www.samajalive.in
Friday, December 12, 2025
23.1 C
Bhubaneswar

ଗୁଣ୍ଡାଦମନ ଅଭିଯାନ

ଆଇନର ଶାସନ ବ୍ୟବସ୍ଥାରେ ବାହୁବଳୀ ଓ ଅପରାଧୀଙ୍କ ସ୍ଥାନ ନାହିଁ। ଏହା ସତ୍ତ୍ବେ ସମାଜବିରୋଧୀ ତତ୍ତ୍ବ ଯେତେବେଳେ ସକ୍ରିୟ ହୁଅନ୍ତି ଏବଂ ସବୁ ଆଇନକାନୁନ୍‌ ଫାଙ୍କି ଆତଙ୍କରାଜ ଚଳାଇ ନିଜର ସାମ୍ରାଜ୍ୟ ବିସ୍ତାର କରନ୍ତି ସେତେବେଳେ ବୁଝିବାକୁ ହୁଏ ଶାସନ ଢିଲା ହୋଇଛି କିମ୍ବା ସରକାର ଅପରାଧୀଙ୍କ ପୃଷ୍ଠପୋଷକ ସାଜିଛନ୍ତି। ଏବେ ଆମ ରାଜ୍ୟରେ ଜଣେ କୁଖ୍ୟାତ ସମାଜବିରୋଧୀ ବିରୋଧରେ ପୁଲିସ ଓ ପ୍ରଶାସନ ପକ୍ଷରୁ ଜୋରଦାର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। କିଛିକାଳ ପୂର୍ବରୁ ଅପରାଧ ଦୁନିଆର ଚର୍ଚ୍ଚିତ ଦୁଇଭାଇଙ୍କ ବିରୋଧରେ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସାଧାରଣ ବିଚାରରେ ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ସ୍ବାଗତଯୋଗ୍ୟ ଓ ସନ୍ତ୍ରସ୍ତ ଜନତାଙ୍କ ପାଇଁ ଆଶ୍ବାସନାକାରୀ। ଅନ୍ୟ ବିଚାରଟି ହେଲା କାର୍ଯ୍ୟାନୁଷ୍ଠାନରେ ଅହେତୁକ ବିଳମ୍ବ। ଯେଉଁ ଅପରାଧୀମାନେ ଏକଦା ଚିଆଁଥିଲେ ସେମାନଙ୍କୁ କୁଖ୍ୟାତ ଡନ୍‌ ଓ ଗୁଣ୍ଡା ସର୍ଦାର ସାଜିବାକୁ ଏତେ ସମୟ କର୍ତ୍ତୃପକ୍ଷ ଦେଲେ କାହିଁକି?
ଅପରାଧୀ ରାତାରାତ ସୃଷ୍ଟି ହୁଅନ୍ତି ନାହିଁ। ପରିବେଶ ଓ ପରିସ୍ଥିତି ସେମାନଙ୍କୁ ସୃଷ୍ଟି କରିଥାଏ। ଆରମ୍ଭରୁ ଠିକଣା କାର୍ଯ୍ୟାନୁଷ୍ଠାନ ନହେଲେ ସେମାନେ ଆତଙ୍କ ସୃଷ୍ଟିକାରୀ ଡାକୁ ସର୍ଦାରରେ ପରିଣତ ହେବା ସହ ନିଜର ସାମ୍ରାଜ୍ୟ ଗଢ଼ିଥାନ୍ତି। ରାଜନୈତିକ ପୃଷ୍ଠପୋଷକତା ଓ ଅଭୟ ପାଇ ସେମାନେ ବଢ଼ନ୍ତି; ପ୍ରଚୁର ଅର୍ଥ ଓ ସମ୍ପତ୍ତିର ଅଧିକାରୀ ହୋଇ ଅନ୍ତିମ ଜୀବନ ଅୟସରେ କାଟିବାକୁ ପସନ୍ଦ କରନ୍ତି। ଯେଉଁ ଅପରାଧୀମାନେ ଟେଣ୍ଡର ଫିକ୍ସିଂ, ଛିନ୍‌ତାଇ, ବଟି ଆଦାୟ କରନ୍ତି, ଖଣିଖାଦାନ ଓ ସୈରାତର ଠିକା ବନ୍ଧୁକମୁନରେ ହାସଲ କରନ୍ତି ଏବଂ ନିଜର ପାପାର୍ଜିତ ଧନ ବିଭିନ୍ନ ବ୍ୟବସାୟରେ ଲଗାନ୍ତି ସେମାନଙ୍କ କାର୍ଯ୍ୟକଳାପ ଓ ଠିକଣା ପ୍ରଶାସନ, ପୁଲିସ ଅଥବା କର୍ତ୍ତୃପକ୍ଷଙ୍କ ପାଖରେ ଯେ ନଥାଏ, ଏକଥା ନୁହେଁ।
