ଆସିଲେ ବିଦେଶୀ ଅତିଥି: ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହୀରାକୁଦ ଜଳଭଣ୍ଡାର

ବୁର୍ଲା : ଶୀତ ଆସିବା ସହିତ ହୀରାକୁଦ ଜଳଭଣ୍ଡାରକୁ ବିଦେଶୀ ପରିବ୍ରାଜକ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ଗତକାଲି ସୁଦ୍ଧା ଦଶ ପ୍ରଜାତିର ପକ୍ଷୀ ଦୃଷ୍ଟି ଗୋଚର ହୋଇଛନ୍ତି। ସ୍ପଟ ବିଲ ଡ଼କ, ହ୍ୱିସିଲିଙ୍ଗ ଡ଼କ, ବାର୍ଡ଼େଡ଼ ବଲ୍କ, ସ୍ଟଟେଡ଼ ଡ଼କ, କମନ ପୋଚାଡ଼, ଗଲ, ରଡ଼ିସେଲ ଡ଼କ ପ୍ରଜାତିର ପକ୍ଷୀ ପ୍ରାଥମିକ ଭାବରେ ଜଳଭଣ୍ଡାରରେ ପହଛନ୍ତି। ସୁବିସ୍ତୀର୍ଣ୍ଣ ଜଳରାଶିର ନଦୀବନ୍ଧ ଏବଂ ଏହାର କୂଳର ଜଙ୍ଗଲ ଓ ଗ୍ରାମର ପ୍ରାୟ ୮୦୦ ବର୍ଗ କିଲୋମିଟର ପରିମିତ ହୀରାକୁଦ ନଦୀବନ୍ଧକୁ ଅକ୍ଟୋବର ମାସ ବେଳକୁ ପରିବ୍ରାଜକ ବିହଙ୍ଗମାନେ ଆସିବା ଆରମ୍ଭ କରିଥାଆନ୍ତି। ଏବର୍ଷ ଶୀତରେ ଅନୁକୂଳ ପାଗ ଯୋଗୁ ଜଳଭଣ୍ଡାରକୁ ଅଧିକ ବିହଙ୍ଗ ଆସିବେ ବୋଲି ଆଶା କରାଯାଉଛି। ଜଳଭଣ୍ଡାରରେ ଜଳ ସ୍ତର ଅଧିକ ରହିିବାରୁ ପକ୍ଷୀମାନଙ୍କ ପାଇଁ ଜଳଭଣ୍ଡାରର କୂଳରେ ଜାଗା ସୀମିତ ହୋଇଥିଲେ ମଧ୍ୟ ପରିବେଶ ଅନୁକୂଳ ରହିଛି। ଫଳରେ ପକ୍ଷୀମାନଙ୍କୁ ରହିବା ପାଇଁ ସୁବିଧା ଖୋଜିବେ ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି।
ହଜାର ହଜାର କିଲୋମିଟର ଆକାଶପଥ ଅତିକ୍ରମ କରି ଏଠାରେ ଏମାନେ ନଭେମ୍ବର ମାସ ସୁଦ୍ଧା ହୀରାକୁଦକୁ ଆସିଥାନ୍ତି। ଶୀତ ଯିବାପରେ ଫେବୃଆରୀ ଶେଷ ବେଳକୁ ନିଜ ନିଜ ଆସିଥିବା ଗନ୍ତବ୍ୟ ସ୍ତାନକୁ ପ୍ରତ୍ୟାବତର୍ତ୍ତନ କରିଥାନ୍ତି। ପକ୍ଷୀମାନେ ନଦୀବନ୍ଧର ପାୱାର ଚେନାଲ, ଭିତରେ ଥିବା କୁଦ, ପାର୍ଶ୍ବବର୍ତ୍ତୀ ଡେବ୍ରୀଗଡ଼ ଅଭୟାରଣ୍ୟ, କମଗାଁ, ବାରଖଣ୍ଡିଆ, ରେଙ୍ଗାଲି ଓ ଡାଇକ ପ୍ରଭୃତିର ବନାଞ୍ଚଳରେ ଅବସ୍ଥାନ କରିଥାନ୍ତି। ଏହି ପକ୍ଷୀମାନେ ମୁଖ୍ୟତଃ କାସ୍ପିଆନ୍‍ ସାଗର, ମଙ୍ଗୋଲିଆ, କେନ୍ଦ୍ର ଓ ଦକ୍ଷିଣ-ପୂର୍ବ ଏସିଆ, ହିମାଳୟ, ବୈକାଲ ହ୍ରଦ ଆଦି ସ୍ଥାନରୁ ଆସିଥାନ୍ତି। ବନ ବିଭାଗର ଗଣନା ଅନୁଯାୟୀ ଗତବର୍ଷ ହୀରାକୁଦକୁ ୯୭ ହଜାର ୮୯୯ ସଂଖ୍ୟକ ବିଦେଶୀ ବିହଂଗ ଆସିଥିଲେ। ୨୦୧୯ରେ ରେକର୍ଡ଼ ୯୨ ପ୍ରଜାତିର ୧ ଲକ୍ଷ ୪୫ ହଜାର ୯୪୬ ପକ୍ଷୀ ହୀରାକୁଦ ଆସିଥିଲେ।
