ଓଡ଼ିଶାରେ ପ୍ରତିବର୍ଷ ପ୍ରାୟ ୬ଲକ୍ଷ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷାରେ ଭାଗ ନେଇଥାନ୍ତି। ବେଳେବେଳେ ମୂଲ୍ୟାୟନରେ ତ୍ରୁଟି ଯୋଗୁ କ୍ଷତିଗ୍ରସ୍ତ ଛାତ୍ରଛାତ୍ରୀଙ୍କର ମନୋବଳ ଭାଙ୍ଗିଯିବା ସହିତ ସେମାନଙ୍କର ଭବିଷ୍ୟତ ଗତିପଥ ଅନିଚ୍ଛାକୃତ ଭାବେ ବଦଳିଯାଏ। ଛାତ୍ରଛାତ୍ରୀ, ପରୀକ୍ଷା ଖାତାର ନକଲ ମାଗି ଠିକ୍ ମୂଲ୍ୟାଙ୍କନ ହୋଇଛି କି ନାହିଁ ତାହା ଜାଣିବାକୁ ଚାହିଁଲେ ତାକୁ ସେ ସୁଯୋଗ ମିଳିନଥାଏ। ଏହିପରି ସମୟରେ କ୍ଷତିଗ୍ରସ୍ତ ଛାତ୍ରଛାତ୍ରୀଙ୍କର ଜୀବନକୁ ସୁଖମୟକରିବା ପାଇଁ ଆଗେଇ ଆସେ ଦେଶର ସୂଚନା ଅଧିକାର ଆଇନ ୨୦୦୫ ଓ ଏହାଦ୍ୱାରା ସ୍ଥାପିତ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ସୂଚନା ଆୟୋଗ।
ଏକ ଘଟଣାକ୍ରମେ, ୨୦୧୪-୧୫ ଶିକ୍ଷାବର୍ଷରେ, କଟକର ଏକ ସରସ୍ୱତୀ ଶିଶୁମନ୍ଦିରରେ ପଢ଼ି, ଓଡ଼ିଶା ମାଧ୍ୟମିକ ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଦେଇ ଆଶାଠାରୁ କମ୍ ମୂଲ୍ୟାୟନ ରାଶି ପାଆନ୍ତି ଜଣେ ମେଧାବୀ ଛାତ୍ରୀ। ନିଜର ମୂଲ୍ୟାୟିତ ପରୀକ୍ଷା ଖାତା ଦେଖିବାକୁ ଚାହିଁବାରୁ ପରିଷଦର ପୁରୁଣା ନିୟମ ତାଙ୍କୁ ଏଥିପାଇଁ ସୁଯୋଗ ଦିଏନାହିଁ। ଶେଷରେ ଓଡ଼ିଶା ସୂଚନା ଆୟୋଗଙ୍କ ପାଖରେ ସେ ପହଞ୍ଚି ନ୍ୟାୟ ଭିକ୍ଷା କରନ୍ତି ଓ ଆୟୋଗଙ୍କ ନିେର୍ଦଶରେ ପରିଷଦ ତାଙ୍କୁ ଖାତା ଦେଖିବାର ସୁଯୋଗ ଦିଏ। ଏଥିରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ନଜରକୁ ଆସେ, ଯାହାକୁ ପରିଷଦ ସଂଶୋଧନ କରି ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରନ୍ତି। ଏହି ବୈପ୍ଳବିକ ଆଇନ ଯୋଗୁ ରାଜ୍ୟରେ ଓ ଦେଶରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ଯୁଗର ଆରମ୍ଭ ହୁଏ।
ସୂଚନା ଅଧିକାର ଆଇନ ଯୋଗୁ ଜଣେ ଚାଷୀ ତାଙ୍କର ଜମିବାଡ଼ିର ଐତିହାସିକ ଆଇନଗତ ବିବରଣୀ ପାଇପାରୁଥିବା ବେଳେ ଏକ ଗ୍ରାମର ଗ୍ରାମବାସୀ ତାଙ୍କ ଗାଁକୁ ବିଭିନ୍ନ ବିଭାଗରୁ ଆସିଥିବା ପ୍ରକଳ୍ପର ତଥ୍ୟ ଜାଣିପାରନ୍ତି, ଜଣେ ରୋଗୀ ଡାକ୍ତରଖାନାରେ ତାଙ୍କର କ’ଣକ’ଣ ଉପଚାର ହେଲା ଏବଂ କେଉଁ ବାବଦକୁ କେତେ ଖର୍ଚ୍ଚ ହେଲା ସେହି ତଥ୍ୟ ପାଇପାରନ୍ତି; ଜଣେ ଦୁର୍ନୀତି ବିରୋଧୀ ନାଗରିକ କେଉଁ ଆଧାରରେ କେନ୍ଦ୍ର ସରକାର ସ୍ପେକ୍ଟ୍ରମ ଆବଣ୍ଟନ କଲେ ତାହା ଜାଣିପାରନ୍ତି; ଜଣେ ନାଗରିକ ତାଙ୍କର ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀମାନେ ଗୋଟିଏ ବର୍ଷରେ କେତେ ଖର୍ଚ୍ଚ କଲେ ତାହାର ବିବରଣୀ ମଧ୍ୟ ପାଇପାରନ୍ତିି। ବ୍ରିଟିଶ ସମୟରୁ, ୧୯୨୩ରୁ , ଦେଶରେ ପ୍ରଚଳିତ ସରକାରୀ ଗୁପ୍ତୀକରଣ ଆଇନର ଯୁଗ ୨୦୦୫ରୁ ଶେଷ ହୋଇ ସୂଚନା ଅଧିକାର ଆଇନର ନୂଆ ଯୁଗ ଆରମ୍ଭ ହେଲା।
ଏହିଭଳି ଆଇନ ପୃୃଥିବୀର ଅନ୍ୟ ଦେଶମାନଙ୍କରେ ପ୍ରଚଳିତ ଥିବା ବେଳେ ୨୦୦୫ ପୂର୍ବରୁ ମଧ୍ୟ ଆମ ଦେଶର କେତେକ ରାଜ୍ୟରେ ପ୍ରଚଳିତ ଥିଲା। ଏହି ଆଇନ ପ୍ରଣୟନ ଫଳରେ ସରକାରୀ ଅନୁଷ୍ଠାନରୁ ସୂଚନା ପାଇବା, ନାଗରିକମାନଙ୍କର ମୌଳିକ ଅଧିକାରର ମାନ୍ୟତା ପାଇଲା। ଏହି ଆଇନର ପ୍ରାରମ୍ଭରେ କୁହାଯାଇଛି ଯେ, ଯେହେତୁ ଭାରତର ସମ୍ବିଧାନ ଏକ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ପ୍ରତିଷ୍ଠା କରିଛି ସେହେତୁ ସୂଚନାର ପ୍ରକଟୀକରଣ ସରକାରର ଦକ୍ଷ କାର୍ଯ୍ୟ ସଂପାଦନ ଓ ସୀମିତ ସମ୍ବଳର ସେର୍ବାତ୍ତମ ଉପଯୋଗରେ ସହାୟକ ହେବ ଓ ସରକାରୀ ଅଧିକାରୀମାନଙ୍କର ସ୍ୱଚ୍ଛତା, ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହନ କରିବ। ଫଳରେ ଦେଶରେ ଏକ ବାସ୍ତବବାଦୀ ଶାସନ ପ୍ରଣାଳୀର ଅୟମାରମ୍ଭ ହେବ।
ଏହି ଆଇନରେ ସୂଚନା ଅଧିକାର, ସରକାରୀ କର୍ତ୍ତୃପକ୍ଷଙ୍କ କର୍ତ୍ତବ୍ୟ, କେନ୍ଦ୍ରୀୟ ସୂଚନା ଆୟୋଗ ଓ ରାଜ୍ୟ ସୂଚନା ଆୟୋଗମାନଙ୍କର କ୍ଷମତା ପ୍ରଭୃତି ବିଷୟ ଉପରେ ଆଧାରିତ ବିଭିନ୍ନ ଧାରା ରହିଛି। ଏହା ସହିତ ଦ୍ୱିତୀୟ ଅନୁସୂଚୀରେ କେଉଁକେଉଁ ଅନୁଷ୍ଠାନମାନେ ଦେଶର ସୁରକ୍ଷା ଓ ସାର୍ବଭୌମତ୍ବ ପାଇଁ ଏହି ଆଇନରେ ଅନ୍ତର୍ଭୁକ୍ତ ହେଉନାହାନ୍ତି ସେମାନଙ୍କର ଗୋଟିଏ ତାଲିକା ରହିଛି। ଆଇନରେ ଯଦିଓ ସାଧାରଣତଃ ବେସରକାରୀ ଅନୁଷ୍ଠାନମାନଙ୍କୁ ବାଦ୍ ଦିଆଯାଇଛି ତେବେ ପ୍ରଗାଢ଼ ସରକାରୀ ସହାୟତା ପାଇଥିବା ବେସରକାରୀ ଅନୁଷ୍ଠାନମାନେ ଏହି ଆଇନରେ ଲୋକଙ୍କୁ ସୂଚନା ଦେବାକୁ ବାଧ୍ୟ। ଆଇନରେ, ପ୍ରତି ଅନୁଷ୍ଠାନ ସ୍ତରରେ ଜନସାଧାରଣଙ୍କୁ ସୂଚନା ଦେବା ପାଇଁ ଜନସୂଚନା ଅଧିକାରୀ ଓ ପ୍ରଥମ ଅପିଲ୍ ଅଧିକାରୀ ସ୍ଥାପନ କରିବା ପାଇଁ ନିେର୍ଦଶ ଥିବାବେଳେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଷ୍ଠାନମାନଙ୍କ ପାଇଁ ଯଥାକ୍ରମେ କେନ୍ଦ୍ରୀୟ ସୂଚନା ଆୟୋଗ ଓ ରାଜ୍ୟ ସୂଚନା ଆୟୋଗ ସ୍ଥାପନ କରିବାର ବ୍ୟବସ୍ଥା ଅଛି, ଯେ କି ଦ୍ୱିତୀୟ ଅପିଲ୍ ଅଧିକାରୀ ବା ଅଭିଯୋଗ ଅଧିକାରୀ ଭାବେ ଜନସାଧାରଣଙ୍କୁ ସୂଚନା- ନ୍ୟାୟ ଦେବେ। ସୂଚନା ଶବ୍ଦର ଅର୍ଥକୁ ବ୍ୟାପକ କରାଯାଇ ଏଥିରେ ବିବରଣୀ, ଦସ୍ତାବିଜ୍, ମେମୋ, ଇ -ମେଲ, ପରାମର୍ଶ, ପ୍ରେସ୍ ରିଲିଜ୍, ସର୍କୁଲାର, ଆଦେଶନାମା, ଲଗ୍ବହି, ଚୁକ୍ତି, ନମୁନା, ଇଲେକ୍ଟ୍ରୋନିକ୍ସ ବ୍ୟବସ୍ଥାରେ ଥିବା ତଥ୍ୟ ପ୍ରଭୃତିକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ସୂଚନା ଉତ୍ସ ପରିଦର୍ଶନ ପାଇଁ ମଧ୍ୟ ବ୍ୟବସ୍ଥା ଅଛି। ସେହିପରି, ଅନୁଷ୍ଠାନମାନେ ସୂଚନାକୁ ସ୍ୱତଃ ପ୍ରକଟୀକରଣ କରିବା ପାଇଁ କୁହାଯାଇଛି।
କେନ୍ଦ୍ର ସରକାରଙ୍କର ସ୍ତରରେ ୨୦୦୫-୦୬ରେ ୨୪,୪୩୬ ସୂଚନା ପାଇଁ ଆବେଦନ ହୋଇଥିଲା ବେଳେ ୨୦୧୯-୨୦ ବର୍ଷରେ ୧୩,୭୪,୩୧୫ ଆବେଦନ ଆସିଥିଲା। ୨୦୧୯-୨୦ ବର୍ଷରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗ ମଧ୍ୟରୁ ସର୍ବାଧିକ ଆବେଦନ ଅର୍ଥ ମନ୍ତ୍ରଣାଳୟକୁ ଆସିଥିଲା ବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ୧୨,୨୩୮ ଆବେଦନ ଆସିଛି। ସେହିପରି ଓଡ଼ିଶାରେ ୨୦୦୫-୦୬ରେ କେବଳ ୪୪୭ ସୂଚନା ଆବେଦନ ଆସିଥିବା ବେଳେ ୨୦୧୫-୧୬ ବେଳକୁ ଏହା ବୃଦ୍ଧି ପାଇ ୨୬୧୨୭ରେ ପହଞ୍ଚିଥିଲା। ଏଥିରୁ ସର୍ବାଧିକ ଆବେଦନ ମହିଳା ଓ ଶିଶୁ ବିକାଶ ବିଭାଗକୁ ଆସିଛି। ସେହିପରି ୨୦୧୫-୧୬ରେ ରାଜ୍ୟ ସୂଚନା ଆୟୋଗଙ୍କୁ ୩୨୦୯ ଅପିଲ ଓ ୫୬୦ ଅଭିଯୋଗ ଆସିଛି, ଯାହାକି ୨୦୦୬-୦୭ରେ ୩୦୮ ଥିଲା। ତେବେ ଦେଶରେ ୧୩୦କୋଟି ଲୋକଥିବା ବେଳେ ଏକ ବର୍ଷରେ କେବଳ ୧୩,୭୪,୩୧୫ ଲୋକ ସୂଚନା ଅଧିକାର ଆଇନ ବ୍ୟବହାର କରନ୍ତି।
ସୂଚନା ଅଧିକାର ଆଇନର ବ୍ୟାପକ ବ୍ୟବହାର ଦିଗରେ କେତୋଟି ପ୍ରମୁଖ ପ୍ରତିବନ୍ଧକ ହେଲା ତୃଣମୂଳସ୍ତରରେ ଆଇନର ବ୍ୟାପକ ସଚେତନତାର ଅଭାବ, ସୂଚନା ମାଗୁଥିବା ନାଗରିକମାନଙ୍କ ଉପରେ ଅସାଧୁ ବ୍ୟକ୍ତିଙ୍କ ଆକ୍ରମଣ ବୃଦ୍ଧି ଓ ସ୍ୱତଃ ସୂଚନା ପ୍ରକଟୀକରଣରେ ଅନୁଷ୍ଠାନମାନଙ୍କରେ ମନ୍ଥରଗତି।
ଏବେ ଆଇନର ସର୍ବାଧିକ ବ୍ୟବହାର, ସାମାଜିକ କର୍ମୀ, ବିରୋଧୀ ଦଳ କର୍ମୀ,ସମାଜର ବୁଦ୍ଧିଜୀବୀ ତଥା ଶିକ୍ଷିତ ଶ୍ରେଣୀ କରୁଥିବାବେଳେ ସାଧାରଣ ଲୋକେ ସଚେତନତା ଅଭାବରୁ ତୃଣମୂଳସ୍ତରରେ ଥିବା ସରକାରୀ ଅନୁଷ୍ଠାନରେ ସୂଚନା ଅଧିକାର ଆଇନର ବ୍ୟବହାର କରିପାରୁନାହାନ୍ତି। ଦେଶରେ ଏବଂ ରାଜ୍ୟରେ ସମାଜର ପଛୁଆବର୍ଗର ନାଗରିକମାନେ କେଉଁ ଜିଲାରେ କେତେ ପରିମାଣରେ ଆଇନକୁ ବ୍ୟବହାର କଲେ ତାହା ଉପରେ ସମୀକ୍ଷା କରିବାର ସମୟ ଆସିଛି।
ସେହିପରି ଦେଶରେ ସୂଚନା ମାଗୁଥିବା ନାଗରିକମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି। କେନ୍ଦ୍ର ସରକାର ୨୦୧୪ରେ ଯେଉଁ ହୁଇସିଲ-ବ୍ଲୋୟର ଆଇନ ଆଣିଥିଲେ ତାହାକୁ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି। ଏହା ସହିତ ଆଇନରେ ସୂଚନା ମାଗୁଥିବା ବ୍ୟକ୍ତିମାନଙ୍କୁ ସୂଚନା ଅଧିକାରୀମାନେ ଭଲ ବ୍ୟବହାର ପ୍ରଦର୍ଶନ କରିବାକୁ ନିେର୍ଦଶ ଥିବାବେଳେ କେତେକ କ୍ଷେତ୍ରରେ ଅସମ୍ମାନ କରିବା ଦେଖାଯାଉଛି। ଏଥିପାଇଁ ଦଣ୍ଡବିଧାନର ଆବଶ୍ୟକତା ଅଛି। ସେହିପରି, ଆୟୋଗରେ ମାମଲାଗୁଡ଼ିକର ଦ୍ରୁତ ଫଇସଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସୂଚନା ଆୟୋଗମାନଙ୍କରେ ଖାଲିପଡ଼ିଥିବା ସମସ୍ତ ପଦରେ ଭଲ ସଦସ୍ୟଙ୍କୁ ନିଯୁକ୍ତି ଦେବା ଆବଶ୍ୟକ। ଅନ୍ୟପକ୍ଷରେ ସୂଚନା ଅଧିକାର ଆଇନର ଅପବ୍ୟବହାର କରି ‘ବ୍ଲାକମେଲ୍’ କଲେ ଦୃୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି।
ସ୍ୱତଃ ସୂଚନା ପ୍ରକଟୀକରଣ (ସୁଓ-ମୋଟ ଡିସ୍କ୍ଲୋଜ) ପ୍ରକ୍ରିୟା ପ୍ରତି ବିଭାଗ ସ୍ତରରେ ବୃଦ୍ଧି ପାଇଲେ ଲୋକମାନେ ଅଧିକାଂଶ ସୂଚନା ଜାଣିପାରିବେ ଓ ସୂଚନା ଆବେଦନ ହ୍ରାସ ପାଇବ। ୨୧ ନଭେମ୍ବର ୨୦୧୩ରେ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ କେନ୍ଦ୍ରର ସମସ୍ତ ବିଭାଗର ମୁଖ୍ୟ ସଚିବଙ୍କୁ ସୂଚନା ଅଧିକାର ଆଇନର ଧାରା ୪(୧)/(୨)ରେ କେଉଁ ତଥ୍ୟର କିପରି ଭାବରେ ସ୍ୱତଃ ପ୍ରକଟୀକରଣ କରିବେ ସେ ବିଷୟରେ ଜଣାଇଲେ। ଏହା ସହିତ ରାଜ୍ୟ ସରକାରମାନଙ୍କୁ ମଧ୍ୟ ଏ ବିଷୟରେ ନିେର୍ଦଶ ଦିଆଯାଇଛି। ତେବେ ବିଭାଗ ଗୁଡ଼ିକର ମନ୍ଥରଗତି ଯୋଗୁ ଏହି ପ୍ରକ୍ରିୟା ଧିମେଇ ଚାଲିଛି। େକନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ରତ୍ୟେକ ବିଭାଗ ନିଜର ୱେବସାଇଟ୍ରେ ଏବେ ମଧ୍ୟ ସଦ୍ୟ ଓ ସମସ୍ତସୂଚନା ପ୍ରଦାନ କରିପାରୁନାହାନ୍ତି। ତେବେ, ସୂଚନା ମାଗୁଥିବା ପ୍ରକ୍ରିୟାର ଡିଜିଟାଲ ବ୍ୟବସ୍ଥା କରାଯାଇଛି। ଡିଜିଟାଲ ଯୁଗରେ ବିଭିନ୍ନ ମାଧ୍ୟମ ବ୍ୟବହାର କରି ଅନେକାଂଶ ତଥ୍ୟର ସ୍ୱତଃ ପ୍ରକଟୀକରଣ କରାଯାଇପାରିବ ଏବଂ ଗ୍ରାମାଞ୍ଚଳରେ ସୂଚନା ଫଳକର ସର୍ବାଧିକ ବ୍ୟବହାର କରାଯାଇପାରିବ। ଓଡ଼ିଶା ଭଳି ରାଜ୍ୟରେ ୩ କୋଟିରୁ ଅଧିକ ଲୋକ ମୋବାଇଲ ଫୋନ ବ୍ୟବହାର କରୁଥିବା ସୂଚନା ମିଳୁଛି। ଏହାକୁ ମାଧ୍ୟମ କରି ପାରିଲେ ସୂଚନା ଅଧିକାର ଆଇନ ସର୍ବାଧିକ ଲୋକଙ୍କ ପାଖରେ ପହଞ୍ଚିପାରନ୍ତା। ଏଥିପାଇଁ ତୃଣମୂଳସ୍ତରକୁ ଅନଲାଇନର ସୁଯୋଗ ପ୍ରଦାନ କରିବା ଆବଶ୍ୟକ।
ପ୍ରତ୍ୟେକ ବିଭାଗ, ନିଜର ଗୋଟିଏ ସୂଚନା ଅଧିକାର ଆପ୍ ପ୍ରସ୍ତୁତ କଲେ ସୂଚନା ଜାଣିବା ଓ ମାଗିବା ପାଇଁ ଲୋକଙ୍କୁ ସୁବିଧା ହେବ। ଓଡ଼ିଶା ସରକାର, ସୂଚନା ଅଧିକାର ବ୍ୟବସ୍ଥାକୁ ୫-ଟି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କଲେ ଲୋକଙ୍କୁ ଅଧିକ ସୁଫଳ ମିଳିପାରିବ।

