www.samajalive.in
Sunday, December 7, 2025
26.1 C
Bhubaneswar

ଓମ୍ଫେଡ଼ର ଚାଷୀମାରଣ ନୀତି, ଲକଡ଼ାଉନରେ କ୍ଷୀର ନେବା ବନ୍ଦ

ଭୁବନେଶ୍ୱର: ବୁଧବାରଠାରୁ ଆରମ୍ଭ ହୋଇଥିବା ଲକଡ଼ାଉନ ଦୁଗ୍ଧଚାଷୀଙ୍କ ପାଇଁ ପୁଣିଥରେ ଦୁର୍ଦଶା ନେଇଆସିଛି। ଗତବର୍ଷ ଲକଡ଼ାଉନ, ସଟଡ଼ାଉନ ସମୟରେ ଓମଫେଡ଼ ସମେତ ବିଭିନ୍ନ ଦୁଗ୍ଧ ସଂଗ୍ରହକାରୀ କମ୍ପାନୀମାନେ ମାସମାସ ଧରି କ୍ଷୀର ସଂଗ୍ରହ କଲେ ନାହିଁ। ଚାଷୀ ବାଧ୍ୟ ହୋଇ କ୍ଷୀରକୁ ରାସ୍ତାରେ ଢାଳିଲେ। ଗାଈ, ଗୋରୁଙ୍କୁ ଖାଇବାକୁ ଦେଇନପାରି କିଛି ଚାଷୀ ମଧ୍ୟ ଶାଗ ମାଛ ମୂଲ୍ୟରେ ଗାଈ ବିକିବାକୁ ବାଧ୍ୟ ହେଲେ। ଏବର୍ଷ ପୁଣି ରାଜ୍ୟର ଦୁଗ୍ଧ ଚାଷୀମାନେ ସେହିଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଲକଡ଼ାଉନ ଆରମ୍ଭ ହେବା ପରେ ଓମଫେଡ଼ ସମେତ ବିଭିନ୍ନ ଦୁଗ୍ଧ କମ୍ପାନୀମାନେ ଚାଷୀଙ୍କ ଠାରୁ କ୍ଷୀର ନେବା ବନ୍ଦ କରିଦେଇଛନ୍ତି। ଗତକାଲି ଓମ୍ଫେଡ଼ର ଡ଼େପୁଟି ଜେନେରାଲ ମ୍ୟାନେଜରଙ୍କର ଦସ୍ତଖତରେ କଟକ, ସମ୍ବଲପୁର, ପୁରୀ, ଢେଙ୍କାନାଳ ଭଳି ସମସ୍ତ ଦୁଗ୍ଧ ମହାସଂଘକୁ ଚିଠି କରାଯାଇ ଚାଷୀଙ୍କ ଠାରୁ କ୍ଷୀର ନଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ରାଜ୍ୟର ୧୦ଲକ୍ଷ ଚାଷୀଙ୍କ ଭାଗ୍ୟ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। କରୋନା ସଂକ୍ରମଣ ସମୟରେ ତାଙ୍କ ଅର୍ଥନୀତି ଭୁଷୁଡ଼ି ପଡ଼ିଛି। ସେମାନେ କିପରି ପରିବାର ଚଳାଇବେ, ଗାଈ ଗୋରୁଙ୍କୁ ଏହି ସଙ୍କଟ ସମୟରେ କିଭଳି ଖାଇବାକୁ ଦେବେ ଏବଂ ଋଣ ଶୁଝିବେ, ସେଥିପାଇଁ ଚିନ୍ତାଜନକ ଅବସ୍ଥାରେ ପଡ଼ିଛନ୍ତି। ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି। ଏଠାରେ ଉଲ୍ଲେଖଥାଉକି, ୧୯୮୦ ଦଶକରେ ରାଜ୍ୟରେ ଓମ୍ଫେଡ଼ ସମବାୟ ସଂସ୍ଥା ଆରମ୍ଭ କରାଯାଇଥିଲା।

 

