www.samajalive.in
Monday, December 8, 2025
14.1 C
Bhubaneswar

କେଲୁଅ ସେତୁ ବିସ୍ଫୋରଣ ପ୍ରସଙ୍ଗ : ୨ ମାସରେ ତଦନ୍ତ ସାରିବାକୁ ଭିଜିଲାନ୍ସକୁ ଲୋକାୟୁକ୍ତଙ୍କ ନିର୍ଦେଶ

-ମାମୁ-ଭଣଜାଙ୍କ ବିରୋଧରେ ଅଭିଯୋଗ,-ବିଧାୟକ ପ୍ରଣବ ବଳବନ୍ତରାୟ ତଦନ୍ତ ପରିସରଭୁକ୍ତ, -ମାର୍ଚ୍ଚ ୧୨ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର : ଯାଜପୁର ଧର୍ମଶାଳା ଅନ୍ତର୍ଗତ କେଲୁଅ ସେତୁକୁ ଡିନାମାଇଟ ଲଗାଇ ବିସ୍ଫୋରଣ କରିବା ଘଟଣା ଏବେ ରୋଚକମୋଡ଼ ନେଇଛି। ଏହି ପ୍ରସଙ୍ଗରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ତାଙ୍କ ମାମୁ ତଥା କନିଷ୍ଠ ଯନ୍ତ୍ରୀ ନରେନ ଜେନାଙ୍କ ସମ୍ପୃକ୍ତି ଥିବା ସର୍ବେଶ୍ବର ବେହୁରାଙ୍କ ଅଭିଯୋଗକୁ ଆଧାର କରି ଲୋକାୟୁକ୍ତଙ୍କ ପକ୍ଷରୁ ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ନିର୍ଦେଶନାମା ଜାରି ହୋଇଛି। ଲୋକାୟୁକ୍ତ ଅଧ୍ୟକ୍ଷ ବିଚାରପତି ଡ. ଅଜିତ ସିଂହ ଉକ୍ତ ମାମଲାକୁ ତଦନ୍ତ କରିବା ଲାଗି ଭିଜିଲାନ୍ସ ମହାନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି। ଉକ୍ତ ଘଟଣାରେ ବିଧାୟକ ଶ୍ରୀ ବଳବନ୍ତରାୟ ଏବଂ ତାଙ୍କ ମାମୁଙ୍କ ବିରୋଧରେ ଯେଉଁ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ରହିଛି ତାହାକୁ ଟିକିନିଖି ତଦନ୍ତ କରିବା ପାଇଁ ବିଚାରପତି ଶ୍ରୀ ସିଂହ ଭିଜିଲାନ୍ସ ନିର୍ଦେଶକଙ୍କୁ ଦୁଇମାସ ସମୟ ଦେଇଛନ୍ତି। ଉକ୍ତ ମାମଲାର ଶୁଣାଣି ଅାସନ୍ତା ମାର୍ଚ୍ଚ ୧୩କୁ ରହିଛି। ଏହାପୂର୍ବରୁ ଭିଜିଲାନ୍ସ ପକ୍ଷରୁ ଜଣେ ଏସପି କିମ୍ବା ଅତିରିକ୍ତ ଏସପି ପାହ୍ୟାର ଅଧିକାରୀଙ୍କ ଦ୍ବାରା ତଦନ୍ତ କରାଇବାକୁ ନିର୍ଦେଶରେ ରହିଛି। ସବୁଠାରୁ ବଡ଼କଥା ହେଲା ଏନେଇ ଶ୍ରୀ ବେହୁରା ଲୋକାୟୁକ୍ତଙ୍କ ନିକଟରେ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନାମରେ ମାମଲା ରୁଜୁ ନକରି କେବଳ ଅଭିଯୋଗରେ ଦର୍ଶାଇଥିଲେ। ହେଲେ ଲୋକାୟୁକ୍ତଙ୍କ ପକ୍ଷରୁ ମାମଲାର ଗମ୍ଭୀରତାକୁ ନେଇ ବିଧାୟକ ଶ୍ରୀ ବଳବନ୍ତରାୟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି।
ଶ୍ରୀ ବେହୁରାଙ୍କ ଅଭିଯୋଗ ହେଲା ଯେ ୨୦୨୦ ଅଗଷ୍ଟ ୨୮ରେ ଯନ୍ତ୍ରୀ ଶ୍ରୀ ଜେନା ଓ କେତେକ ଦୁର୍ବୁତ୍ତ କେଲୁଅ ସେତୁକୁ ଜାଣିଶୁଣି ଡିନାମାଇଟ ଲଗାଇ ବିସ୍ଫୋରଣ କରିଥିଲେ। ଉକ୍ତ ସେତୁ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ କାର୍ଯ୍ୟ ନିମ୍ନମାନର ହୋଇଥିଲା। ଏନେଇ ପୂର୍ବରୁ ଅଭିଯୋଗ ରହିଥିବାବେଳେ ବନ୍ୟା ପରିସ୍ଥିତିର ସୁଯୋଗ ନେଇ ଏହି କାଣ୍ଡ କରିଥିବା ସେ ଦର୍ଶାଇଥିଲେ। ଏହାସହିତ ଶ୍ରୀ ଜେନା ବିଧାୟକଙ୍କ ମାମୁ ହୋଇଥିବାରୁ ସେଠାରେ ଦୀର୍ଘ ୧୪ବର୍ଷ ଧରି ରହି ବ୍ୟାପକ ବେଆଇନ କାର୍ଯ୍ୟରେ ଲିପ୍ତ ଅଛନ୍ତି। ଏମିତିକି କେଲୁଅ ସେତୁ ଲାଗି ଟେଣ୍ଡରର ନିର୍ଦ୍ଧାରିତ ପରିମାଣଠାରୁ ଅର୍ଥ ବୃଦ୍ଧି କରି ୨୧.୯୯କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି କାର୍ଯ୍ୟରେ ତତ୍କାଳୀନ ଜିଲାପାଳ, ପୂର୍ତ୍ତବିଭାଗ ନିର୍ବାହୀଯନ୍ତ୍ରୀ, ନିର୍ବାହୀଯନ୍ତ୍ରୀ (ରାସ୍ତା ଓ କୋଠାବାଡି) ସହଯୋଗ କରୁଥିଲେ। ଏହାସହିତ ସେତୁ ବିସ୍ଫୋରଣ ନେଇ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ତେବେ କେଲୁଅ ସେତୁ ଭାଙ୍ଗିବା ଯୋଗୁଁ ଶତାଧିକ ହେକ୍ଟର ଜଳମଗ୍ନ ହୋଇଥିଲା। ଲକ୍ଷାଧିକ ଚାଷୀଙ୍କ ଫସଲ ଉଜୁଡ଼ି ଯାଇଥିଲା। ଅନ୍ୟପକ୍ଷରେ ତତ୍କାଳୀନ ମୁଖ୍ୟଶାସନ ସଚିବ ଅସିତକୁମାର ତ୍ରିପାଠୀ କେଲୁଅ ସେତୁରେ ଘାଇକୁ ମନୁଷ୍ୟକୃତ ବୋଲି ଗଣମାଧ୍ୟମକୁ ସ୍ପଷ୍ଟ କରିଥିଲେ। ତେବେ ଏହି ଘଟଣା ଦୀର୍ଘଦିନ ବିତିଯାଇଥିଲେ ବି ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଶ୍ରୀ ବେହୁରା ଲୋକାୟୁକ୍ତଙ୍କୁ ଗୁହାରି କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories