www.samajalive.in
Saturday, December 13, 2025
23.1 C
Bhubaneswar

ଆଧ୍ୟାତ୍ମିକତାର ଉତ୍ସ

‘ଆପଣଙ୍କୁ ମୁଁ ନିବେଦନ କରୁଛି ଯେ ଏହି ବିବାଦ ଶାନ୍ତ ହେବାର ଦୀର୍ଘ ଦିନ ପରେ ଏହି ଦଙ୍ଗା, ଆନ୍ଦୋଳନ ସମାପ୍ତ ହେବାର ଅନେକ ବର୍ଷ ପରେ ଏବଂ ତାଙ୍କ ମୃତ୍ୟୁ ଓ ତାଙ୍କ ଅନ୍ତିମ ପ୍ରସ୍ଥାନର ଦୀର୍ଘଦିନ ପରେ, ସେ ଜଣେ ଦେଶପ୍ରେମୀ କବି, ଜାତୀୟତାର ଭବିଷ୍ୟତବକ୍ତା ଓ ମାନବ ଜାତିର ଅନୁରାଗୀ ଭାବେ ବିବେଚିତ ହେବେ । ତାଙ୍କର ଦେହାନ୍ତ ଓ ଚିର ଅବର୍ତ୍ତମାନରେ ତାଙ୍କ ବାକ୍ୟମାନ କେବଳ ଭାରତରେ ନୁହେଁ; ସମୁଦ୍ରପାରି ଦୂରଦୂରାନ୍ତରେ ବାରମ୍ବାର ପ୍ରତିଧ୍ବନିତ ହେବ। ତେଣୁ ମୁଁ ମତ ରଖୁଛି ଯେ ଏମିତି ସ୍ଥିତିରେ ଦଣ୍ଡାୟମାନ ହୋଇଥିବା ବ୍ୟକ୍ତି ଜଣକ ଏହି ଅଦାଲତର କାଠଗଡ଼ା ମଧ୍ୟରେ ଠିଆ ହୋଇନାହାନ୍ତି; କିନ୍ତୁ ସେ ଇତିହାସର ଉଚ୍ଚ ନ୍ୟାୟାଳୟରେ ଠିଆ ହୋଇଛନ୍ତି।’

ଉଲ୍ଲେଖଯୋଗ୍ୟ ଯେ, ଅଲିପୁର ସେସନ୍ସ ଅଦାଲତରେ ସ୍ମୃତିରକ୍ଷା ପାଇଁ ଉଦ୍ଦିଷ୍ଟ ପ୍ରସ୍ତର ଫଳକରେ ଏହି ଉଦ୍ଧୃତିଟି ଖୋଦିତ ହୋଇଛି। ଏହି ଦେଶଦ୍ରୋହ (୧୯୦୮-୧୯୦୯) ମାମଲାରେ ଅନ୍ୟମାନଙ୍କ ମଧ୍ୟରେ ଅରବିନ୍ଦ ଘୋଷ ସର୍ବାପେକ୍ଷା ଅଧିକ ଦୁର୍ଦାନ୍ତ ଅପରାଧୀ ଭାବେ ପକ୍ଷଭୁକ୍ତ ହୋଇଥିଲେ। ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ ଅରବିନ୍ଦଙ୍କ ସପକ୍ଷରେ ବିଚାରପତିଙ୍କ ଦ୍ବାରା ବିବାଦର ବିଚାର ଚାଲିଥିବାବେଳେ ଏହି ବୟାନ ଦେଇଥିଲେ। ଅଲିପୁର ବୋମା ମକଦ୍ଦମା ନାମରେ ଖ୍ୟାତ ଏହି ମାମଲାରେ ଦଣ୍ଡିତ ବନ୍ଦୀଙ୍କୁ ଆଇନତଃ ଫାଶୀ ପରି ଚରମ ଦଣ୍ଡ ଦିଆଯାଇପାରେ। ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିବା ଏହି ବିପ୍ଳବୀ ଜଣକ ପ୍ରାୟ ବର୍ଷେ ଜେଲ୍‌ରେ ରହିଲେ। ଏହି ଅବଧିରେ ସେ ଆଶ୍ଚର୍ଯ୍ୟଜନକ ଯୋଗାଭ୍ୟାସ କରିବାବେଳେ ତାଙ୍କଠାରେ ଆଧ୍ୟାତ୍ମିକ ଚେତନା ଜାଗରିତ ହେଲା। ସେଠାରେ ‘ଲାଇଫ୍‌ ଡିଭାଇନ’ ବିଷୟରେ ଧ୍ୟାନମଗ୍ନ ହେଲେ ଏବଂ ଏହାର ପରିଣାମ ଭାବେ ଐଶ୍ବରିକ ଦର୍ଶନ ପ୍ରାପ୍ତ ହେଲେ।

