ଋଷଭ ନୂଆ ମୁହଁ; ଭୁବନେଶ୍ୱର ବାଦ୍‍

0

ନୂଆଦିଲ୍ଲୀ : ଘରୋଇ ଇଂଲଣ୍ଡ ବିରୋଧରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜ୍‍ର ପ୍ରଥମ ୩ଟି ମ୍ୟାଚ୍‍ ପାଇଁ ୧୮ଜଣିଆ ଭାରତୀୟ କ୍ରିକେଟ୍‍ ଦଳ ବୁଧବାର ଘୋଷଣା କରାଯାଇଛି। ବିସିସିଆଇ ପକ୍ଷରୁ ଘୋଷିତ ଏହି ଦଳରେ ନୂଆ ମୁହଁ ଭାବେ ଯୁବ ୱକେଟ ରକ୍ଷକ ବ୍ୟାଟ୍‍ସମ୍ୟାନ୍‍ ଋଷଭ ପନ୍ତଙ୍କୁ ସାମିଲ କରାଯାଇଛି। ଗତ ଆଇପିଏଲ୍‍ରେ ଆହତ ହୋଇଥିବା ଅଭିଜ୍ଞ ଫାଷ୍ଟବୋଲର ମହମ୍ମଦ ସାମିଙ୍କୁ ଦଳରେ ସ୍ଥାନ ମିଳିଛି। ଅନ୍ୟପକ୍ଷରେ ପ୍ରମୁଖ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ଦଳରେ ସ୍ଥାନ ଦିଆ ଯାଇନାହିଁ। ଭୁବନେଶ୍ୱର ମଙ୍ଗଳବାର ଇଂଲଣ୍ଡ ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ୍‍ ଖେଳୁଥିବା ବେଳେ ତାଙ୍କ ପିଠିରେ ଯନ୍ତ୍ରଣା ବଢ଼ି ଯାଇଥିଲା। ତାଙ୍କ ଶାରୀରିକ ଅବସ୍ଥା ଉପରେ ବିସିସିଆଇର ଡାକ୍ତରୀ ଦଳ ନଜର ରଖିଛନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ବାକି ୨ଟି ଟେଷ୍ଟ ମ୍ୟାଚ୍‍ରେ ଭୁବନେଶ୍ୱରଙ୍କୁ ସାମିଲ କରାଯିବ କି ନାହିଁ ସେ ସଂପର୍କରେ ଡାକ୍ତରୀ ଦଳ ରିପୋର୍ଟ ପ୍ରଦାନ କରିବା ପରେ ନିଷ୍ପତ୍ତି ନିଆଯିବ ବୋଲି ବିସିସିଆଇର କାର୍ଯ୍ୟକାରୀ ସମ୍ପାଦକ ଅମିତାଭ ଚୌଧୁରୀ ସୂଚନା ଦେଇଛନ୍ତି।
ଆହତହୋଇ ଇଂଲଣ୍ଡ ବିପକ୍ଷ ଟ୍ୱେଣ୍ଟି୨୦ ଓ ଦିନିକିଆ ସିରିଜ୍‍ରୁ ବାଦ୍‍ ପଡ଼ିଥିବା ଫାଷ୍ଟ ବୋଲର ଯଶପ୍ରୀତ ବୁମରା ସୁସ୍ଥହେବା ପରେ ଟେଷ୍ଟ ଦଳକୁ ଫେରିଛନ୍ତି। ତେବେ ସେ ପ୍ରଥମ ଟେଷ୍ଟ ମ୍ୟାଚ୍‍ରେ ଖେଳିପାରିବେ ନାହିଁ ବୋଲି ଜଣାପଡ଼ିଛି। ଟେଷ୍ଟ ଦଳରେ ବରିଷ୍ଠ ସ୍ପିନର ରବିଚନ୍ଦ୍ରନ୍‍ ଅଶ୍ୱିନ୍‍ ଓ ରବୀନ୍ଦ୍ର ଜାଡେଜା ସ୍ଥାନ ବଜାୟ ରଖିଥିବା ବେଳେ ୩ୟ ସ୍ପିନର ଭାବେ କୁଳଦୀପ ଯାଦବଙ୍କୁ ସାମିଲ କରାଯାଇଛି। ଅନ୍ୟତମ ସ୍ପିନର ୟୁଜବେନ୍ଦ୍ର ଚହଲ୍‍ଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳିନାହିଁ। ଋଷଭ ପନ୍ତଙ୍କ ସହ ୱିକେଟ ରକ୍ଷକ ଭାବେ ଅଭିଜ୍ଞ ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ଟେଷ୍ଟ ଦଳରେ ସାମିଲ କରାଯାଇଛି। ଭାରତୀୟ ଦଳର ନିୟମିତ ୱିକେଟ ରକ୍ଷକ ଋଦ୍ଧିମାନ ଶାହା ଆହତ ଥିବାରୁ ଋଷଭ ପନ୍ତ୍‍ ଓ କାର୍ତ୍ତିକ ସୁଯୋଗ ପାଇଛନ୍ତି। ଗତ ଆଇପିଏଲ୍‍ରେ ଦିଲ୍ଲୀର ଋଷଭ ପନ୍ତ୍‍ ଚମତ୍କାର ପ୍ରଦର୍ଶନ କରିଥିଲେ। ପୁଣି ନିକଟରେ ଭାରତ ‘ଏ’ ଦଳ ପାଇଁ ଋଷଭ ଭଲ ପ୍ରଦର୍ଶନ କରିଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟ୍‍ରେ ୯୮.୫୪ ଷ୍ଟ୍ରାଇକ୍‍ରେଟ୍‍ରେ ୫୪.୧୬ ଆଭ୍‍ରେଜ୍‍ରେ ସ୍କୋର୍‍ କରିଛନ୍ତି। ମୋଟଉପରେ ଦୁଇ ଆହତ ଖେଳାଳି ଭୁବନେଶ୍ୱର କୁମାର ଓ ଋଦ୍ଧିମାନ ଶାହାଙ୍କୁ ଛାଡ଼ି ଭାରତୀୟ ଟେଷ୍ଟ ଦଳର ସମସ୍ତ ନିୟମିତ ଖେଳାଳିଙ୍କୁ ସୁଯୋଗ ମିଳିଛି।
ଦଳରେ ଦ୍ରୁତ ବୋଲର ଭାବେ ଈଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ଯଶପ୍ରୀତ ବୁମରା ଓ ସାର୍ଦ୍ଦୁଳ ଠାକୁର ରହିଛନ୍ତି। ଟେଷ୍ଟ ସିରିଜ୍‍ ଲାଗି ପ୍ରସ୍ତୁତ ହେବା ପାଇଁ ଈଶାନ୍ତ ଶର୍ମା ଗତ କିଛିମାସ ହେଲା ଇଂଲଣ୍ଡରେ କାଉଣ୍ଟି କ୍ରିକେଟ ଖେଳୁଛନ୍ତି। ଅଜିଙ୍କ୍ୟ ରାହାଣେ ଟେଷ୍ଟ ଦଳର ଉପଅଧିନାୟକ ଦାୟିତ୍ୱ ନିର୍ବାହ କରିବେ। ଟେଷ୍ଟ ବ୍ୟାଟ୍‍ସମ୍ୟାନ୍‍ ଭାବେ ପରିଚିତ ମୁରଲୀ ବିଜୟ ଓ ଚେତେଶ୍ୱର ପୂଜାରା ଖୁବ୍‍ ଶୀଘ୍ର ଇଂଲଣ୍ଡ ଯାଇ ଭାରତୀୟ ଦଳ ସହ ଯୋଗଦେବେ ବୋଲି ବିସିସିଆଇ ତରଫରୁ ସୂଚନା ମିଳିଛି। ସେହିପରି ଆସନ୍ତା ୩୦ରେ ବେଲ୍‍ଗାମ୍‍ରେ ଦକ୍ଷିଣ ଆଫ୍ରିକା ଏ’ ଦଳ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‍ ବିଶିଷ୍ଟ ଅଭ୍ୟାସ ମ୍ୟାଚ୍‍ ପାଇଁ ବୋର୍ଡ ସଭାପତି ଏକାଦଶ ଦଳ ମଧ୍ୟ ଘୋଷିତ ହୋଇଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‍ ଅଗଷ୍ଟ ୧ରୁ ୫ ପର୍ଯ୍ୟନ୍ତ ଏଜବାଷ୍ଟନ୍‍ରେ, ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‍ ଅଗଷ୍ଟ ୯ରୁ ୧୩ ପର୍ଯ୍ୟନ୍ତ ଲର୍ଡସ୍‍ରେ ଓ ତୃତୀୟ ଟେଷ୍ଟ ମ୍ୟାଚ୍‍ ଅଗଷ୍ଟ ୧୮ରୁ ୨୨ ପର୍ଯ୍ୟନ୍ତ ଟ୍ରେଣ୍ଟ ବ୍ରିଜ୍‍ରେ ଖେଳାଯିବ। ଶେଷ ୨ଟି ଟେଷ୍ଟମ୍ୟାଚ୍‍ ପାଇଁ ଭାରତୀୟ ଦଳ ପରେ ଘୋଷଣା କରାଯିବ।
ଭାରତୀୟ ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ୍‍, କେ.ଏଲ୍‍. ରାହୁଲ, ମୁରଲୀ ବିଜୟ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ (ଉପଅଧିନାୟକ), କରୁଣ ନାୟାର, ଦିନେଶ କାର୍ତ୍ତିକ (ୱିକେଟ ରକ୍ଷକ), ଋଷଭ ପନ୍ତ (ୱିକେଟ ରକ୍ଷକ), ରବିଚନ୍ଦ୍ରନ୍‍ ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା, କୁଳଦୀପ ଯାଦବ, ହାର୍ଦିକ ପାଣ୍ଡ୍ୟା, ଈଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ଯଶପ୍ରୀତ୍‍ ବୁମ୍‌ରା ଓ ସାର୍ଦ୍ଦୁଳ ଠାକୁର।
ବୋର୍ଡ ସଭାପତି ଏକାଦଶ: ଈଶାନ୍‍ କିଷନ୍‍ (ଅଧିନାୟକ/ୱିକେଟ ରକ୍ଷକ), ଆର୍‍.ଆର୍‍. ସଞ୍ଜୟ, ଅଭିମନ୍ୟୁ ଈଶ୍ୱରନ୍‍, ଧ୍ରୁବ ସୋରେ, ଅନ୍‍ମୋଲପ୍ରୀତ ସିଂହ, ରିକି ଭୁଇ, ଜଳଜ ସାକ୍ସେନା, ସିଦେ୍ଧଶ ଲାଡ୍‍, ମିହିର ହିରୱାନୀ, ଧର୍ମେନ୍ଦ୍ର ସିଂହ ଜାଡେଜା, ଅବେଶ ଖାନ୍‍, ଶିବମ୍‍ ମାଭି, ଈଶାନ୍‍ ପୋରେଲ୍‍ ଓ ଅତୀତ ସେଠ୍‍।

Leave A Reply