www.samajalive.in
Monday, December 15, 2025
24.1 C
Bhubaneswar

ପରୀ ହତ୍ୟାକାଣ୍ଡ ପ୍ରସଙ୍ଗ: ଓଡ଼ିଶା ସୂଚନା ଅଧିକାର ଅଭିଯାନର ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ, ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ପରୀ ହତ୍ୟାକାନ୍ତ ପ୍ରସଙ୍ଗକୁ ନେଇ ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପରୀ ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ, ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର, ସୌମ୍ୟରଞ୍ଜନ ପ୍ରଧାନଙ୍କୁ ସୁରକ୍ଷା ଯୋଗାଇଦେବା ଦାବିରେ ଓଡ଼ିଶା ସୂଚନା ଅଧିକାର ଅଭିଯାନର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ବୋଲି ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ସୂଚନା ଦେଇଛନ୍ତି।

ଓଡ଼ିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ କହିଛନ୍ତି ଯେ ଦୀର୍ଘ ସାଢେ ଚାରିମାସର ଅବିଶ୍ରାନ୍ତ ଲଢେଇ, ବିଭିନ୍ନ ସାମାଜିକ କର୍ମୀମାନଙ୍କର ଲଗାତର ଆନ୍ଦୋଳନ, ପରୀ ବାପାମାଆଙ୍କର ନ୍ୟାୟ ପାଇଁ ବାରମ୍ବାର ପୁଲିସ୍ ପ୍ରଶାସନ ନିକଟରେ ଅଭିଯୋଗ, ସର୍ବଶେଷରେ ବିଧାନସଭା ସମ୍ମୁଖରେ ବାପାମାଙ୍କ ଆତ୍ମହୁତି ପାଇଁ ପଦକ୍ଷେପ ନେବା ଏବଂ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରାଜ୍ୟ ସରକାର ବାଧ୍ୟ ହୋଇ ପରୀ ହତ୍ୟାକାଣ୍ଡର ଏସ୍ଆଇଟି ତଦନ୍ତ ନିର୍ଦେଶ ଦେଇଛନ୍ତି। କିନ୍ତୁ ଏହି ଏସ୍ଆଇଟି ତଦନ୍ତ ଦ୍ୱାରା ପରୀ ପରିବାର କେତେଦୂର ନ୍ୟାୟ ପାଇବ, ତାହା ସନ୍ଦେହ ରହିଛି। ଅତୀତରେ ବିଭିନ୍ନ ଘଟଣା ଯଥା କୁନ୍ଦୁଲି ବଳାତ୍କାର ଓ ଆତ୍ମହତ୍ୟା, କନ୍ଧମାଳର ଗୁମୁଡ଼ୁମୁହାଁ ହତ୍ୟାକାଣ୍ଡ ଇତ୍ୟାଦିର ଏସ୍ଆଇଟି ତଦନ୍ତ କ୍ଷତିଗ୍ରସ୍ତ ପରିବାର ନ୍ୟାୟ ପାଇପାରି ନାହାଁନ୍ତି। ତେଣୁ ପରିବାର ଲୋକଙ୍କ ତରଫରୁ ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିକୁ ଆମ୍ଭେ ସମର୍ଥନ କରୁଛୁ। ରାଜ୍ୟ ସରକାର ଯଦି ବାସ୍ତବରେ ପରୀ ପରିବାରକୁ ନ୍ୟାୟ ଦେବା ପାଇଁ ଚାହାଁନ୍ତି, ତେବେ ଏହି ଘଟଣାର ତଦନ୍ତ ସିବିଆଇକୁ ଦେବାକୁ ଆମ୍ଭେ ଦାବି କରୁଛୁ।
ପରୀ ହତ୍ୟାକାଣ୍ଡର ପୋଲିସ୍ ତଦନ୍ତ ଆରମ୍ଭରୁ ଦିଗହରା ହୋଇଛି। ବାପାମା ବାରମ୍ବାର ପୁଲିସ୍‌ର ଦ୍ୱାରସ୍ଥ ହେବା, ପୁଲିସ୍ ତଦନ୍ତ ନକରି ଓଲଟି ସେମାନଙ୍କୁ ନିର୍ଯ୍ୟାତନା ଦେବା, ମିଥ୍ୟା ଅଭିଯୋଗ କରିବା ପାଇଁ ପ୍ରବର୍ତ୍ତାଇବା ଇତ୍ୟାଦିରୁ ପୁଲିସ୍ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ତଦନ୍ତକୁ ଚାପିଦେବାକୁ ଉଦ୍ୟମ କରୁଥିବା ଜଣାପଡୁଥିଲା ଏବଂ ପରୀ ପରିବାରର ସଦସ୍ୟମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ। ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଏବଂ ତଦନ୍ତକୁ ନିଷ୍କ୍ରିୟ କରିବା ପାଇଁ ତାଙ୍କର ଚାପ ଯୋଗୁଁ ପୁଲିସ୍ ହାତବାନ୍ଧି ବସିଥିଲା। ତେଣୁ ମନ୍ତ୍ରୀ ଅରୁଣ ସାହୁଙ୍କୁ ତୁରନ୍ତ ବହିଷ୍କାର କରିବା ପାଇଁ ଆମ୍ଭେ ଦାବି କରୁଛୁ। ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀଯୁକ୍ତ ଅରୁଣ ସାହୁ ବିଧାୟକ ଥିବା ସମୟରେ ତାଙ୍କ ସରକାରୀ ବାସଭବନରେ ବିଜେଡ଼ି ଦଳର କର୍ମୀ ରହସ୍ୟଜନକ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ହୋଇଥିଲା। ମନ୍ତ୍ରୀ ଅରୁଣ ସାହୁଙ୍କ ନାମରେ ଅନେକ ଅପରାଧିକ ମାମଲା ରହିଛି ଯାହାର ତଦନ୍ତ ଏବେ ବି ହୋଇପାରି ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ।
ସ୍ଥାନୀୟ ସରପଞ୍ଚ ତଥା ସମାଜସେବୀ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ମନ୍ତ୍ରୀ ଅରୁଣ ସାହୁଙ୍କ ଧମକ ଏବଂ ସୌମ୍ୟଙ୍କ ଅରୁଣ ସାହୁଙ୍କ ବିରୁଦ୍ଧରେ ଖୋଲା ଅଭିଯୋଗ ପରୀ ହତ୍ୟାକାଣ୍ଡକୁ ଆହୁରି ରହସ୍ୟମୟ କରିବା ସହ ସୌମ୍ୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ଆନ୍ଦୋଳନରେ ସମ୍ପୃକ୍ତ ବହୁ ସାମାଜିକ କର୍ମୀମାନଙ୍କ ଜୀବନ ମଧ୍ୟ ବିପଦରେ ଅଛି। ଏଣୁ ସୌମ୍ୟ ରଞ୍ଜନ ପ୍ରଧାନ ଏବଂ ଅନ୍ୟ ସମସ୍ତ ସାମାଜିକ କର୍ମୀମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ଆମ୍ଭେ ରାଜ୍ୟ ସରକାରଙ୍କୁ ନିବଦେନ କରୁଛୁ। ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଦୀପ ପ୍ରଧାନ, ପ୍ରତାପ ସାହୁ, ସୁଧୀର ମହାନ୍ତି, ସଂଯୁକ୍ତା ପାଣିଗ୍ରାହୀ, ରଞ୍ଜୁଲତା ମହାପାତ୍ର, ଦିବାକର ନାୟକ, ଦିଲ୍ଲୀପ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories