ରାସ୍ତା ପାଲଟିଛି ମରଣଯନ୍ତା, ରାସ୍ତା ଉପରେ ଧାନ ଗଛ ପୋତିଲେ ଲୋକେ

ବେଗୁନିଆ: ବାଘମାରୀ କଣ୍ଟିଲୋ ୪୭ ନଂ ରାଜ୍ୟ ରାଜପଥର ବେଗୁନିଆ ବ୍ଲକ ଗୋବିନ୍ଦପୁର ଛକରୁ କଣ୍ଟାବାଡ଼ ଦେଇ ମଲ୍ଲୀପଦର ଯାଇଥିବା ସାଢ଼େ ୩ କି ମି ରାସ୍ତାର ଉନ୍ନତିକରଣ ପାଇଁ ୧୮/୧୨/୧୪ମସିହାରେ ତତ୍କାଳୀନ ବିଧାୟକ ପ୍ରଶାନ୍ତ କୁମାର ଜଗଦେଵ ଏବଂ ଭୁବନେଶ୍ୱର ସାଂସଦ ପ୍ରସନ୍ନ କୁମାର ପାଟଶାଣୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ପୁନଶ୍ଚ ୮/୧୧/୧୭ରିଖରେ ସମ୍ପୃକ୍ତ ବିଧାୟକ ଏବଂ ଭୁବନେଶ୍ୱର ସାଂସଦ ଉକ୍ତ ରାସ୍ତାରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ସର୍ବମୋଟ ୩ ଥର ଏହି ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ତାପରେ ଗୋବିନ୍ଦପୁର ଛକ ଠାରୁ କଣ୍ଟାବାଡ଼ ହାଇସ୍କୁଲ ପର୍ଯ୍ୟନ୍ତ ୮ ସହ ମିଟର କାର୍ଯ୍ୟ ଗତ ୨ ବର୍ଷ ତଳେ ନିର୍ମାଣ କରାଯାଇଛି।

କିନ୍ତୁ ନିମ୍ନମାନର କାର୍ଯ୍ୟ ଯୋଗୁଁ କାର୍ଯ୍ୟ ସରିବାର ୨ ମାସ ପରେ ନିର୍ମାଣ କରାଯାଇଥିବା ସାଇଡ଼ୱାଲ ଭାଙ୍ଗିଯାଇଛି। ରାସ୍ତାଟିର କାର୍ଯ୍ୟ କରିବାପାଇଁ ୨୦୧୪ ମସିହାରୁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ବାକି ୨ କିମି ୭୦୦ ମିଟର କାର୍ଯ୍ୟ ଦୀର୍ଘ ୭ ବର୍ଷ ହେଲା ପଡିରହିଛି। କଣ୍ଟାବାଡ଼ ପ୍ରାଥମିକ ବିଦ୍ୟାଳୟ ନିକଟରେ ପ୍ରାୟ ଅଧ କିମି ରାସ୍ତା ସମ୍ପୂର୍ଣ ନଷ୍ଟ ହୋଇ ପିଚୁ ରାସ୍ତାରୁ ମାଟି ରାସ୍ତାରେ ପରିଣତ ହୋଇଛି। ଫଳରେ ସ୍ଥାନୀୟ ଜନସାଧାରଣଙ୍କ ସହିତ ଆଖ ପାଖ ପଞ୍ଚାୟତର ହଜାର ହଜାର ଲୋକ ଏହି ରାସ୍ତା ରେ ଯା ଆସ କରୁଥିବା ବେଳେ ଏବଂ ବେଗୁନିଆ ବ୍ଲକକୁ ଏହି ରାସ୍ତାଟି ମୁଖ୍ୟ ରାସ୍ତା ହୋଇଥିବା ବେଳେ ଜନସାଧାରଣ ଯାତାୟାତ କ୍ଷେତ୍ରରେ ତଥା ଗାଡି ମୋଟର ଚଳାଚଳ କ୍ଷେତ୍ରରେ ଘୋର ଅସୁବିଧା ଦେଖାଦେଇଛି।

ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଏବଂ ପ୍ରଶାସନିକ ଉଦାସୀନତା ଯୋଗୁଁ ଉକ୍ତ ରାସ୍ତାଟିର ଭିତ୍ତି ପ୍ରସ୍ତର ଗତ ୭ ବର୍ଷ ତଳୁ ହୋଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ରାସ୍ତାକାର୍ଯ୍ୟଟି ସମ୍ପୂର୍ଣ ହୋଇପାରୁନାହିଁ ବୋଲି ସ୍ଥାନୀୟ ଜନସାଧାରଣ କହିବା ସହିତ ବୀତସ୍ପୃହ ହୋଇ ରାସ୍ତା ଉପରେ ଧାନ ଗଛ ଉଠିବା ସମ୍ଭବ ନହେଲେ ମଧ୍ୟ ପିଚୁ ରାସ୍ତାରୁ ମାଟି ରାସ୍ତାରେ ପରିଣତ ହୋଇଥିବା ରାସ୍ତାରେ ପାଣି ଜମି ରହୁଥିବା ଯୋଗୁଁ ଲୋକମାନେ ନିଷ୍କ୍ରିୟ ପ୍ରଶାସନକୁ ସଜାଗ କରିବା ପାଇଁ ପ୍ରାୟୋଜିତ ଭାବେ ଯେପରି ବିଲରେ ପାଣି ହେଲେ ଧାନ ଗଛ ପୋତାଯାଏ ସେହି ନ୍ୟାୟରେ ରାସ୍ତା ଉପରେ ପାଣି ଜମି ରହିବା ଯୋଗୁଁ କିଛି ଲୋକ ରାସ୍ତା ଉପରେ ଥିବା କାଦୁଅରେ ଧାନ ଗଛ ପୋତି ନିଷ୍କ୍ରିୟ ପ୍ରଶାସନ ପ୍ରତି ଆଙ୍ଗୁଳି ଦେଖାଇଥିଲେ ।ଆଜି ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ନହୋଇ କାହିଁକି ବାକି ପଡିଛି ବୋଲି ବୁଝିବାରେ ଶାସକ ଦଳର ଜଣେ ଟାଣୁଆ ନେତାଙ୍କ ପାଖ ଲୋକ କୁଆଡେ ଗତ ଏକ ବର୍ଷ ହେବ ୩୩ ଲକ୍ଷ ଟଙ୍କାର କାମ ଏଷ୍ଟିମେଟ ମୂଲ୍ୟଠାରୁ କମରେ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଏଗ୍ରିମେଣ୍ଟ କରି କାମ କରୁନାହାନ୍ତି ।୨୦୨୧ ମାର୍ଚ୍ଚ ମାସ ସୁଦ୍ଧା ତାଙ୍କର ଏଗ୍ରିମେଣ୍ଟ ଅନୁସାରେ କାମ ସାରିବା ପାଇଁ ଥିବାବେଳେ ଇତିମଧ୍ୟରେ ଆହୁରି ଅଧିକ ୪ ମାସ ବିତିଯାଇଥିବାବେଳେ ଭୟରେ ଠିକାଦାରଙ୍କ ପ୍ରତି କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରୁ ନାହିଁ । ୭ ଦିନ ମଧ୍ୟରେ ସେ ଯଦି କାର୍ଯ୍ୟ ଆରମ୍ଭ ନକରନ୍ତି ତାହେଲେ ରିଟେଣ୍ଡର କରାଯିବ ବୋଲି ଜଣାପଡିଛି। ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଏବଂ ପ୍ରଶାସନିକ ଉଦାସୀନତା ଯୋଗୁଁ ଉକ୍ତ ରାସ୍ତାକାର୍ଯ୍ୟ ପାଇଁ ଅନୁଦାନ ଥାଇ ମଧ୍ୟ ଲୋକମାନେ ହଇରାଣ ହରକତ ହେଉଥିବା ଯୋଗୁଁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ଦିଗରେ ବିଭାଗୀୟ ଅଧିକାରୀ ମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସ୍ଥାନୀୟ ଲୋକମାନେ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଥିବାର ଜଣାପଡିଛି।

Comments are closed.