- Advertisement -

ଚାଷୀମାନଙ୍କୁ ନେଇ ଗୁଜୁରାଟର ଅମୁଲ ଢାଞ୍ଚାରେ ଗଢିଉଠିଥିବା ଓମ୍ଫେଡ଼ର ପ୍ରଥମ ଲକ୍ଷ୍ୟ ଓ ଆଭିମୁଖ୍ୟ ଥିଲା-ଓଡ଼ିଶାର ଦୁଗ୍ଧଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେବେ ନାହିଁ। ରାଜ୍ୟର ଖାଉଟିମାନେ ଉନ୍ନତମାନର ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଶସ୍ତା ଓ ସୁଲଭ ମୂଲ୍ୟରେ ହାତ ପାଆନ୍ତାରେ ପାଇପାରିବେ। ତୃତୀୟତଃ ଉନ୍ନତମାନର ଗୋ ମହିଷାଦି ଚାଷୀଙ୍କୁ ଯୋଗାଇ ଦିଆଯାଇ ଶ୍ୱେତ ବିପ୍ଲବକୁ ଓଡ଼ିଶାରେ ଆଗେଇ ନିଆଯାଇ ପାରିବ। ଯାହା ଫଲରେ ରାଜ୍ୟର ଗ୍ରାମ୍ୟ ଅର୍ଥନୀତି ସୁଦୃଢ ହେବା ସଙ୍ଗେ ସଙ୍ଗେ ଚାଷୀମାନେ ନିଜର ଜୀବନ ଜୀବିକା ପାଇଁ ଆଉ ଦାଦନ ଖଟିବାକୁ ଯିବେ ନାହିଁ। କିନ୍ତୁ ଦୁଃଖର କଥା ୨ ଲକ୍ଷ ୭୮ ହଜାର ଚାଷୀଙ୍କୁ ନେଇ ଗଢି ଉଠିଥିବା ଓମ୍ଫେଡ଼ ସଂସ୍ଥା ଆଜି ତାର ଲକ୍ଷ୍ୟ ଓ ଆଭିମୁଖ୍ୟରୁ ଦୂରେଇ ଯାଇଛି। ଦେଶ ଯେତେବେଳେ ସବୁଠାରୁ ବଡ଼ ସଙ୍କଟ ଭିତର ଦେଇ ଗତି କରୁଛି, ଲୋକମାନେ ଜୀବନ ଜୀବିକା ପାଇଁ ଡ଼ହଳ ବିକଳ ହେଉଛନ୍ତି, ସେହି ସମୟରେ ଓମଫେଡ଼ ଚାଷୀଙ୍କର ହାତ ଛାଡ଼ିଦେଇଛି। କ୍ଷୀର ନେବା ପରିବର୍ତ୍ତେ ଓମ୍ଫେଡ଼ ଆଜି ୨ ଲକ୍ଷ ୭୮ ହଜାର ପରିବାରକୁ ଦୁର୍ଦ୍ଦିନ ଭିତରକୁ ଠେଲି ଦେଇଛି। ଯାହାଫଳରେ ରାଜ୍ୟର ଦୁଗ୍ଧ ଚାଷୀମାନେ ଚିନ୍ତାଜନକ ଅବସ୍ଥାରେ ଅଛନ୍ତି। କିଭଳି ଗାଈ ଗୋରୁଙ୍କୁ ଖାଇବାକୁ ଦେବେ, କେମିତି ନିଜର ପରିବାର ପ୍ରତିପୋଷଣ କରିବେ ଏବଂ ଋଣ ଶୁଝିବେ ତାହା ଆଜି ଚାଷୀମାନଙ୍କୁ ଆତଙ୍କିତ କରିଛି। ଗତବର୍ଷର ସଙ୍କଟ ନ ଯାଉଣୁ ପୁଣି ଆଜିର ଏ ଯେଉଁ ସଙ୍କଟ ଆରମ୍ଭ ହୋଇଛି ତାହା ଚାଷୀଙ୍କୁ ଅଧିକ ଚିନ୍ତାରେ ପକାଇ ଦେଇଛି। ରାଜ୍ୟ ସରକାର ଗରିବ ଲୋକଙ୍କୁ ମାସିକ ଯେଭଳି ୫କେଜି ଲେଖାଏଁ ଚାଉଳ ଯୋଗାଇ ଦେଉଛନ୍ତି, ସେହିଭଳି ଓମ୍ଫେଡ଼ର ଚାଷୀମାନଙ୍କୁ ଦୁଇମାସ ପାଇଁ ଗୋଖାଦ୍ୟ ଯୋଗାଇ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି। ଏହା ବ୍ୟତୀତ ସର୍ବନିମ୍ନ ଦୁଇମାସ ପାଇଁ ଦୁଗ୍ଧଚାଷୀମାନଙ୍କୁ ସେମାନଙ୍କ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର କ୍ଷତି ଭରଣା କରିବା ପାଇଁ ଅନ୍ତତଃ ସର୍ବନିମ୍ନ ୫ ହଜାର ଟଙ୍କା କରି ସହାୟତା ରଶି ପ୍ରଦାନ କରିବାକୁ ଦୁଗ୍ଧଚାଷୀ ମହାସଂଘ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି। ତାନହେଲେ ରାଜ୍ୟର ୧୦ଲକ୍ଷ ଚାଷୀ ଦାଦନ ଭିତରକୁ ଠେଲି ହୋଇଯିବେ ବୋଲି ଆଶଙ୍କା ପ୍ରକାଶ ପାଇଛି। କୃଷିମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଦୁଗ୍ଧଚାଷୀଙ୍କର ଏହି ସମସ୍ୟାକୁ ହୃଦୟଙ୍ଗମ କରି ସହାନୁଭୂତି ମୂଳକ ପଦକ୍ଷେପ ନେବାକୁ ଶ୍ରୀ ବେହେରା ଦାବି କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories