୪କୋଟି ହିତାଧିକାରୀଙ୍କୁ ମାଗଣାରେ ବଲ୍‍ବ

0

ଭୁବନେଶ୍ୱର:ଶକ୍ତି ସଙ୍କଟ ଟାଳିବା ଏବଂ ଶକ୍ତି ସଂରକ୍ଷଣ କରିବା ଦିଗରେ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ୍‍ଶୀଘ୍ର ‘ଆମ ଘରେ ଏଲ୍‍ଇଡି’ ଭଳି ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ହାତକୁ ନେବେ। ଆସନ୍ତା ଅକ୍ଟୋବରରେ କାର୍ୟ୍ୟକ୍ରମର ଚୂଡାନ୍ତ ରୂପରେଖ ନେବ। ଏଥିରେ ରାଜ୍ୟର ୪କୋଟି ହିତାଧିକାରୀଙ୍କ ପରିବାରକୁ ମାଗଣାରେ ବଲ୍‍ବ ଯୋଗାଇ ଦିଆଯିବ। ତେଣୁ ଚଳିତମାସ ସୁଦ୍ଧା ଏହାର ପ୍ରସ୍ତୁତି କାର୍ୟ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦେଶ ଦେଇଛନ୍ତି। ମଙ୍ଗଳବାର ସଚିବାଳୟରେ ଅନୁଷ୍ଠିତ ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ଜିଲାପାଳମାନଙ୍କ ସହିତ ଏହି କାର୍ୟ୍ୟକ୍ରମର ରୂପରେଖ ନେଇ ବିସ୍ତୃତ ଆଲୋଚନା କରିଛନ୍ତି।
ଏହି ଅବସରରେ ଶକ୍ତି ସଚିବ ହେମନ୍ତ କୁମାର ଶର୍ମା ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ ପରିବାରକୁ ମାଗଣାରେ ବଲ୍‍ବ ଯୋଗାଇ ଦେବା ଉପରେ ଅବଗତ କରାଇଥିଲେ। ଏହି ବଲ୍‍ବଗୁଡିକ ଆସନ୍ତା ୩ବର୍ଷ ପାଇଁ ୱାରେଣ୍ଟି ରହିବ। ଏହାବାଦ୍‍ ବଲ୍‍ବଗୁଡିକୁ ସୁଲଭ ମୂଲ୍ୟରେ ଖାଉଟି ବିକ୍ରୟ କେନ୍ଦ୍ର ମାଧ୍ୟମରେ ଯୋଗାଇ ଦିଆଯିବ। ଖାଦ୍ୟ ଯୋଗାଣ ଦିନ ଖାଉଟିମାନେ ଖାଦ୍ୟ ଦ୍ରବ୍ୟ ସହିତ ବଲ୍‍ବ ସାଙ୍ଗରେ ନେବେ। ପ୍ରତି ବଲ୍‍ବ ହିତାଧିକାରୀଙ୍କୁ ଯୋଗାଇବା ବାବଦରେ କଣ୍ଡ୍ରୋଲ ଡିଲରଙ୍କୁ ମଧ୍ୟ ସେବା ଯୋଗାଣ ଦେୟ ସରକାରଙ୍କ ତରଫରୁ ଦିଆଯିବ। ବୈଠକରେ ଉନ୍ନୟନ କମିଶନର ଆର୍‍. ବାଲକ୍ରିଷ୍ଣନ କହିଥିଲେ ଯେ ଏହାଦ୍ୱାରା ଗରିବ ଲୋକେ ବିଶେଷ ଉପକୃତ ହେବେ। ଏହାଦ୍ୱାରା ରାଜ୍ୟବାସୀଙ୍କ ହିତ ସହିତ ପରିବେଶ ସୁରକ୍ଷା ଓ ଶକ୍ତି ସଂରକ୍ଷଣ ହୋଇପାରିବ। କାର୍ୟ୍ୟକ୍ରମ ଠିକଣା ଭାବେ ରୂପାୟନ ଲାଗି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସହିତ ଶକ୍ତି ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀମାନେ ସମନ୍ୱିତ ଭାବେ କାର୍ୟ୍ୟ କରିବା ଆବଶ୍ୟକ ବୋଲି ଶ୍ରୀ କ୍ରିଷ୍ଣନ କହିଥିଲେ।

Leave A Reply