ସବୁ ରାଜନୈତିକ ଦଳ ସହ କୁଖ୍ୟାତ ଅପରାଧୀଙ୍କର ପ୍ରତ୍ୟକ୍ଷ ବା ପରୋକ୍ଷ ସମ୍ପର୍କ ଥାଏ। ସେମାନେ ବେଆଇନ ଅର୍ଥ ରୋଜଗାର ଓ କାରବାରର ମାଧ୍ୟମ ଏହି ରାଜନୈତିକ ଦଳମାନଙ୍କ ପାଇଁ ହୋଇଥାନ୍ତି। ତେଣୁ ସେମାନେ ରାଜନୈତିକ କାରଣରୁ ପୁଲିସ, ପ୍ରଶାସନର ବାହୁଛାୟା ତଳେ ରହନ୍ତି। ହିସାବ ଭୁଲ ହେଲେ, ଆନୁଗତ୍ୟକୁ ନେଇ ପ୍ରଶ୍ନ ଉଠିଲେ ବେଳେବେଳେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୁଏ। କେନ୍ଦ୍ରାପଡ଼ା, ବ୍ରହ୍ମପୁର, ଓ କଟକ ଅପରାଧର ପୁରୁଣା ପେଣ୍ଠ। ଏବେ ଶିଳ୍ପାଞ୍ଚଳ ଓ ଶିଳ୍ପସହର ନୂଆ ଅପରାଧ କେନ୍ଦ୍ରଭାବେ ମୁଣ୍ଡ ଟେକିଛି। ପରିବହନ, ଖଣିଜ କାରବାର ଏବଂ ଠିକାକାମରୁ ବଟି ଆଦାୟ ଟେଣ୍ଡର ଫିକ୍ସିଂ ଅସାମାଜିକ ତତ୍ତ୍ବଙ୍କୁ ମାତ୍‌ବର କରୁଛି। ଏସବୁର ତଥ୍ୟ ସରକାରଙ୍କ ପାଖରେ ପୂରା ରହିଛି। ତା’ ସତ୍ତ୍ବେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଯୋଗୁ ଆଜି ଏଭଳି ଅବସ୍ଥା ସୃ​‌ଷ୍ଟି ହୋଇଛି।
ଏବେ ତଦନ୍ତ ଓ ଗିରଫଦାରୀ ଯେତେ ଜୋରଦାର ହେଉଛି ଅପରାଧୀ ଓ ସେମାନଙ୍କ ସାମ୍ରାଜ୍ୟର ସେତେସେତେ ରୋଚକ ତଥ୍ୟ ଲୋକଲୋଚନକୁ ଆସୁଛି। ଏସବୁ ତ ଚଳଚ୍ଚିତ୍ରର ରୋଚକ କାହାଣୀ ପରି ଲାଗୁଛି। ଅପରାଧୀଙ୍କୁ ପୁଲିସର ଏନକାଉଣ୍ଟର, ଗିରଫଦାରୀ ଓ ସେମାନଙ୍କ ସଂପତ୍ତିର ହିସାବ ଦେଖି ଲୋକେ ତାଜୁବ ହେଉଛନ୍ତି। ପ୍ରଶ୍ନ ଉଠୁଛି ପୁଲିସ, ପ୍ରଶାସନ ଓ ସରକାର ଆଗରୁ କ’ଣ ଏମାନଙ୍କ ବିଷୟରେ କିଛି ଜାଣିନଥିଲେ ନା ସବୁ ଜାଣି ଚୁପ୍‌ଚାପ ବସିଥିଲେ? ବିଳମ୍ବରେ ହେଉ ପଛେ ସରକାର ତାଙ୍କର ଏହି କାର୍ଯ୍ୟାନୁଷ୍ଠାନକୁ ଅଧିକ ସୁଦୃଢ଼ ଓ ବ୍ୟାପକ କରନ୍ତୁ ଏବଂ ଏଥିରେ ରାଜନୀତି ବା ଲୋକଦେଖାଣିଆ ବିଚାର ନ’ରହୁ। ଅପରାଧୀଙ୍କ ପୃଷ୍ଠପୋଷକଙ୍କୁ ଧରାଯାଉ। ତେବେଯାଇ ଲୋକେ କହିବେ ନବୀନ ସରକାର ଗୁଣ୍ଡା ଦମନ କ୍ଷେତ୍ରରେ ଓଡ଼ିଶାରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories