ଲାଞ୍ଚୁଆ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ଜେଲ୍
କେନ୍ଦୁଝରଗଡ଼ / କେନ୍ଦୁଝର: ବିଜୁ ପକ୍କା ଘର ଯୋଜନା ମଞ୍ଜୁର ପାଇଁ ହିତାଧିକାରୀଙ୍କ ଠାରୁ ୨ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥବା ସଦର ବ୍ଲକ ମଇଦାନକେଲ ପଞ୍ଚାୟତର ତତ୍କାଳୀନ ନିର୍ବାହୀ ଅଧିକାରୀ ବସନ୍ତ କୁମାର ବେହେରାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ କେନ୍ଦୁଝର ପକ୍ଷରୁ ବୁଧବାର ଦୋଷୀ ସାବ୍ୟସ୍ତ କରି ୪ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି।
ମଇଦାନକେଲ ପଞ୍ଚାୟତ ବାସୁଦେବପୁର ଗ୍ରାମର ହିତାଧିକାରୀ ଚମ୍ପା ମହାନ୍ତଙ୍କୁ ବିଜୁ ପକ୍କା ଘର ଯୋଜନାରେ ଗୃହ ନିର୍ମାଣ ପାଇଁ ଯାଞ୍ଚ ରିପୋର୍ଟ ପ୍ରଦାନ ନିମନ୍ତେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ୫ହଜାର ଟଙ୍କା ଦାବି କରିଥିଲେ। ପରେ ମୂଲଚାଲ ହୋଇ ୨ହଜାର ଟଙ୍କା ଦେବା ନିମନ୍ତେ ଚୂଡାନ୍ତ ହେବାପରେ ହିତାଧିକାରୀଙ୍କ ପୁଅ ସହଦେବ ମହାନ୍ତ ଏ ନେଇ ୫ ଜୁନ ୨୦୧୫ରେ ଭିଜିଲାନ୍ସ ବିଭାଗ କେନ୍ଦୁଝରଙ୍କ ନିକଟରେ ଅଭିଯୋଗ କରିଥିଲେ। ତହିଁ ପରଦିନ ଅର୍ଥାତ ୬ ଜୁନ ୨୦୧୫ରେ ବ୍ଲକ କାର୍ୟ୍ୟାଳୟରେ ନିର୍ବାହୀ ଅଧିକାରୀଙ୍କୁ ନେଇ ଇନ୍ଦିରା ଆବାସ ଓ ବିଜୁ ପକ୍କାଘର ଯୋଜନାର ସମୀକ୍ଷା ଚାଲିଥିବା ବେଳେ ମଇଦାନକେଲ ପଞ୍ଚାୟତ ନିର୍ବାହୀ ଅଧିକାରୀ
ଶ୍ରୀ ବେହେରା ହିତାଧିକାରୀଙ୍କ ପୁଅ ବାସୁଦେବଙ୍କ ଠାରୁ ବ୍ଲକ କାର୍ୟ୍ୟାଳୟ ପରିସରରେ ୨ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡି ଗିରଫ ହୋଇଥିଲେ। ଏହି ମାମଲାର ଚୂଡାନ୍ତ ବିଚାର କରି ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ବିଚାରପତି ପ୍ରଦ୍ୟୁମ୍ନ କୁମାର ନାୟକ ଅଭିଯୁକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରି ୪ବର୍ଷ ଜେଲ ଓ ୧୦ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୩ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍ ପ୍ରୋସିକ୍ୟୁଟର ଦେବଦତ୍ତ ବିଶ୍ୱାଳ ମକଦ୍ଦମା ପରିଚାଳନା କରୁଥିଲେ। ସୂଚନାଯୋଗ୍ୟ ଯେ, ଜେଲ ଦଣ୍ଡାଦେଶ ହୋଇଥିବା ସମ୍ପୃକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ବର୍ତ୍ତମାନ ଯୋଡା ବ୍ଲକରେ କାର୍ୟ୍ୟରତ ଥିବାବେଳେ ବୁଧବାର ଦଣ୍ଡାଦେଶ ପରେ କେନ୍ଦୁଝର ଜିଲା କାରାଗାରକୁ ପଠାଇ ଦିଆଯାଇଛି।