ଭୁବନେଶ୍ବର : ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏବେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ୍ ସେମାନଙ୍କ ଛାତ୍ର ଓ ଯୁବ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ ଲାଗି ପଡ଼ିଲେଣି। ନିକଟରେ ଛାତ୍ର ବିଜେଡି ଓ ଛାତ୍ର କଂଗ୍ରେସ୍ର ନୂଆ ସଭାପତି ନିଯୁକ୍ତ ହୋଇଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ମଧ୍ୟ ଆସନ୍ତା ଜାନୁଆରୀ ଶେଷ କିମ୍ବା ଫେବୃଆରୀ ପ୍ରଥମ ସପ୍ତାହରେ ନୂଆ ସଭାପତି ଏବଂ ସମ୍ପାଦକ ନିଯୁକ୍ତ କରାଯିବ।
ଛାତ୍ର ବିଜେଡିର ନୂତନ ସଭାପତି ଭାବେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କୁ କିଛି ଦିନ ପୂର୍ବେ ନିଯୁକ୍ତି ମିଳିବା ପରେ ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବାକୁ ସେ ପ୍ରୟାସ ଆରମ୍ଭ ହୋଇଛି। ଆସନ୍ତା ୨୩ରେ ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଜାନୁଆରୀ ୨୦ରୁ ୩୦ ତାରିଖ ମଧ୍ୟରେ ୬ ହଜାର ୭ଶହ ପଞ୍ଚାୟତରେ ନୂଆ ପଞ୍ଚାୟତ କମିଟି ଗଠନ କରାଯିବ। ଶିକ୍ଷାନୁଷ୍ଠାନ ଖୋ ଲିବା ପରେ କ୍ୟାମ୍ପସ୍ କମିଟି ଘୋଷଣା କରାଯିବ। ଭୋଟର ତାଲିକାରେ ନୂଆ ବିଦ୍ୟାର୍ଥୀଙ୍କ ନାମ ପଞ୍ଜୀକରଣ ସହ ସେମାନଙ୍କୁ ବିଜେଡ଼ିରେ ଯୋଡିବାକୁ ରଣନୀତି ପ୍ରସ୍ତୁତ କରାଯାଉଛି। ଜାନୁଆରୀରୁ ଛାତ୍ରଛାତ୍ରୀଙ୍କ ହକ୍ ଓ ରାଜ୍ୟର ସ୍ବାର୍ଥକୁ ମୁଖ୍ୟ ପ୍ରସଙ୍ଗ କରି ନୂଆବର୍ଷରୁ ସଙ୍ଗଠନର ସ୍ବରକୁ ଅଧିକ ଶାଣିତ କରିବ ଛାତ୍ର ବିଜେଡ଼ି।
ଏବିଭିପି ପକ୍ଷରୁ ଗତବର୍ଷ କ୍ୟାମ୍ପସ୍, ରାଜ୍ୟ, ରାଷ୍ଟ୍ରୀୟ କମିଟି ସହ ମୋଟ ୭୩ଟି ନଗର ଶାଖା କମିଟି ଥିଲା। ରାଜ୍ୟରେ ସଙ୍ଗଠନକୁ ସୁଦୃଢ କରିବା ସହ ଛାତ୍ରଛାତ୍ରୀଙ୍କ ବିଶ୍ବାସଭାଜନ ହେବାକୁ ଏଥର ୧୫୦ ନଗର ଶାଖା କମିଟି ଗଠନ କରିବାକୁ ଲକ୍ଷ୍ୟ ରହିଛି। ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ରଙ୍କ ନେତୃତ୍ବରେ ଏପର୍ୟ୍ୟନ୍ତ ଶହେ କମିଟି ଗଠନ ସରିଥିବାବେଳେ ନୂଆ ରାଜ୍ୟ କମିଟି ଘୋଷଣା ପୂର୍ବରୁ ୧୫୦ ଶାଖା କମିଟିରେ ସଭାପତିଙ୍କ ସମେତ ଅନ୍ୟ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରହିଛି। ସଙ୍ଗଠନ ପକ୍ଷରୁ ଚଳିତଥର ମେଡିକାଲ, କୃଷି, ସାମ୍ବାଦିକତା, ଇଞ୍ଜିନିୟରିଂ ଭଳି ଛାତ୍ରଛାତ୍ରୀଙ୍କୁ ସଙ୍ଗଠନରେ ସାମିଲ କରାଯିବା ସହ ନୂଆ ୟୁନିଟ୍ ଗଠନ କରାଯାଉଛି।
ସେହିପରି କିଛି ଦିନ ପୂର୍ବେ ଛାତ୍ର କଂଗ୍ରେସ୍ର ନୂଆ ସଭାପତି ଭାବେ ୟାସିର ନୱାଜଙ୍କୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ନୱାଜ ସଭାପତି ଦାୟିତ୍ବ ନେବା ୨ ଦିନ ପୂର୍ବେ କମ୍ପନ୍ ସମାବେଶ ଜରିଆରେ ଶକ୍ତିପ୍ରଦର୍ଶନ କରିଛନ୍ତି। ଦଳର ପ୍ରଭାରୀ, ବିଧାୟକ, ବରିଷ୍ଠ ନେତା, ଯୁବ ନେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ବରକୁ ଶାଣିତ କରାଯାଇଛି। ଆଗାମୀଦିନରେ ଉଭୟ ନବୀନ ସରକାର ଓ ମୋଦୀ ସରକାରଙ୍କ ବିରୋଧରେ ଛାତ୍ର କଂଗ୍ରେସ୍ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ନୂଆବର୍ଷରୁ ନୂଆ ଆଭିମୁଖ୍ୟ ନେଇ ସଙ୍ଗଠନକୁ କ୍ରିୟାଶୀଳ କରି ନୂଆ ବିଦ୍ୟାର୍ଥୀ ଦଳରେ ସାମିଲ ପାଇଁ ତିନି ଦଳ ପ୍ରୟାସ କରୁଛନ୍ତି। ତେବେ କେଉଁ ଦଳ ଛାତ୍ରଛାତ୍ରୀଙ୍କ ବିଶ୍ବାସଭାଜନ ହେବ ତାହା ନୂଆବର୍ଷରେ ହିଁ ଜଣାପଡ଼ିବ।