୨୦୧୭ରେ ୭୬ ହଜାର୍‍ରୁ ଅଧିକ ପକ୍ଷୀ ଆସିଥିବା ବେଳେ ୨୦୧୬ରେ ୧ ଲକ୍ଷ ୩୭ ହଜାରରୁ ଅଧିକ ପକ୍ଷୀ ଆସିଥିଲେ। ନଭେମ୍ବର ମାସ ବେଳକୁ ସାଇବେରିଆ, ୟୁରୋପ୍‍, ଆଫଗାନିସ୍ଥାନ, ଚୀନ ପ୍ରଭୃତି ଭୂଖଣ୍ଡରୁ ଏହି ପକ୍ଷୀମାନେ ହୀରକୁଦ୍‍ରୁ ଆସି ଫେବୃଆରୀ ମାସ ବେଳକୁ ନିଜ ନିଜ ଦେଶକୁ ଫେରି ଯାଆନ୍ତି। ହୀରାକୁଦ ବନ୍ଧ ନିର୍ମାଣ ପରଠାରୁ ଏହାର ୪୧୯ ବର୍ଗ କିଲୋମିଟର ବିସ୍ତୀର୍ଣ୍ଣ ଜଳାଶୟକୁ ଏହି ପକ୍ଷୀମାନେ ବିଶେଷକରି କରି ଶୀତ ସମୟରେ ଆସିଥାନ୍ତି। ପୂର୍ବବର୍ଷ ତୁଳନାରେ ଗତଥର ଅଧିକ ପକ୍ଷୀ ଉପସ୍ଥିତ ଥିବାର ଗଣନା କରାଯାଇଛି। ଗଣନା ରିପୋର୍ଟ ଅନୁସାରେ ୮୨ ପ୍ରଜାତିର ପକ୍ଷୀ ଜଳଭଣ୍ଡାରରେ ଦେଖାଯାଇଅଛି। ୨୦୧୭-ୃ୧୮ରେ ସମୁଦାୟ ୧,୩୬,୮୩୫ ଗୋଟି ପକ୍ଷୀ ଗଣନା କରାଯାଇଅଛି।
ଗତ ୨୦୧୫-୧୬ ବର୍ଷରେ ହୀରାକୁଦ ନଦୀବନ୍ଧକୁ ରେକର୍ଡ଼ ୬୦ ପ୍ରଜାତିର ୯୫୯୧୨ ସଂଖ୍ୟକ ପକ୍ଷୀ ଆସିଥିଲେ। ଏଥିରେ ହୁଇସିଲିଂ ଡକ୍‍, କମନ୍‍ ପୋଚାର୍ଡ଼, ଟଫ୍‍ଟେଡ଼୍‍ ଡକ୍‍, ଗ୍ରେଟ୍‍ କ୍ରେଷ୍ଟେଡ଼୍‍ ଗ୍ରେଭ ଓ କମନ୍‍ କୁଟ୍‍ ଆଦି ପ୍ରଜାତିର ପକ୍ଷୀ ବିଶେଷ ଭାବରେ ଆସିଥିବା ଲକ୍ଷ୍ୟ କରାଯାଇଥିଲା। ୧୬୫୪୭ ଲେସର ହୁଇସିଲିଂ ଡକ୍‍, ୧୬୪୭୩ କମନ୍‍ ପୋଚାର୍ଡ଼, ୧୧୫୦୬ ଟଫ୍‍ଟେଡ଼ ଡକ୍‍, ୧୦୮୮୬ ଗ୍ରେଟ୍‍ କ୍ରେଷ୍ଟେଡ଼୍‍ ଗ୍ରେଭ୍‍, ୯୧୪୮ସଂଖ୍ୟକ କମନ୍‍ କୁଟ୍‍ ପକ୍ଷୀ ଆସିଥିଲେ। ସେହିଭଳି ୬୧୧୨ ଲିଟିଲ୍‍ କୋମରାଫ, ୫୭୨୪ ବ୍ଲକ୍‍ହେଡେଡ଼ ଗଲ୍‍, ୩୫୬୦ ରେଡ଼ କ୍ରେଷ୍ଟେଡ଼ ଗ୍ରେଭ ଓ ୨୨୬୦ ଡାଉନ ହେଡେଡ ଗଲ ମଧ୍ୟ ଆସିଥିଲେ। ୨୦୧୪-୧୫ରେ ୬୩ ପ୍ରଜାତିର ୫୮୦୫୭, ୨୦୧୩-୧୪ରେ ୫୫ ପ୍ରଜାତିର ୬୩୮୯୨, ୨୦୧୨-୧୩ରେ ୫୯ ପ୍ରଜାତିର ୭୯୧୩୮ ପକ୍ଷୀ ଆସିଥିବା ବେଳେ ତା ପୂର୍ବ ବର୍ଷ ୫୨ ପ୍ରଜାତିର ୬୦୮୦୬ ପକ୍ଷୀ ଆସିଥିଲେ।
ପକ୍ଷୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଏଥର ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଡଙ୍ଗା ସହିତ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ନଦୀବନ୍ଧ ଓ ପାର୍ଶ୍ବବର୍ତ୍ତୀ ଜଙ୍ଗଲମାନଙ୍କରେ ପହରା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି। ଏଥିପାଇଁ ବୋଟ ମାନଙ୍କରେ ଷାଠିଏ ଜଣ ଲୋକ ନିୟୋଜିତ ହୋଇଥିଲେ। ପକ୍ଷୀଙ୍କ ସୁରକ୍ଷା ପାଇଁ ହୀରାକୁଦ ଡ଼ିଭିଜନର ଗୋବିନ୍ଦପୁର, ବାରଖଣ୍ଡିିଆ, ଚୌରାଶିମାଲ, ଜିରୋ ପଏଣ୍ଟ, ମହୁଲତରା ପ୍ରଭୃତି ପୋଷ୍ଟ ରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି।

Comments are closed.