ସୁଯୋଗ ଛାଡ଼ିଲା ବିଜେଡି

0

ଶକ୍ତିପ୍ରସାଦ ନାୟକ

ନୂଆଦିଲ୍ଲୀ: ୟୁପିଏ ସରକାର ଅମଳର ୧୦ବର୍ଷ ଏବଂ ଏନ୍‍ଡିଏ ସରକାର ଅମଳର ୪ବର୍ଷରେ ଓଡ଼ିଶା ପ୍ରତି ଅବହେଳା କରାଯାଇଥିବା ଉଲ୍ଲେଖ କରି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂର୍ବରୁ ବିଜୁ ଜନତା ଦଳର ସାଂସଦମାନେ କକ୍ଷତ୍ୟାଗ କରିଛନ୍ତି। ଲୋକସଭାରେ ଆଲୋଚନା ଓଡ଼ିଶାବାସୀଙ୍କ ପାଇଁ ଲାଭପ୍ରଦ ହେବନାହିଁ ବୋଲି ବିଜେଡି ନେତା ଭର୍ତ୍ତୃହରି ମହତାବ ଦର୍ଶାଇଛନ୍ତି। ତେବେ ଆଲୋଚନା ପୂର୍ବରୁ ଗୃହ ଛାଡ଼ିବା ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ନେଇ ରାଜନୈତିକ ମହଲରେ ନାନା ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟସ୍ୱାର୍ଥ ନା ଦଳୀୟ ସ୍ୱାର୍ଥରେ ବିଜେଡି ଆଲୋଚନାରେ ଅଂଶଗ୍ରହଣରୁ ବିରତ ହେଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଓଡ଼ିଶା ପ୍ରତି କ୍ରମାଗତ ଭାବେ କେନ୍ଦ୍ର ଅବହେଳା ପ୍ରଦର୍ଶନ କରୁଥିବା ନେଇ ଦୀର୍ଘଦିନ ହେଲା ଅଭିଯୋଗ କରିଆସୁଥିବା ଶାସକ ବିଜୁ ଜନତା ଦଳକୁ ଅନାସ୍ଥା ପ୍ରସ୍ତାବ ଆଲୋଚନା ଅବକାଶରେ ଲୋକସଭାରେ ଓଡ଼ିଶା ସ୍ୱାର୍ଥ ଉଠାଇବା ପାଇଁ ୧୫ ମିନିଟ୍‍ ସମୟ ମିଳିଥିଲା। ସଂଖ୍ୟା ଦୃଷ୍ଟିରୁ
ଲୋକସଭାରେ ପଞ୍ଚମ ବୃହତ୍ତମ ଦଳ ବିଜେଡିକୁ ପୂର୍ବରୁ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଏତେ ସମୟ କେବେ ମିଳି ନ ଥିଲା। ୧୫ ମିନିଟ୍‍ ସମୟ ମଧ୍ୟରେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ, କେନ୍ଦ୍ରୀୟ ଅନୁଦାନରେ ଅବହେଳା, କେବିକେ ପ୍ରସଙ୍ଗ, ପୋଲାଭରମ, ମହାନଦୀ, କୋଇଲା ରାଜଭାଗ ସଂଶୋଧନ, କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ଅଂଶ କମ୍‍ କରାଯିବା ଆଦି ପ୍ରସଙ୍ଗ ଉଠାଯାଇ ପାରିଥା’ନ୍ତା। ମାତ୍ର ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂର୍ବରୁ ବିଜେଡି ସାଂସଦମାନେ ହଠାତ୍‍ କକ୍ଷତ୍ୟାଗ କରିବା ରାଜନୈତିକ ବିଶାରଦମାନଙ୍କୁ ଚକିତ କରିଛି।
ଅନାସ୍ଥା ପ୍ରସ୍ତାବରୁ ବିଜେଡିକୁ କେତେ ଫାଇଦା ମିଳିବ ଦଳୀୟ ରଣନୀତିକାର(ଷ୍ଟ୍ରାଟେଜିଷ୍ଟ)ମାନେ କିଛି ଦିନ ଧରି ଅଙ୍କ କଷୁଥିଲେ। ଗୁରୁବାର ବିଜେଡି ସଂସଦୀୟ ଦଳ ବୈଠକରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ପାଇଁ ବିଜେଡି ସଭାପତିଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିଲା। ପୂର୍ବ ରଣନୀତି ଅନୁଯାୟୀ, ବିଜେଡି ଲୋକସଭା ନେତା ଭର୍ତ୍ତୃହରି ମହତାବ ଆଲୋଚନା ସମୟରେ ଓଡ଼ିଶା ପ୍ରସଙ୍ଗ ଉଠାଇଥା’ନ୍ତେ। ସକାଳେ ରଣନୀତି ବଦଳିଯାଇ ଉପକୂଳ ଅଞ୍ଚଳର ଅନ୍ୟ ଜଣେ ସାଂସଦ ବିଜେଡି ପକ୍ଷରୁ ଲୋକସଭାରେ କହିବା ପାଇଁ ସ୍ଥିର ହୋଇଥିଲା। ମାତ୍ର ଲୋକସଭା ଅଧିବେଶନ ଆରମ୍ଭର କିଛି ସମୟ ପୂର୍ବରୁ ବିଜେଡିର ସମସ୍ତ ରଣନୀତି ବଦଳି ଯାଇଥିଲା। ସମଦୂରତ୍ୱ ଆଳରେ କକ୍ଷତ୍ୟାଗ କରିବା ପାଇଁ ଦଳୀୟ ସାଂସଦମାନେ ନିଷ୍ପତ୍ତି ନେଇ ଲୋକସଭା ତ୍ୟାଗ କରିଥିଲେ। ବିଜେଡି ସାଂସଦଙ୍କୁ ସମର୍ଥନ କରି ନିଲମ୍ବିତ ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ମଧ୍ୟ କକ୍ଷତ୍ୟାଗ କରିଥଲେ। କକ୍ଷତ୍ୟାଗ ଛଡ଼ା ଆମ ପାଖରେ ଅନ୍ୟ କୌଣସି ରାସ୍ତା ନ ଥିଲା ବୋଲି ‘ସାମାଜ’କୁ ଜଣେ ବିଜେଡିି ସାଂସଦ କହିଛନ୍ତି।
ରାଜନୀତି ବିଶ୍ଳେଷକଙ୍କ ମତରେ ଅନାସ୍ଥା ପ୍ରସ୍ତାବରୁ ବିଜେଡିକୁ ବିଶେଷ ଫାଇଦା ମିଳିବାର ସମ୍ଭାବନା ନ ଥିଲା। ତେଲୁଗୁ ଦେଶମ୍‍ ପାର୍ଟି ଏବଂ କଂଗ୍ରେସ ଦଳ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କଲେ ଓଡ଼ିଶାରେ ନକରାତ୍ମକ ପ୍ରଭାବ ପଡ଼ିଥା’ନ୍ତା। କକ୍ଷତ୍ୟାଗ ମାଧ୍ୟମରେ କେନ୍ଦ୍ରର ଏନ୍‍ଡିଏ ସରକାରକୁ ବିଜେଡିି ପରୋକ୍ଷ ସମର୍ଥନ କରୁଛି ବୋଲି ଇଙ୍ଗିତ କରାଯାଇଛି। ରାଜ୍ୟରେ ଆଗାମୀ ଦିନରେ ବିଜେଡିି-ବିଜେପି ମେଣ୍ଟର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ରାଜ୍ୟବାସୀଙ୍କୁ ଏହି ମାଧ୍ୟମରେ ସଙ୍କେତ ଦିଆଯାଇଛି। ବିଜେଡି ରଣନୀତି ଅନୁଯାୟୀ ପରୋକ୍ଷରେ ଓଡ଼ିଶାରେ ବିଜେପିର ଶକ୍ତି ବୃଦ୍ଧିକୁ ରୋକିବା ପାଇଁ ଚେଷ୍ଟା କରାଯାଇଛି। ଉଭୟ ଦଳ ମଧ୍ୟରେ ମଧୁର ସଂପର୍କ ଏବଂ ମେଣ୍ଟ ସମ୍ଭାବନାକୁ ଖୋଲା ରଖାଯିବା ଦ୍ୱାରା ଆଗାମୀ ଦିନରେ ଅସନ୍ତୁଷ୍ଟ ବିଜେଡି ନେତାଙ୍କ ପଳାୟନକୁ ରୋକାଯାଇପାରିବ। ବିଜେଡିର କୌଣସି ନେତା ଆଗାମୀ ଦିନରେ ବିଜେପିରେ ଯୋଗଦେବାକୁ ବିଶେଷ ଆଗ୍ରହ ପ୍ରକାଶ କରିବେ ନାହିଁ। ଏଥିସହିତ ରାଜ୍ୟରେ ବିଜେଡିି ଓ ବିଜେପି ମଧ୍ୟରେ ମଧୁର ସଂପର୍କର ବାତାବରଣ ସୃଷ୍ଟି ହେଲେ ଆଗାମୀ ଦିନରେ ବିଜେପିକୁ ବିକଳ୍ପ ଦଳ ଭାବେ ରାଜ୍ୟବାସୀ ସହଜରେ ଗ୍ରହଣ କରିବେ ନାହିଁ। ବିରୋଧୀ ଦଳ ଅଥବା ବିକଳ୍ପ ଦଳର ଭୋଟ ବିଜେପି ବଦଳରେ ସିଧାସଳଖ କଂଗ୍ରେସ ଦଳକୁ ଯିବ। ରାଜ୍ୟରେ କଂଗ୍ରେସର ଭୋଟ ହାର ବଢ଼ିଲେ ବିଜେପିକୁ ଅଧିକ କ୍ଷତି ସହିବାକୁ ପଡ଼ିବ। ବିଜେଡିର ପରୋକ୍ଷ ସମର୍ଥନ ଓଡ଼ିଶା ରାଜନୀତିରେ ବିଜେପିକୁ ଅଧିକ କ୍ଷତି ପହଞ୍ଚାଇବ ବୋଲି ରାଜନୀତି ବିଶ୍ଳେଷକମାନେ ଆକଳନ କରୁଛନ୍ତି।

Leave A Reply