କୋର୍ଟମିତ୍ରଙ୍କ ଓଡ଼ିଶା ଗସ୍ତରେ ବିଳମ୍ବ

0

ନୂଆଦିଲ୍ଲୀ: ଶ୍ରୀଜଗନ୍ନାଥ ମନ୍ଦିର ସହ ଜଡିତ ସମସ୍ତ ପକ୍ଷଙ୍କ ସହ ଆଲୋଚନା ପାଇଁ ଓଡ଼ିଶା ଗସ୍ତ କରି ପାରିନଥିବାରୁ ଜଗନ୍ନାଥ ମନ୍ଦିର ମାମଲାର ଶୁଣାଣି ଘୁଞ୍ଚାଇ ଦେବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କୋର୍ଟମିତ୍ର (ଆମିକସକ୍ୟୁରୀ) ଗୋପାଳ ସୁବ୍ରମଣ୍ୟମ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିଛନ୍ତି।
ତଦନୁଯାୟୀ ସୁପ୍ରିମକୋର୍ଟର ସେପଟେମ୍ବର ୫ ତାଲିକାରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ମାମଲା ଶୁଣାଣିକୁ ବାଦ ଦିଆଯାଇଛି। ପୂର୍ବରୁ ସେପଟେମ୍ବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ବିଚାରପତି ଆଦର୍ଶ କୁମାର ଗୋଏଲ ଓ ବିଚାରପତି ଅବଦୁଲ ଏସ ନଜିରଙ୍କ ଖଣ୍ଡପୀଠ ନିର୍ଦେଶ ଦେଇଥିଲେ। ବିଚାରପତି ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଲିଷ୍ଟିଂ ହୋଇଥିଲା। ସୁପ୍ରିମକୋର୍ଟ ରେଜିଷ୍ଟାରଙ୍କୁ ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଚିଠି ଲେଖି ମାମଲାର ପରବର୍ତ୍ତୀ ଶୁଣାଣି ଚାରି ସପ୍ତାହ ପରେ ଅଥବା ଅକଟୋବର ୩ ପରେ କୌଣସି ଦିନ ଧାର୍ୟ୍ୟ କରିବା ପାଇଁ ନିବେଦନ କରିଛନ୍ତି। ଚିଠିରେ ଦର୍ଶାଯାଇଛି ଯେ ପୁରୀ ଗଜପତି ମହରାଜା ତଥା ଶ୍ରୀମନ୍ଦିର
ପରିଚାଳନା କମିଟିର ଅଧ୍ୟକ୍ଷଙ୍କ ଅନୁପସ୍ଥିତ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଅବଗତ କରାଯାଇଛି।
ଧାର୍ମିକକାର୍ୟ୍ୟରେ କେନିଆ ଗସ୍ତରେ ଗଜପତି ମହାରାଜା ଯାଇଛନ୍ତି ଏବଂ ସେପ୍ଟେମ୍ବର ୧୦ ସୁଦ୍ଧା ଫେରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ପତ୍ର ମାଧ୍ୟମରେ ଜଣାଇଛନ୍ତି। ସେପ୍‍ଟେମ୍ବର ୧୦ ପରେ ଓଡ଼ିଶା ଗସ୍ତ କାର୍ୟ୍ୟକ୍ରମ ଚୂଡ଼ାନ୍ତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ବୋଲି ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ସୁପ୍ରିମକୋର୍ଟ ରେଜିଷ୍ଟାରଙ୍କୁ ଅବଗତ କରାଇଛନ୍ତି।
ସେହିପରି ସୋମନାଥ ମନ୍ଦିରର ପରିଚାଳନା ବ୍ୟବସ୍ଥା ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସରକାର ସତ୍ୟପାଠ ଜରିଆରେ ଅଧିକ ଚାରି ସପ୍ତାହ ମହଲତ ଲୋଡିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ଯେ ସୁପ୍ରିମକୋର୍ଟଙ୍କ ନିର୍ଦେଶମତେ ଏସ ସି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ କମିଟି ମା ବୈଷ୍ଣୋ ଦେବୀ, ତିରୁପତି ବାଲାଜୀ ସମେତ ଚାରିଟି ମନ୍ଦିରର ପରିଚାଳନା ଏବଂ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ସୋମନାଥ ମନ୍ଦିରର ପରିଚାଳନା ବ୍ୟବସ୍ଥା ଅନୁଧ୍ୟାନ ପରେ ଚୂଡାନ୍ତ ରିପୋର୍ଟ ଦିଆଯିବ ବୋଲି ସତ୍ୟପାଠରେ କୁହାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ମାମଲାରେ ସୁପ୍ରିମକୋର୍ଟଙ୍କ ପୂର୍ବନିର୍ଦେଶନାମାକୁ ବିରୋଧକରି ଭିତର ସେବାୟତ ନିଯୋଗ, ପ୍ରତିହରୀ ନିଯୋଗ, ଖୁଣ୍ଟିଆ ନିଯୋଗ, ଇଣ୍ଟରକଣ୍ଟିନେଣ୍ଟାଲ ଲୟାରର୍ସ ଆସୋସେସନ ପକ୍ଷରୁ ଇଣ୍ଟରଲୋକୁଟାରୀ ଆପ୍ଲିକେସନ ଦାଖଲ କରାଯାଇଛି।

Leave A Reply