ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଥିବା ସ୍ୱତନ୍ତ୍ର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଅଦାଲତରେ ଅନେକ କାର୍ଯ୍ୟରତ ଓ ପୂର୍ବତନ ସାଂସଦ ଏବଂ ବିଧାୟକଙ୍କ ନାଁରେ ୧୫୧ଟି ମାମଲା ବିଚାରାଧୀନ ଅବସ୍ଥାରେ ପଡିରହିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଏଥିମଧ୍ୟରୁ ୫୮ଟି ସଙ୍ଗୀନ ମାମଲା ରହିଛି। ଏଥିରେ ଦୋଷୀସାବ୍ୟସ୍ତ ହେଲେ ସାଂସଦ ଓ ବିଧାୟକଙ୍କୁ ଆଜୀବନ କାରାଦଣ୍ଡ ମଧ୍ୟ ମିଳିପାରେ।
ସବୁଠୁ ଉଦ୍ବେଗର ବିଷୟ ହେଉଛି, ଏକ ତୃତୀୟାଂଶ ମାମଲାରେ ଏପର୍ଯ୍ୟନ୍ତ ଶୁଣାଣି ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ଅନେକ ଘଟଣା ଦଶନ୍ଧି ପୁରୁଣା ହୋଇଥିଲେ ମଧ୍ୟ ଅଭିଯୁକ୍ତ ଜନପ୍ରତିନିଧିଙ୍କ ବିରୋଧରେ ଏବେ ବି ଚାର୍ଜଫ୍ରେମ୍ କରାଯାଇନି। ଆଜି ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଏସଂକ୍ରାନ୍ତରେ ଅବଗତ କରାଯାଇଛି।
ସୂଚନାଯୋଗ୍ୟ, ୨୦୧୬ ମସିହାରେ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ କାର୍ଯ୍ୟରତ ଓ ପୂର୍ବତନ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଥିବା ମାମଲା ଗୁଡ଼ିକ ଶୁଣାଣିର ତ୍ୱରାନ୍ୱିତ କରିବାକୁ ସ୍ବତନ୍ତ୍ର ଅଦାଲତ(ଫାଷ୍ଟଟ୍ରାକ୍) ବ୍ୟବସ୍ଥାରେ କରିବାକୁ ଆବେଦନ କରିଥିଲେ। ଏହି ଆବେଦନର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ବରିଷ୍ଠ ଅଧିବକ୍ତା ବିଜୟ ହନସାରିଆଙ୍କୁ ମାମଲାରେ ସହଯୋଗ କରିବା ପାଇଁ କୋର୍ଟମିତ୍ର (ଆମିକସ୍ କ୍ୟୁରୀ)ଭାବେ ନିଯୁକ୍ତ କରିଥିଲେ। ସେ ଏବେ ବିବରଣୀ (ରିପୋର୍ଟ) ପ୍ରସ୍ତୁତ କରି ସର୍ବୋଚ୍ଚ ନ୍ୟାୟାଳୟରେ ଉପସ୍ଥାପନ କରିଛନ୍ତି। ତାଙ୍କୁ ଏଥିରେ ଅନ୍ୟତମ ବରିଷ୍ଠ ଆଇନଜୀବୀ ସ୍ନେହା କାଲ୍ତା ସହଯୋଗ କରିଛନ୍ତି।
ମାମଲାର ୧୪ତମ ବିବରଣରେ ଉଲ୍ଲେଖ କରାଯାଇଛି ଯେ, ମୋଟ ୧୫୧ ଟି ମାମଲା ବିଭିନ୍ନ ସ୍ୱତନ୍ତ୍ର ସିବିଆଇ ଅଦାଲତରେ ବିଚାର ଅପେକ୍ଷାରେ ପଡିରହିଛି। ୫୮ଟି ମାମଲାରେ ଦୋଷୀସାବ୍ୟସ୍ତ ହେଲେ ଦଣ୍ଡ ସ୍ୱରୂପ ରାଜନେତାଙ୍କୁ ଆଜୀବନ କାରାବାସ ଦିଆଯାଇପାରିବ। ଏପରିକି ୪୫ଟି ଏଭଳି ମାମଲା ମଧ୍ୟ ରହିଛି ତାହା ଦଶନ୍ଧି ଦଶନ୍ଧି ପୂର୍ବର। ସେ ମାମଲା ଗୁଡିକରେ ମଧ୍ୟ ଚାର୍ଜଫ୍ରେମ୍ ହୋଇନାହିଁ। ସାଂସଦ ଓ ବିଧାୟକଙ୍କ ବିରୋଧରେ ଆସିଥିବା ୩୭ଟି ମାମଲାର ତଦନ୍ତ ସିବିଆଇ ଜାରି ରଖିଛି।
ସବୁଠାରୁ ଅଧିକ ଦିନ ପଡିରହିଥିବା ମାମଲା ବିହାରର ପାଟନାରେ ରହିଛି। ଏଠାରେ ଅଭିଯୁକ୍ତଙ୍କ ବିରୋଧରେ ୨୦୦୦ ଜୁନ୍ ୧୨ ତାରିଖରେ ଅଭିଯୋଗପତ୍ର ଦାଖଲ କରାଯାଇଥିଲା। ମାତ୍ର ଏଯାଏ ଏହାର ରାୟ ପ୍ରକାଶ ପାଇନାହିଁ। ସିବିଆଇ ଅଦାଲତ ଗୁଡିକରେ କିଭଳି ମାମଲା ପଡି ରହିଛି ତାହା ଏହି ରିପୋର୍ଟରେ ଉଲ୍ଲେଖ ରହିଛି।
ସେହିଭଳି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ସ୍ଥିତିପତ୍ର ବିବରଣ ଅନୁଯାୟୀ, ୫୧ ଜଣ ପୂର୍ବତନ ଓ କାର୍ଯ୍ୟରତ ସାଂସଦଙ୍କ ବିରୋଧରେ ‘ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ୨୦୦୨’ ଅଧୀନରେ ମାମଲା ରୁଜୁ କରାଯାଇଛି। ତେବେ ୪୧ ଜଣଙ୍କ ମଧ୍ୟରୁ ଏବେ କେତେ ଜଣ କାର୍ଯ୍ୟରତ ଓ କେତେଜଣ ପୂର୍ବତନ ସାଂସଦ ରହିଛନ୍ତି ତାହା ସ୍ପଷ୍ଟ କରାଯାଇନି।
କୋର୍ଟମିତ୍ର ଏହା ମଧ୍ୟ ପରାମର୍ଶ ଦେଇଛନ୍ତି ଯେ, ଯେଉଁ ଅଦାଲତ ଗୁଡିକରେ ମାମଲା ପଡିରହିଛି ସେଗୁଡିକୁ ସିଆରପିସିର ଧାରା ୩୦୯ ଅନୁଯାୟୀ ଦୈନିକ ଶୁଣାଣି କରିବାକୁ ନିର୍ଦ୍ଦେଶ ଦିଆଯାଇପାରିବ। କୋର୍ଟମିତ୍ର (ଆମିକସ୍ କ୍ୟୁରୀ) ପରାମର୍ଶ ଦେଇଛନ୍ତି ଯେ, ଯଦି ଅତିରିକ୍ତ ଅଦାଲତର ଆବଶ୍ୟକ ପଡ଼େ, ତା’ହେଲେ ଉଚ୍ଚ ନ୍ୟାୟାଳୟ ଓ ସରକାର ଚାହିଁଲେ ଉପଯୁକ୍ତ ଅତିରିକ୍ତ ଅଦାଲତ ଗଠନ କରିପାରିବେ। ମାମଲା ଶୁଣାଣି କିଭଳି ତ୍ବରାନ୍ବିତ ହୋଇପାରିବ ତାହାର ତଦାରଖ କରିବାକୁ ଏକ କମିଟି ଗଠନ କରିବାକୁ ମଧ୍ୟ କୋର୍ଟମିତ୍ର ତାଙ୍କ ରିପୋର୍ଟରେ ସୁପାରିସ କରିଛନ୍ତି।



