www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ସଂକ୍ରମଣ ଭୟରେ ପାଖ ମାଡିଲେନି ଗ୍ରାମବାସୀ; ବିଜେଡି ନେତା ଓ ବ୍ଲକ କର୍ତ୍ତୃପକ୍ଷଙ୍କ ସହାୟତାରେ ହେଲା ଶବଦାହ

ଦେବଗଡ: କରୋନା ସଂକ୍ରମଣରେ ଜୀବନ ହାରିବା ପରେ ଦୀର୍ଘ ୧୫ ଘଣ୍ଟା ଧରି ମୃତଦେହ ଡାକ୍ତରଖାନା ଓ ନଦୀ ପଠାରେ ପଡିରହିଲା। ହେଲେ କାନ୍ଧ ଦେବା ଦୂରର କଥା ସଂକ୍ରମଣ ଭୟରେ କେହି ହେଲେ ପାଖ ମାଡିଲେ ନାହିଁ। ଶେଷରେ ଜିଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ବାରକୋଟ ବ୍ଲକ ବିଜେଡି ସଭାପତି ହୀରାଲାଲ ସାହୁ, ରିଆମାଳ ବ୍ଲକର ଅତିରିକ୍ତ ବିଡିଓ ଜିତୁରଞ୍ଜନ ଜେନା ଓ ସହକାରୀ ଯନ୍ତ୍ରୀ ମହେଶ କୁମାର ମାହାଲି ସେଠାରେ ପହଞ୍ଚି ଶବଦାହ ପ୍ରକ୍ରୀୟା ଶେଷ କରିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ରିଆମାଳ ବ୍ଲକ ଅନ୍ତର୍ଗତ ଗୁଣ୍ଡିଆପାଲି ଗ୍ରାମ ପଂଚାୟତ ସଦର ମହକୁମାର କେଶବ ଅମାନ୍ତଙ୍କ ପୁଅ ଅଭିଳାଶ ଅମାନ୍ତ କରୋନାରେ ସଂକ୍ରମିତ ହୋଇ ଘରେ ଚିକିତ୍ସିତ ହେଉଥିଲେ। ତେବେ ଗତକାଲି ସଂଧ୍ୟା ପ୍ରାୟ ୭ଟା ସମୟରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ହଠାତ ଗୁରୁତର ହୋଇପଡିବାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଛତାବର ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ରକୁ ନିଆଯାଉଥିଲା। ମାତ୍ର ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସକାଳ ପ୍ରାୟ ୮ଟା ସମୟରେ ଅଭିଳାଶଙ୍କ ମୃତଦେହକୁ ଡାକ୍ତରଖାନା ଗାଡିରେ ଗାଁକୁ ଅଣାଯାଇଥିଲେ ହେଁ ସଂକ୍ରମଣ ଭୟରେ ଘରକୁ ଅଣାନଯାଇ ଦାହ ନିମନ୍ତେ ଗ୍ରାମର ଗୋହୀରା ନଦୀ ପଠାରେ ରଖାଯାଇଥିଲା। ଏଣେ ଅଭିଳାଶଙ୍କ ମା’ କରୋନା ସଂକ୍ରମିତ ହୋଇ ଘରେ ଚିକିତ୍ସିତ ହେଉଥିବା ବେଳେ ବାପା ମଧ୍ୟ ଗାଁରେ ଅନୁପସ୍ଥିତ ଥିବାରୁ ଏକ ମାତ୍ର ସାନଭାଇ ଅପେକ୍ଷା ଅମାନ୍ତ ବଡ ଭାଇଙ୍କ ମୃତଦେହ ପାଖରେ ବସିରହି ଗ୍ରାମବାସୀଙ୍କ ସହ ଯୋଗକୁ ଆତୁରତାର ସହ ଚାହିଁ ବସିଥିଲେ। ମାତ୍ର କୌଣସି ଗ୍ରାମବାସୀ ଶବ ସଂସ୍କାର ନିମନ୍ତେ ଆଗେଇ ଆସିବା ଦୂରର କଥା ସଂକ୍ରମଣ ଭୟରେ ପାଖ ମଧ୍ୟ ମାଡିନଥିଲେ। ଫଳରେ ଅସହାୟ ହୋଇପଡିଥିବା ସାନଭାଇ ଅପେକ୍ଷା ସହାୟତା ନିମନ୍ତେ ଜିଲା ବିଜେଡି ସଭାପତି ରୋମାଂଚ ରଞ୍ଜନ ବିଶ୍ୱାଳ ଓ ରିଆମାଳ ବ୍ଲକ ପ୍ରଶାସନର ସହାୟତା ଲୋଡିଥିଲେ। ସୂଚନା ପାଇ ଜିଲା ବିଜେଡି ସଭାପତି ଶ୍ରୀ ବିଶ୍ୱାଳ, ବାରକୋଟ ବ୍ଲକ ବିଜେଡି ସଭାପତି ହୀରାଲାଲ ସାହୁ ଓ ୩ଜଣ ସହଯୋଗୀଙ୍କ ସହ ସେଠାରେ ପହଂଚିଥିଲେ। ରିଆମାଳ ବ୍ଲକର ବିଡିଓ ଦିବ୍ୟ ଶଙ୍କର ଜୟପୁରିଆଙ୍କ ନିର୍ଦ୍ଦେଶରେ ଅତିରିକ୍ତ ବିଡିଓ ଶ୍ରୀ ଜେନା ଓ ସହକାରୀ ଯନ୍ତ୍ରୀ ଶ୍ରୀ ମାହାଲି ମଧ୍ୟ ସେଠାରେ ପହଂଚି ଶବଦାହ ପାଇଁ ଆବଶ୍ୟକ କାଠ ଓ ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ।

- Advertisement -

ଏହି ଅବସରରେ ଜିଲା ବିଜେଡି ସଭାପତି ଶ୍ରୀ ବିଶ୍ୱାଳଙ୍କ ଅନୁରୋଧ କ୍ରମେ ଶବଦାହ ନିମନ୍ତେ କେତେକ ଗ୍ରାମବାସୀ କାଠ ଯୋଗାଇ ଦେଇଥିଲେ ହେଁ ସଂକ୍ରମଣ ଭୟରେ ପାଖକୁ ଆସିନଥିଲେ। ଶେଷରେ ୨ କାକା, ଜିଲା ବିଜେଡି ସଭାପତି, ବାରକୋଟ ବ୍ଲକ ବିଜେଡି ସଭାପତି, ଅତିରିକ୍ତ ବିଡିଓ, ସହକାରୀ ଯନ୍ତ୍ରୀ ଓ ୨ଜଣ କାକାଙ୍କ ଉପସ୍ଥିତିରେ ମୃତ ଯୁବକଙ୍କ ସାନଭାଇ ଅପେକ୍ଷା ପିପିଇ କିଟ ପରିଧାନ କରି ମୁଖାଗ୍ନି ଦେଇଥିଲେ। ଏହି ଶବଦାହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ରାଜନୈତିକ ଦଳର ପ୍ରତିନିଧି, ସରକାରୀ ଅଧିକାରୀ ଓ ମୃତକଙ୍କ ୨ କାକା ମଧ୍ୟ ପିପିଇ କିଟ୍ ପରିଧାନ କରିଥିଲେ। ବିଜେଡି ନେତା ଓ ବ୍ଲକ ପ୍ରଶାସନର ଏଭଳି ଉଦ୍ୟମକୁ ଜିଲାର ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories