ବୁର୍ଲା ଭିମସାରରେ କରୋନା ନେଲା ୧୩ ଜୀବନ
ବୁର୍ଲା: ବର୍ତ୍ତମାନ ବୁର୍ଲା ଭିମସାରରେ ଦୁଇଗୋଟି କୋଭିଡ଼ ଡ଼ାକ୍ତରଖାନା କାର୍ଯ୍ୟକ୍ଷମ ହୋଇଥିବା ବେଳେ ସେହି ଅନୁପାତରେ କରୋନା ରୋଗୀଙ୍କ ମୃତ୍ୟୁ ଘଟି ଚାଲିଛି। ଉଭୟ ଭିମସାରର କୋଭିଡ଼ ଡ଼ାକ୍ତରଖାନାରେ ଶୁକ୍ରବାର ଦିନ ୧୩ ଜଣ କରୋନା ରୋଗୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲାର ୭ ଜଣ ରେଢ଼ାଖୋଲର ୫୫ ବର୍ଷୀୟ ପୁରୁଷ, ଧନୁପାଲିର ୬୨ ବର୍ଷିୟା ବୃଦ୍ଧ, ରେଙ୍ଗାଲିର ୬୧ ବର୍ଷୀୟ ବୃଦ୍ଧ, ରେମେଡ଼ର ୪୧ ବର୍ଷିୟା ମହିଳା, ନାକଟିଦେଉଳର ୬୮ ବର୍ଷୀୟ ବୃଦ୍ଧ, ପଣ୍ଡରିପାଲିର ୬୦ ବର୍ଷୀୟ ବୃଦ୍ଧ ଏବଂ ରେଢ଼ାଖୋଲର ୨୬ ବର୍ଷୀୟ ଯୁବକ, ବରଗଡ଼ ଜିଲ୍ଲା ମେଲଛାମୁଣ୍ଡାର ୫୬ ବର୍ଷିୟା ମହିଳା, ବଲାଙ୍ଗିରର ୨ ଜଣ ଦେଓଗାଁର ୪୩ ବର୍ଷିୟା ମହିଳା ଏବଂ ଢ଼ିରିପାଲି ଗ୍ରାମର ୨୪ ବର୍ଷୀୟ ଯୁବକ, ଦେବଗଡ଼ର ୨ ଜଣ ଦାସଘରିଆର ୪୮ ବର୍ଷୀୟ ପୁରୁଷ ଏବଂ ଫଜରିଖମଣର ୪୩ ବର୍ଷୀୟ ଯୁବକ ଓ ସୋନପୁରର ଜଣେ ଜାମଖୋଲ ରେଙ୍ଗାଲିର ୪୫ ବର୍ଷୀୟ ପୁରୁଷଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି।
ଗତ ୧୩ଦିନରେ ମୃତ୍ୟୁସଂଖ୍ୟା ୧୮୧ରେ ଉପନିତ। ଗୁରୁତରଙ୍କୁ ସଠିକ ସମୟରେ ଭେଣ୍ଟିଲେଟର ଯୁକ୍ତ ଆଇସିୟୁ ଏବଂ ଅକ୍ସିଜାନ ସିଲିଣ୍ଡର ଉପଲବ୍ଧ ହୋଇ ନ ପାରିବା ନେଇ ଅଭିଯୋଗ ହେଉଛି। ଫଳରେ ରୋଗୀଙ୍କ ଅକାଳ ମୃତ୍ୟୁ ଘଟିବାକୁ ନେଇ ଅଭିଯୋଗ ହେଉଛି। ସଙ୍କୁଚିତ ପ୍ରଥମ କୋଭିଡ଼ ଡ଼ାକ୍ତରଖାନାର କୋଠାରେ ୧୭୦ରୁ ଊର୍ଦ୍ଧ୍ବ ଗୁରୁତର ରୋଗୀ ଚିକିତ୍ସାଧିନ ରଖାଯାଇଥିବା ବେଳେ ଦ୍ୱିତୀୟ କୋଭିଡ଼ ଡ଼ାକ୍ତରଖାନାରେ ସମୁଦାୟ ୫୮ରୁ ଊର୍ଦ୍ଧ୍ବ ଗୁରୁତର କରୋନା ରୋଗୀ ଚିକିତ୍ସା କରାଯାଉଛି।
ସୁଚନା ଥାଉକି, ପୁଣି ଗତ ଗୁରୁବାର ଦିନ ୧୦ ଜଣ, ବୁଧବାର ଦିନ ୧୨ଜଣ, ମଙ୍ଗଳବାର ଦିନ ୯, ସୋମବାର ଦିନ ୧୨ ଜଣ, ରବିବାର ଦିନ ୧୯ଜଣ, ଶନିବାର ଦିନ ୧୧ଜଣ, ଶୁକ୍ରବାର ଦିନ ୧୮ ଜଣ, ଗୁରୁବାର ଦିନ ୧୨ଜଣ, ବୁଧବାର ଦିନ ୧୬ ଜଣ, ମଙ୍ଗଳବାର ୧୩ ଜଣ, ସୋମବାର ଦିନ ୨୨ ଜଣ, ରବିବାର ଦିନ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ଦୃଷ୍ଟାନ୍ତ ରହିଛି। ବୁର୍ଲା ଭିମସାର କୋଭିଡ଼ ଡ଼ାକ୍ତରଖାନା ଗତ ଅକ୍ଟୋବର ମାସରୁ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଏଇ କିଛିଦିନ ତଳେ ଭିମସାରର ଦ୍ୱିତୀୟ କୋଭିଡ଼ ଡ଼ାକ୍ତରଖାନା ଆରମ୍ଭ ହୋଇଛି। ଆଜି ସୁଦ୍ଧା ସମୁଦାୟ ୬୭୧ରେ ବୁର୍ଲା ଭିମସାର କୋଭିଡ଼ ମୃତ୍ୟୁସଂଖ୍ୟା ପହଞ୍ଚିଛି।
Comments are closed.