ନୟାଗଡ଼ : ପରୀ ହତ୍ୟାକାଣ୍ଡ ଘଟଣାର ଏସ୍ଆଇଟି ତଦନ୍ତ ଚାଲିଥିବାବେଳେ ଏହାକୁ ବିରୋଧ କରିଛନ୍ତି ଯଦୁପୁର ଗାଁର କିଛି ଲୋକ। ଗ୍ରାମର ମୁଖ୍ୟ ପ୍ରବେଶ ପଥରେ ଗ୍ରାମବାସୀ ବାଉଁଶଦ୍ୱାରା ବାଡ଼ ପକାଇ ଦେଇଛନ୍ତି। ଏଥିନେଇ ଉତ୍ତେଜନା ଲାଗି ରହିଛି।
ଉଲ୍ଲେଖଯୋଗ୍ୟ ଯେ, ପରୀ ହତ୍ୟାକାଣ୍ଡକୁ ନେଇ ଯଦୁପୁର ଗ୍ରାମରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସବର୍ଣ୍ଣ ଲୋକ ଗୋଟିଏ ପକ୍ଷରେ ଥିବାବେଳେ ଅନୁସୂଚିତ ଜାତି(ଖଦାଳ)ର ଲୋକ ଅନ୍ୟପକ୍ଷରେ ରହିଛନ୍ତି। ପୂର୍ବରୁ ଏସ୍ଆଇଟି ଏହି ଗ୍ରାମର ପ୍ରାୟ ୨୭ ଲୋକଙ୍କ ରକ୍ତନମୁନା ସଂଗ୍ରହ କରିଥିଲା ବେଳେ ଆଜି ପ୍ରାୟ ୧୮ ଲୋକଙ୍କ ନମୁନା ସଂଗ୍ରହ କରିଥିଲା। ଏ ପରିପ୍ରେକ୍ଷୀରେ ଆଜି ଏସ୍ଆଇଟି ଟିମ୍ ଖଦାଳ ସାହି ଆସି କେତେକ ଲୋକଙ୍କୁ ପଚାରଉଚାର କରିଥିଲେ। ପରବର୍ତ୍ତୀ ସମୟରେ ଏହି ସାହିର ଜଣେ ଯୁବକଙ୍କୁ ଉଠାଇ ନେବାକୁ କେନ୍ଦ୍ରକରି ସମ୍ପୃକ୍ତ ସାହିରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏସ୍ଆଇଟିର ଏଭଳି କାର୍ଯ୍ୟକୁ ବିରୋଧ କରି ଖଣ୍ଡପଡ଼ା-ନୟାଗଡ଼ ମୁଖ୍ୟରାସ୍ତାରୁ ଯଦୁପୁର ଗ୍ରାମକୁ ଯାଇଥିବା ରାସ୍ତାରେ ବାଉଁଶବାଡ଼ ପକାଇ ଖଦାଳସାହି ଲୋକ ରାସ୍ତା ଅବରୋଧ କରିଥିଲେ।
ସୂଚନାଯୋଗ୍ୟ ଯେ ଏସ୍ଆଇଟି ପକ୍ଷରୁ ଆଜି ସ୍ଥାନୀୟ ସରପଞ୍ଚ ଇଞ୍ଜିନିୟର ସୌମ୍ୟରଞ୍ଜନ ପ୍ରଧାନଙ୍କ ଗ୍ରାମ ରାଉତରାୟପୁରର କେତେକ ଲୋକଙ୍କୁ ପଚାରଉଚାର କରାଯାଇଥିଲା। କିଛି ଗ୍ରାମବାସୀ କହିଛନ୍ତି ପୁଲିସ ପାଇଁ ଆମ ଗାଁ ବଦନାମ ହୋଇଗଲାଣି। ଏଯାବତ ପରୀକୁ ନ୍ୟାୟ ମିଳି ନାହିଁ। ପ୍ରକୃତ ଦୋଷୀକୁ ପୁଲିସ ନ ଧରି ଗ୍ରାମବାସୀଙ୍କୁ ହଇରାଣ କରୁଛି। ଫଳରେ ଗ୍ରାମବାସୀ ଶାନ୍ତିରେ ରହିପାରୁ ନାହାନ୍ତି। ଆଜି ପ୍ରଥମାଷ୍ଟମୀ ଭଳି ପବିତ୍ର ଦିନରେ ପୁଲିସ ଗ୍ରାମକୁ ଆସିବା ଯୋଗୁଁ ଅସନ୍ତୋଷ ଦେଖା ଦେଇଛି। ଘଟଣାକୁ ୫ ମାସ ବିତିଯାଇଥିଲେ ମଧ୍ୟ କାହିଁକି ପୁଲିସ ଅପରାଧୀକୁ ଧରିପାରୁ ନାହିଁ ସେନେଇ ଗ୍ରାମବାସୀ ପ୍ରଶ୍ନ ଉଠାଉଛନ୍ତି। ପରୀ ହତ୍ୟା ଘଟଣାକୁ ନେଇ କେତେକ ରାଜନୈତିକ ଦଳ ସେମାନଙ୍କର ଫାଇଦା ଉଠାଇ ଚାଲିଛନ୍ତି ା ଆମେ ଆଉ କାହାକୁ ବି ଗ୍ରାମ ଭିତରକୁ ପ୍ରବେଶ କରାଇଦେବୁ ନାହିଁ ବୋଲି ସେମାନେ କହିଛନ୍ତି।
ଅନ୍ୟପକ୍ଷରେ ଅଭିଯୁକ୍ତର ଗିରଫ ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିଜେପି ପକ୍ଷରୁ ଚାଲିଥିବା ଗଣଧାରଣା ଚତୁର୍ଥ ଦିନରେ ପହଞ୍ଚିଛି। ବିଜେପି ଜିଲା ସଭାପତି ଲାଲା ମନୋଜ ରାୟଙ୍କ ନେତୃତ୍ବରେ ଆଜି ଅନୁଷ୍ଠିତ ପ୍ରତିବାଦ ସଭାରେ ବିଜେପି ନେତା ବିଭୁ ତରାଇ, ପିଙ୍କି ପ୍ରଧାନ, ସନ୍ତୋଷ ପ୍ରଧାନ, ପ୍ରଭାତ ଷଡଙ୍ଗୀ, ଦୁର୍ଯୋଧନ ପାଇକରାୟ, ଲକ୍ଷ୍ମୀଧର ତ୍ରୀପାଠୀ, ଇରାନୀ ରାୟ ପ୍ରମୁଖ ସାମିଲ ହୋଇ ସରକାରଙ୍କୁ କଟୁ ସମାଲୋଚନା କରିବା ସହ ସିବିଆଇ ତଦନ୍ତ ଓ ଅରୁଣ ସାହୁଙ୍କ ଇସ୍ତଫା ଦାବିକରିଥିଲେ ା



