ପ୍ରକୃତି ସମର୍ପି ଦେଇଛି ଏଠାରେ ନିଜର ସୌନ୍ଦର୍ଯ୍ୟ ; ପ୍ରଶଂସା ସାଉଁଟୁଛି ଏହି ପର୍ଯ୍ୟଟନସ୍ଥଳୀ
କେନ୍ଦୁଝର ଜିଲାର ବଡ଼ବିଲ ତହସିଲର ଦାମପୁର ଗ୍ରାମରେ ମିରିଗିିସିଙ୍ଗା ପିକନିକ ସ୍ପଟ ରହିଛି। ବୈତରଣୀ ନଦୀକୂଳରେ ଥିବା ଏହି ସ୍ଥାନଟି ଏକ ମୁଖ୍ୟ ପର୍ୟ୍ୟଟନସ୍ଥଳୀ ପାଲଟିଛି। ଏଠାକାର ପ୍ରାକୃତିକ ସୌନ୍ଦର୍ୟ୍ୟ ସଭିଁଙ୍କୁ ବେଶ୍ ଆତ୍ମବିଭୋର କରିଥାଏ। ଏହାର ନିକଟରେ ବାବା ଝାଡ଼େଶ୍ୱର ଶୈବପୀଠ ରହିଛି। ଏହି ଶୈବପୀଠରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ନଦୀକୂଳରେ ଥିବା ବିଶାଳ ଆକାରର ପ୍ରସ୍ତରଖଣ୍ଡ ବଣଭୋଜି ପାଇଁ ବେଶ ଆକର୍ଷଣୀୟ ଅଟେ। ବହୁ ଲୋକେ ଏଠାକୁ ଆସି ବଣଭୋଜି କରିଥାଆନ୍ତି। ଝରଣାର ଶବ୍ଦ ଓ ଏହାର ସୁନ୍ଦର ରୂପ ସଭିଁଙ୍କ ମନମୁଗ୍ଧ କରିଥାଏ । କେନ୍ଦୁଝର ଜିଲାର ଚମ୍ପୁଆ ଉପଖଣ୍ଡ, ଯୋଡ଼ା ବ୍ଲକ, ବଡ଼ବିଲ ଓ ଆଖପାଖ ଅଞ୍ଚଳର ବିଭିନ୍ନ ପ୍ରାନ୍ତରୁ ତଥା ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟରୁ ମଧ୍ୟ ପିକନିକ ନିମନ୍ତେ ଏଠାକୁ ପର୍ୟ୍ୟଟକମାନେ ଆସିଥାଆନ୍ତି। ପାହାଡ଼, ପଥର , ଝରଣା, ସବୁଜ ବନାନୀ ବେଷ୍ଟିତ ପ୍ରାକୃତିକ ପରିବେଶ ହୃଦୟକୁ ଆନନ୍ଦବିଭୋର କରିଦିଏ। ପ୍ରକୃତିର ନିଜର ସମସ୍ତ ସୌନ୍ଦର୍ୟ୍ୟ ଯେପରି ଏଠାରେ ଅଜାଡ଼ି ଦେବା ଭଳି ଅନୁଭବ ହୋଇଥାଏ। ତେଣୁ ଏହି ସୁନ୍ଦର ଓ ରମଣୀୟ ସ୍ଥାନରେ ଏହି ପର୍ୟ୍ୟଟନ ଋତୁରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ।
ମାଲକାନଗିରି ଜିଲା ଖଇରପୁଟ ବ୍ଲକ ନିକଟରେ ଅବସ୍ଥିତ ବଣ୍ଡାଘାଟି ହେଉଛି ଏକ ନିଆରା ପର୍ୟ୍ୟଟନସ୍ଥଳୀ। ବଣ୍ଡା ଜନଜାତି ଲୋକଙ୍କ ସଂସ୍କୃତି, ପରମ୍ପରା ସହ ବଣ, ପାହାଡ଼, ଝରଣା ଆଦି ପ୍ରାକୃତିକ ମନୋରମ ପରିବେଶ ମଧ୍ୟରେ ଅବସ୍ଥିତ ପୁରାଣ ବର୍ଣ୍ଣିତ ସୀତାକୁଣ୍ଡ ଘାଟି ଏଠାକାର ମୁଖ୍ୟ ଆକର୍ଷଣ। ଲୋକକଥା ଅନୁଯାୟୀ, ପ୍ରଭୁ ରାମଚନ୍ଦ୍ର ୧୪ ବର୍ଷ ବନବାସ ମଧ୍ୟରୁ ଗୋଟିଏ ବର୍ଷ ଏଠାରେ ଅତିବାହିତ କରିଥିଲେ। ଏକ ଝରଣା କୁଣ୍ଡରେ ମାତା ସୀତା ସ୍ନାନ କରୁଥିବାରୁ ସେହି କୁଣ୍ଡଟିକୁ ହିଁ ସୀତାକୁଣ୍ଡ ନାମରେ ନାମିତ କରାଯାଇଛି। ଏଠାରେ ମା’ସୀତାଙ୍କ ପାଦ ଚିହ୍ନ ମଧ୍ୟ ରହିଛି। ଏହି କୁଣ୍ଡରେ ବର୍ଷସାରା ଜଳ ପ୍ରବାହିତ ହୋଇଥାଏ। ଏହି କୁଣ୍ଡକୁ ଦେଖିବା ପାଇଁ ଏଠାରେ ବହୁ ଲୋକଙ୍କ ଭିଡ଼ ଜମିଥାଏ। ବଣ୍ଡା ସମ୍ପ୍ରଦାୟ ଲୋକଙ୍କ ପାଇଁ ଏହା ପୁଣ୍ୟପୀଠ ଅଟେ। ସୀତାକୁଣ୍ଡ ନିକଟରେ ରହିଛି ଇଷ୍ଟଦେବତା ପାଟଖଣ୍ଡା। ପ୍ରଭୁ ରାମଚନ୍ଦ୍ର ବନବାସ ସମୟରେ ସୁରକ୍ଷା ପାଇଁ ବଣ୍ଡା ସମ୍ପ୍ରଦାୟକୁ ଏହି ଖଣ୍ଡା ପ୍ରଦାନ କରିଥିବା ପ୍ରଚଳିତ କିମ୍ବଦନ୍ତୀରୁ ଜଣାପଡ଼େ। ପ୍ରତିବର୍ଷ ମାଘ ପୂର୍ଣ୍ଣିମାରେ ବଣ୍ଡା ସମ୍ପ୍ରଦାୟର ଲୋକେ ଏହି ଖଣ୍ଡାକୁ ପୂଜା କରିଥାଆନ୍ତି।
ବଣ୍ଡାମାନଙ୍କ ବେଶଭୂଷା, ପର୍ବପର୍ବାଣି, ପ୍ରକୃତିର କୋଳରେ ନିଜେ ଜଡ଼ିତ ହୋଇ ପ୍ରକୃତି କୋଳରେ ବଞ୍ଚିବାର ଭିନ୍ନ ଭିନ୍ନ ଜୀବନଶୈଳୀ ବିଷୟରେ ଜାଣିବାକୁ ପର୍ୟ୍ୟଟକ ତଥା ବିଶେଷଜ୍ଞ ସର୍ବଦା ଜାଣିବାକୁ ଇଚ୍ଛୁକ ଥାଆନ୍ତି। ବଣ୍ଡାଜାତିର ମହିଳାମାନେ ପରିଧାନ କରୁଥିବା ବଳା, ଖଡ଼ୁ, ମାଳି ବେଶ ଆକର୍ଷଣୀୟ ଅଟେ। ବଣ୍ଡା ଜାତିର ପାହାଡ଼ ଶୀର୍ଷର ସେମାନଙ୍କ ଅଧିଷ୍ଠାତ୍ରୀ ଦେବୀ ଡ଼ାଲଖାଇ ଠାକୁରାଣୀ ପୂଜା ପାଉଛନ୍ତି। ବଣ୍ଡା ସମ୍ପ୍ରଦାୟର ପର୍ବପର୍ବାଣି ପରି ବଣ୍ଡା ପାହାଡ଼ ଈଶ୍ୱରୀୟ ପୂଜାବିଧି ମଧ୍ୟ ଭିନ୍ନ ଅଟେ। ଦେବୀଙ୍କ ନିକଟରେ କେବଳ ଗଛର ଡ଼ାଳ ହିଁ ଭୋଗ ଲାଗିଥାଏ। ସୀତାକୁଣ୍ଡ ,ବଣ୍ଡା ସମ୍ପ୍ରଦାୟର ଲୋକଙ୍କ ଜୀବନଶୈଳୀ ସହ ପ୍ରକୃତିର ସୌନ୍ଦର୍ୟ୍ୟ ଏଠାକାର ସ୍ୱତନ୍ତ୍ରତାକୁ ବଜାୟ ରଖିଛି।
Comments are closed.