ଫ୍ୟାଟିଲିଭର ଓ ମଧୁମେହ ପରସ୍ପର ସହିତ ସମ୍ପର୍କିତ

ଭୁବନେଶ୍ୱର: ଅଣ କୋଭିଡ ଫ୍ୟାଟିଲିଭର କ୍ଷେତ୍ରରେ ମଧୁମେହ ଏକ ଗୁରୁତ୍ୱପୂର୍ଣ୍ଣ ବିପଦ କାରକ ଭାବରେ ଉଭା ହେବାର ଆଶଙ୍କା ରହିଛି। ଯେଉଁମାନଙ୍କ ଠାରେ ଫ୍ୟାଟିଲିଭର ନିରୁପିତ ହୋଇଛି ସେମାନେ ନିଶ୍ଚିତ ଭାବରେ ଏହାର ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବା ଉଚିତ। ଯଦି ଫ୍ୟାଟିଲିଭରର ସଠିକ ସମୟରେ ଚିକିତ୍ସା କରାନଯାଏ ତେବେ ଏହା ଯକୃତରେ ସ୍ଥାୟୀ କ୍ଷତି ସୃଷ୍ଟି କରିପାରେ। ଚିକିତ୍ସା ବିଶେଷଜ୍ଞଙ୍କ ମତରେ ମଧୁମେହ ଥିବା ଅଣ କୋଭିଡ ରୋଗୀଙ୍କ କ୍ଷେତ୍ରରେ ଫ୍ୟାଟିଲିଭର ହେବାର ବିପଦ ଅଧିକ ରହିଥାଏ। ଫ୍ୟାଟି ଲିଭର ଏବଂ ମଧୁମେହ ପରସ୍ପର ସହିତ ସମ୍ପର୍କିତ। ସେଥିପାଇଁ ମଧୁମେହକୁ ପ୍ରଥମେ ନିୟନ୍ତଣ କରିବାର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ଶାନ୍ତି ପୱନ ମଲ୍ଟି ସ୍ପେଶିଆଲିଟି କେୟାର, ଡିଏମ, ଏମଡି ଡା. ରିତେଶକୁମାର ଅଗ୍ରୱାଲଙ୍କ କହିବା ଅନୁଯାୟୀ, ଫ୍ୟାଟି ଲିଭର ହେଉଛି ଏକ ଅବସ୍ଥା ଯେଉଁଥିରେ ଲିଭରରେ ଚର୍ବି ଜମା ହୋଇଯାଏ। ଏହି ଜମା ହୋଇଥିବା ଚର୍ବି ଦ୍ୱାରା ଲିଭରର ବୃଦ୍ଧି ହେବାସହିତ ପ୍ରଦାହ ସୃଷ୍ଟି ହୋଇଥାଏ। ଯଦି ଫ୍ୟାଟି ଲିଭରର ସଠିକ ସମୟରେ ଚିକିତ୍ସା କରାନଯାଏ ତେବେ ଏହାଦ୍ୱାରା ଲିଭର ସିରୋସିସ୍ ଦେଖାଯାଏ।
ସାଧାରଣତଃ ଫ୍ୟାଟିଲିଭରରେ କୌଣସି ପ୍ରକାର ଉଲ୍ଲେଖନୀୟ ଲକ୍ଷଣ ଦେଖାଯାଇନଥାଏ। ଯଦିଓ କିଛିଲୋକ ପେଟର ଉପର ଡାହାଣ ପାଶ୍ୱର୍ରେ ଯନ୍ତ୍ରଣା ବା ସାମାନ୍ୟ ଅସ୍ୱାଭାବିକତା ଅନୁଭବ କରିଥାନ୍ତି। ଚର୍ବି ଅଂଶକୁ ପ୍ରକ୍ରିୟାକରଣ କରିବାରେ ଲିଭରର ଅକ୍ଷମତା କିମ୍ବା ଶରୀରରେ ଅତିରିକ୍ତ ମାତ୍ରାରେ ଚର୍ବି ସୃଷ୍ଟିହେବା ହେଉଛି ଫ୍ୟାଟିଲିଭର ସୃଷ୍ଟିହେବାର ପ୍ରମୁଖକାରଣ। ମେଦବହୁଳତା, ଅନିୟନ୍ତ୍ରିତ ମଧୁମେହ, ଉଚ୍ଚ ରକ୍ତ କୋଲେଷ୍ଟରେଲ ସ୍ତର ଥିବା ଏବଂ ଇନସୁଲିନ୍ ପ୍ରତିରୋଧକତା ଥିବା ଲୋକଙ୍କୁ ଫ୍ୟାଟିଲିଭରର ଅଧିକ ବିପଦ ରହିଥାଏ।
ଯଦିଓ ଫ୍ୟାଟିଲିଭରର ଚିକିତ୍ସା ପାଇଁ କୌଣସି ଔଷଧ ଉପଚାର ନାହିଁ, ତଥାପି ଜଣେ ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତନ କରି ଏହି ଅବସ୍ଥାକୁ ସହଜରେ ପରିଚାଳନା କରିପାରିବେ। କିଛି ଜୀବନଶୈଳୀ ଓ ଖାଦ୍ୟରେ ପରିବର୍ତନ ଆଣି ମଧୁମେହରେ ଆକ୍ରାନ୍ତ ବ୍ୟକ୍ତି ଫ୍ୟାଟିଲିଭର ବୃଦ୍ଧିର ବିପଦକୁ ହ୍ରାସ କରିପାରିବେ। ଏହି ପରିବର୍ତନରେ ଆଲକୋହଲିକ ପାନୀୟ ଗ୍ରହଣକୁ କମ୍ କରିବା ବା ଏଡ଼ାଇବା, ଓଜନ କମାଇବା, ନିୟମିତ ବ୍ୟାୟାମ କରିବା, ଖାଦ୍ୟରେ ଅଧିକ ମାତ୍ରାରେ ସବୁଜ ପନିପରିବା, ତାଜା ଫଳ ଓ ସମ୍ପୂର୍ଣ୍ଣ ଶସ୍ୟକୁ ସାମିଲ କରିବା, ରକ୍ତ ଶର୍କରା ସ୍ତର ଓ ରକ୍ତ ଚାପ ସ୍ତରକୁ ନିୟନ୍ତ୍ରଣ କରିବା ଆଦି ଅନ୍ତର୍ଭୁକ୍ତ ରହିଛି।

kalyan agarbati

Comments are closed.