- Advertisement -

ଏଇ ଘଟଣାରୁ ହୁଏ ତ କାହାରି କାହାରି ଧାରଣା ଜନ୍ମିପାରେ ଯେ, ବନ୍ଦୀଶାଳାର କଠୋର କଟକଣା ତାଙ୍କଠାରେ ଏତାଦୃଶ ଏକାଗ୍ରତା ଜନ୍ମାଇଥିବ। ତେଣୁ ଏହାକୁ ଏକ ଶୁଭଙ୍କର କାରଣ ଭାବେ ଗ୍ରହଣ କରାଯିବା ଉଚିତ। ବାସ୍ତବିକ ଏହି ଘଟଣା ଏକ ନିମିତ୍ତ ମାତ୍ର।

ପ୍ରକୃତରେ ଏମିତି କୌଣସି ପ୍ରକାର ଧାରଣା ଜନ୍ମିବା ବେଳେ ଆମେ ସାମଗ୍ରିକ ଘଟଣା ପ୍ରତି ଦୃଷ୍ଟିଦେବା ଉଚିତ୍‌। ମେ ମାସ ୧୯୦୮ରେ ଡଗଲାସ କିଙ୍ଗସଫୋର୍ଡ ନାମକ ପ୍ରେସିଡେନସି ମାଜିଷ୍ଟ୍ରେଟଙ୍କୁ ହତ୍ୟା-ଉଦ୍ୟମ କରି ବହୁ ସଂଖ୍ୟକ ବିପ୍ଳବୀ ପ୍ରସିଦ୍ଧ ଅଲିପୁର ବୋମା ମୋକଦ୍ଦମାରେ ଗିରଫ ହେଲେ। ସେମାନଙ୍କ ମଧ୍ୟରେ ଅରବିନ୍ଦଙ୍କ ସମେତ ତାଙ୍କ ସାନଭାଇ ବରୀନ୍ଦ୍ର କୁମାର ଘୋଷ ତଥା ଅନ୍ୟ କେତେକ ଜଣଙ୍କୁ କାରାଗାରରେ ଆବଦ୍ଧ କରାଗଲା। ବରୀନ୍ଦ୍ର ଘୋଷ ଓ ତାଙ୍କର କେତେ ଜଣ ସହଯୋଗୀ ଅନୁଶୀଳନ ସମିତି ନାମକ ଏକ ସଂଗଠନ ଗଢ଼ି ଭାରତରୁ ବ୍ରିଟିଶ ଶାସକମାନଙ୍କୁ ହଟାଇବା ସକାଶେ ଯୋଜନା କଲେ। ସେମାନେ ଗୁପ୍ତରେ ଅସ୍ତ୍ରଶସ୍ତ୍ର ସଂଗ୍ରହ କରି ବୋମା ମଧ୍ୟ ପ୍ରସ୍ତୁତ କଲେ। ଏହି ମକଦ୍ଦମାରେ ଅଭିଯୁକ୍ତମାନଙ୍କ ତରଫରୁ ଚିତ୍ତରଞ୍ଜନ ଦାସ ଲଢ଼ିଲେ। ସରକାରଙ୍କ ପକ୍ଷରୁ ପ୍ରବୀଣ ଆଇନଜ୍ଞ ଇ.ନର୍ଟନ ନିଯୁକ୍ତ ହୋଇଥିଲେ। ସିପି ବେକକ୍ରୋଫ୍ଟଙ୍କ ନ୍ୟାୟାଳୟରେ ବିଚାର ଚାଲିବା ପରେ ଯେଉଁ ରାୟ ଦିଆଗଲା ତଦନୁସାରେ ବରୀନ୍ଦ୍ର ଘୋଷ ଓ ଉଲ୍ଲାସକରଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଗଲା। ତତ୍‌ସହ ଦଶ ଜଣଙ୍କୁ ଆଜୀବନ, ତିନି ଜଣଙ୍କୁ ଦଶବର୍ଷ, ଅନ୍ୟ ତିନି ଜଣଙ୍କୁ ସାତ ବର୍ଷ ସ୍ଥାନାନ୍ତର ଏବଂ ଜଣକୁ ଆଜୀବନ ସଶ୍ରମ କାରାଦଣ୍ଡ ଦିଆଗଲା। ତେବେ ଅରବିନ୍ଦଙ୍କୁ ନିର୍ଦୋଷ ବୋଲି ଘୋଷିତ କରାଗଲା, ଯାହାଙ୍କୁ ବ୍ରିଟିଶ ସରକାର ସବୁଠାରୁ ଭୟଙ୍କର ଅପରାଧୀ ଭାବେ ଚିହ୍ନଟ କରିଥିଲେ। କହିବା ବାହୁଲ୍ୟ ଯେ, କ୍ୟାମ୍ବ୍ରିଜର କ୍ଲାରା କଲେଜ ଓ କିଙ୍ଗସ କଲେଜରେ ଯଥାକ୍ରମେ ବିଚାରପତି ବେକକ୍ରୋଫ୍ଟ ଓ ଅରବିନ୍ଦ ଅଧ୍ୟୟନ କରୁଥିଲେ। ସେମାନେ ସମସାମୟିକ। ଉଭୟେ ୧୮୯୦ରେ ଅନୁଷ୍ଠିତ ଆଇସିଏସ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିଲେ। ତେବେ ଅରବିନ୍ଦ ଯୋଗ୍ୟତା ତାଲିକାରେ ବେକକ୍ରୋଫ୍ଟଙ୍କ ଉପରେ ଥିଲେ। ସେମାନଙ୍କ ମଧ୍ୟରେ ଆଇସିଏସ କ୍ଲାସରେ ସାକ୍ଷାତ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଯେଉଁ ବାର୍ତ୍ତାଳାପ ହୋଇଥିଲା, ତାହା ନଗଣ୍ୟ। ୧୯୦୫ରେ ବେକକ୍ରୋଫ୍ଟ ସେସନ୍ସ ଜଜ୍‌ ଭାବେ ନିଯୁକ୍ତ ହୋଇଥିଲେ। ଅରବିନ୍ଦଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦୀର୍ଘଦିନ ପରେ ତାଙ୍କର ଦେଖା ସାକ୍ଷାତ ହୋଇଥିଲା। ଏମିତି ପୃଷ୍ଠଭୂମିରେ ରାୟର ନିରପେକ୍ଷତାକୁ ପ୍ରଶ୍ନ କରାଯାଇ ନପାରେ; କିନ୍ତୁ ଏହାର କାରଣ ରହସ୍ୟଜନକ।

ଜଣେ ଜୀବନୀକାରଙ୍କ ଅନୁଧ୍ୟାନରୁ ପ୍ରତୀତ ହୁଏ ଯେ, ନାଟକୀୟ ଭାବେ ଅରବିନ୍ଦଙ୍କ ମାମଲାରେ ବିଚାରପତି ବେକକ୍ରୋଫ୍ଟ ଓ ଚିତ୍ତରଞ୍ଜନ ଦାସ ଓକିଲ ଭାବେ ଅବତୀର୍ଣ୍ଣ ହେଲେ। ଏହା ଐଶ୍ବରିକ ଶକ୍ତିର ଏକ ନାଟକୀୟ କର୍ମଠାରୁ କିଛି କମ୍‌ ନୁହେଁ।

