬ ଜଣଙ୍କ ମୃତ୍ୟୁ ଘଟିବା ପରେ ରାଜ୍ୟର ସମସ୍ତ ବ୍ରିଜ ଓ ଫ୍ଲାଏଓଭରର ସ୍ଥିତି ପରଖିବା ପାଇଁ ପଶ୍ଚିମବଙ୍ଗ ସରକାର ରାଇଟସ୍କୁ ଦାୟିତ୍ୱ ଦେଇଥିଲେ।