Patra electronics

୨୦ ବର୍ଷରେ ଗଲାଣି ୨୦ ଲକ୍ଷ ଜୀବନ, ହୃଦଘାତ ସ୍ଥିତି ହେଉଛି ଅସମ୍ଭାଳ

୨୦୦୦ ମସିହାରୁ ୨୦୨୦ ପର୍ଯ୍ୟନ୍ତ, ଗତ ୨୦ ବର୍ଷ ମଧ୍ୟରେ ଭାରତରେ ସର୍ବାଧିକ ମୃତ୍ୟୁ ହୃଦଘାତରେ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଗତ ୨୦ ବର୍ଷ ମଧ୍ୟରେ ହୃଦଘାତରେ ୨୦ ଲକ୍ଷରୁ ଅଧିକ ମୃତ୍ୟୁ ଘଟିଛି। ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଦ୍ୱାରା ଜାରି ରିପୋର୍ଟରେ କୁହାଯାଇଛି ଯେ ଉଚ୍ଚ ରକ୍ତଚାପ ଏବଂ ଅଖାଦ୍ୟ ହେଉଛି ଦେଶରେ ହୃଦଘାତର ବୃଦ୍ଧି ହେବାର ମୁଖ୍ୟ କାରଣ। ଧୂମପାନ କରୁଥିବା ଲୋକଙ୍କ ମଧ୍ୟରୁ ୮୩ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ହୃଦଘାତର ଆଶଙ୍କା ଅଧିକ ଥାଏ। ତେବେ ନିକଟରେ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଦେଶରେ ଲୋକଙ୍କ ଧୂମପାନ ଅଭ୍ୟାସ ହ୍ରାସ ପାଉଛି।

ଲାନସେଟ୍ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଗ୍ରାମାଞ୍ଚଳରେ ହୃଦ୍ ରୋଗର ମାତ୍ରା ବୃଦ୍ଧି ପାଉଛି। ହୃଦଘାତରେ ପୁରୁଷଙ୍କ କ୍ଷେତ୍ରରେ ୪୦ ପ୍ରତିଶତ ଏବଂ ମହିଳାମାନଙ୍କଠାରେ ୫୬ ପ୍ରତିଶତ ବୃଦ୍ଧି ଘଟିଛି। ତାମିଲନାଡୁ, କର୍ଣ୍ଣାଟକ, ପଞ୍ଜାବ ଏବଂ ହରିୟାଣାରେ ହୃଦଘାତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ। ଏଥି ସହିତ ଉତ୍ତର ପୂର୍ବ, ପଶ୍ଚିମବଙ୍ଗ, ଛତିଶଗଡରେ ମଧ୍ୟ ହୃଦଘାତ ଯୋଗୁଁ ସର୍ବାଧିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

୨୦୧୬ ମସିହାରେ ସାର୍ବଜନୀନ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ସହରାଞ୍ଚଳର ୫୮ ପ୍ରତିଶତ ଡାକ୍ତରଙ୍କର ମେଡିକାଲ ଡିଗ୍ରୀ ଥିବାବେଳେ ଗ୍ରାମାଞ୍ଚଳରେ ଏହି ସଂଖ୍ୟା ମାତ୍ର ୧୯ ପ୍ରତିଶତ। ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ତଥ୍ୟ ଅନୁଯାୟୀ, ଭାରତର ବିଭିନ୍ନ ଗ୍ରାମାଞ୍ଚଳରେ ଥିବାପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ ମଧ୍ୟରୁ ୮ ପ୍ରତିଶତ ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ୬୧ ପ୍ରତିଶତ ଡାକ୍ତରଖାନାରେ ଜଣେ ମାତ୍ର ଡାକ୍ତର ରହିଛନ୍ତି। ଗ୍ରାମାଞ୍ଚଳରେ ହୃଦଘାତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା କାରଣଗୁଡିକ ମଧ୍ୟରେ ଅର୍ଥାଭାବ, ସ୍ୱାସ୍ଥ୍ୟ ସୁବିଧା ଏବଂ ପରାମର୍ଶର ଅଭାବ ଓ ଧୂମପାନ ରହିଛି।

ତେବେ ନିଜେ ସଚେତନ ହେଲେ ଏବଂ କେତୋଟି ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ହୃଦଘାତରୁ ନିଜକୁ ରକ୍ଷା କରାଯାଇପାରିବ।
୧. ଶୀତଦିନେ ଗହମ ରୁଟି ବଦଳରେ ବାଜରା ରୁଟି ଖାଇବା ଓ ଆମ୍ବ ଓ କଦଳୀ ଭଳି ମିଠା ଫଳ ଅଳ୍ପ ଖାଆନ୍ତୁ।
୨. ତ୍ୱାଧିକା ତୈଳଯୁକ୍ତ ଏବଂ ମିଠା ଜିନିଷ ଯେତେ କମ୍ ଖାଇବେ ସେତେ ଭଲ। ଭୋକ ଅପେକ୍ଷା ୨୦ ପ୍ରତିଶତ କମ୍ ଖାଆନ୍ତୁ ଏବଂ ପ୍ରତି ୧୫ ଦିନରେ ଓଜନ ଯାଞ୍ଚ କରନ୍ତୁ।
୩. ମେଦବହୁଳତା ହୃଦରୋଗର ଏକ ପ୍ରମୁଖ କାରଣ ତେଣୁ ଓଜନ ବୃଦ୍ଧି ପାଇଲେ ହୃଦରୋଗର ଆଶଙ୍କା ମଧ୍ୟ ଅଧିକ ହୋଇଥାଏ ତେଣୁ ସପ୍ତାହରେ ପାଞ୍ଚ ଦିନ ୪୫ ମିନିଟ୍ ବ୍ୟାୟାମ କରନ୍ତୁ। ଦୈନିକ ଚାଲିବା ଅଭ୍ୟାସ କରନ୍ତୁ।
୪. କରୋନା ସମୟରେ ଅଧିକ ସତର୍କ ହୁଅନ୍ତୁ, ମାସ୍କ ପିନ୍ଧନ୍ତୁ, ହାତ ସଫା କରନ୍ତୁ ଓ ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରୁହନ୍ତୁ।
୫. ପ୍ରତିଦିନ ଅତି କମରେ ୭ ଘଣ୍ଟା ଶୋଇବା ଉଚିତ୍। ଶୀଘ୍ର ଶୋଇବା ଏବଂ ଶୀଘ୍ର ଉଠିବା ଉଚିତ।
୬. ଧୂମପାନ ଏବଂ ମଦ୍ୟପାନ ଛାଡିବା ଭଲ।
୭. ଯେତେ ସମ୍ଭବ ଶାନ୍ତ ରହନ୍ତୁ କାରଣ ଅତ୍ୟଧିକ ଚିନ୍ତା ମଧ୍ୟ ହୃଦରୋଗର କାରଣ ହୋଇପାରେ।
୮. ଯୋଗାଭ୍ୟାସ କରନ୍ତୁ କିନ୍ତୁ ଏ ବିଷୟରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
୯. ମୋବାଇଲ ଫୋନ ମାଧ୍ୟମରେ ବିଭିନ୍ନ ଆପରେ ଏ ନେଇ ଦିଆଯାଉଥିବା ପରାମର୍ଶ ସବୁ ଆପଣେଇବା ପୂର୍ବରୁ ଭଲଭାବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Comments are closed.