ଏହି ପ୍ରବନ୍ଧର ପ୍ରାରମ୍ଭରେ ଲେଖକ ଶ୍ରୀ ମା’ଙ୍କୁ ଉଦ୍ଧୃତ କରିଛନ୍ତି, ‘ଆଧ୍ୟାତ୍ମିକ ବିଧାନକୁ ଜାଣିବାପାଇଁ ମଣିଷର ମନ ଅସମର୍ଥ।’ ଏଥିରେ ଉଲ୍ଲେଖ ହୋଇଛି, କାରାଗାରରେ ଥିବାବେଳେ ଅରବିନ୍ଦଙ୍କ ମନକୁ ଯେଉଁ ପ୍ରଶ୍ନ ହଠାତ୍‌ ଆନ୍ଦୋଳିତ କଲା, ତାହା ହେଉଛି, ଈଶ୍ବର ତାଙ୍କୁ ଏଠାକୁ କାହିଁକି ପଠାଇଛନ୍ତି? ଏହାର ଉତ୍ତର ଭାବେ ସେ ହୃଦୟଙ୍ଗମ, କଲେ ଯେ, ସ୍ବାଧୀନତା ସଂଗ୍ରାମରେ ବିଜୟୀହେବାକୁ ବହୁ ନିଷ୍ଠାପର କର୍ମୀ ଅଛନ୍ତି। ତେବେ ଅରବିନ୍ଦଙ୍କ ଭୂମିକା ଅନ୍ୟତ୍ର ବିଧି ନିର୍ଦେଶ ହୋଇଛି। ଯେଉଁ ସାଂସାରିକ ବନ୍ଧନରୁ ସେ ମୁକ୍ତ ହୋଇପାରୁନଥିଲେ, ଭଗବାନ ତାହା ତାଙ୍କ ପାଇଁ ସେତେବେଳେ କରିଛନ୍ତି। ଏହି ଆତ୍ମଜ୍ଞାନରେ ଉଦ୍‌ବୁଦ୍ଧ ହୋଇ ସେ ଚତୁର୍ଦିଗରେ କେବଳ ବାସୁଦେବ (କୃଷ୍ଣ)ଙ୍କୁ ଦେଖିଲେ। ତାଙ୍କର ଆଖିକୁ ପ୍ରତ୍ୟେକ ବ୍ୟକ୍ତି, ଏପରି କି ଶତ୍ରୁଙ୍କଠାରେ ସେହି କୃଷ୍ଣଙ୍କୁ ସେ ଦେଖିଲେ। ତାଙ୍କ ସହ ବାର୍ତ୍ତାଳାପରେ ସେ ମଗ୍ନ ହେଲେ। ପରିଶେଷରେ ନାଟକୀୟ ଭାବେ ବ୍ରିଟିଶ ସରକାରଙ୍କ ଜାଗତିଆର ଓ କୋପକୁ ଏଡ଼ାଇ ପଣ୍ଡିଚେରିରେ ପହଞ୍ଚିଲେ ଏବଂ ଏହା ହେଲା ତାଙ୍କ ସାଧନା-ସ୍ଥଳ।

ବାସ୍ତବିକ ଜଣେ ଯଦି ଅରବିନ୍ଦଙ୍କ ଜୀବନୀ ଗଭୀର ଭାବେ ଅନୁଧ୍ୟାନ କରେ, ସେ ଈଶ୍ବରଙ୍କ ସତ୍ତା ତାଙ୍କ ପ୍ରତିଟି କାର୍ଯ୍ୟରେ (ଅନୁକୂଳ ହେଉ ବା ପ୍ରତିକୂଳ) ହୃଦୟଙ୍ଗମ କରିବ। କାହାରି କାହାରି ଭ୍ରାନ୍ତ ଧାରଣା ଥାଇପାରେ ଯେ, ତାଙ୍କ ବନ୍ଦୀ ଜୀବନ ଦ୍ବାରା ହିଁ ସେ ଯୋଗୀ ହେଲେ। ତାହା ହେଲେ ତ କାରାଗାରରେ ତାଙ୍କ ସହ-ଅଭିଯୁକ୍ତମାନେ ଜଣେ ଜଣେ ଯୋଗୀ ହୋଇପାରିଥାନ୍ତେ।

ତେଣୁ ଏହା ଅମୂଳକ ନୁହେଁ, ଯଦି ଜଣେ ହୃଦୟଙ୍ଗମ କରେ ଯେ ଆଧ୍ୟାତ୍ମିକ ଚେତନାର ଉତ୍ସ କେବଳ ଐଶ୍ବରିକ କୃପାରୁ ସମ୍ଭୂତ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories