ପୁଅଙ୍କ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷକୁ ହ୍ରାସ ସପକ୍ଷରେ ବିଧି ଆୟୋଗ

0

ନୂଆଦିଲ୍ଲୀ: ପ୍ରଚଳିତ ନିୟମ କାନୁନ ଅନୁଯାୟୀ ଭାରତରେ ସର୍ବନିମ୍ନ ବିବାହ ବୟସ ଝିଅଙ୍କ ପାଇଁ ୧୮ ବର୍ଷ ଓ ପୁଅଙ୍କ ପାଇଁ ୨୧ ବର୍ଷ ରହିଛି। ପୁଅଙ୍କ କ୍ଷେତ୍ରରେ ବିବାହ ବୟସ ୧୮ ବର୍ଷକୁ ହ୍ରାସ କରିବାକୁ ବିଧି ଆୟୋଗ ପ୍ରସ୍ତାବ ଦେଇଛନ୍ତି। ଦେଶରେ ସମସ୍ତଙ୍କ ପାଇଁ ସମାନ ବିବାହ ବୟସ ସୀମା ଧାର୍ଯ୍ୟ ଦ୍ୱାରା ସମାନତା ଅଣାଯାଇପାରିବ ବୋଲି ଆୟୋଗ ଚିନ୍ତା କରିଛନ୍ତି।
ଏକକ ନାଗରିକ ସଂହିତା ପ୍ରଣୟନ ସଂକ୍ରାନ୍ତ ନିଷ୍ପତ୍ତି ଅବସରରେ ବିଧି ଆୟୋଗ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ଯଦି ୧୮ ବର୍ଷର ଜଣେ ଯୁବକ ଭୋଟ ଜରିଆରେ ସରକାର ଚୟନ କରିବାର ଅଧିକାର ଅଛି ତେବେ ସେ ତାଙ୍କ ଜୀବନ ସାଥୀ ଚୟନ କାହିଁକି କରିପାରିବେ ନାହିଁ? ଏହି ମର୍ମରେ ପର୍ସନାଲ୍‍ ଲ’ କୁ ସଂଶୋଧନ କରାଗଲେ ନାବାଳିକା ବିବାହକୁ ରୋକାଯାଇପାରିବ ଏବଂ ଅସମାନତା ଦୂର ହୋଇପାରିବ। ଆୟୋଗ ଆହୁରି କହିଛନ୍ତି ଯେ ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଝିଅକୁ ୧୬ ବର୍ଷ ଓ ପୁଅକୁ ୧୮ ବର୍ଷ ହେବା ପରେ ସେମାନେ ବିବାହ ପାଇଁ ଯୋଗ୍ୟ ଓ ବୈଧ କିନ୍ତୁ ବର୍ଜନୀୟ। ସେହିପରି କୈଶୋରରେ ପାଦ ଦେବା ପରେ ଜଣେ ବିବାହ ପାଇଁ ବୈଧ ବୋଲି ମୁସଲିମ୍‍ ଲରେ ଉଲ୍ଲେଖ ରହିଛି।
ମେଡିକାଲ୍‍ ଟର୍ମିନେସନ୍‍ ଅଫ୍‍ ପ୍ରେଗନାନ୍ସି ଆକ୍ଟ ୧୯୭୨, ଧାରା ୩ରେ ଉଲ୍ଲେଖ ରହିଛି ଯେ ଜଣେ ଗର୍ଭବତୀ ନାବାଳିକା ହୋଇଥିଲେ ଗର୍ଭପାତ ବେଳେ ତାଙ୍କ ସ୍ୱାମୀଙ୍କ ଅନୁମତି ଆବଶ୍ୟକ। ଯଦି ସ୍ୱାମୀ ମଧ୍ୟ ନାବାଳକ ହୋଇଥାନ୍ତି ତେବେ ସେହି କ୍ଷେତ୍ରରେ କଣ କରାଯାଇପାରିବ ତାହା ଆଇନରେ ସ୍ପଷ୍ଟ ନାହିଁ। କିନ୍ତୁ ସେ ସବୁ ନାବାଳିକା ବିବାହକୁ ପ୍ରୋତ୍ସାହିତ କରୁଥିବା ହୃଦବୋଧ ହେଉଛି। ହିନ୍ଦୁ ବିବାହ ଆଇନ୍‍ ୧୯୫୪ରେ ଉଲ୍ଲେଖ ରହିଛି ଯେ ସ୍ୱାମୀ ସାବାଳକ କିମ୍ବା ନାବାଳକ ହୋଇଥିଲେ ମଧ୍ୟ ସେ ସବୁବେଳେ ପତ୍ନୀଙ୍କ ଅଭିଭାବକ। ଏହା ମଧ୍ୟ ନାବାଳିକା ବିବାହ ଦିଗକୁ ଅଙ୍ଗୁଳି ନିର୍ଦେଶ କରୁଛି। ତେଣୁ ଆଇନ୍‍ରେ କିଛିଟା ସଂଶୋଧନ ଆବଶ୍ୟକ ବୋଲି ବିଧି ଆୟୋଗ ମତ ଦେଇଛନ୍ତି।

Leave A Reply