ଫିଫା ବିଶ୍ୱକପ୍‍ : ତୃତୀୟ ସ୍ଥାନ ହାସଲ କଲା ବେଲ୍‍ଜିୟମ

0

ସେଣ୍ଟ ପିଟସବର୍ଗ : ଫିଫା ବିଶ୍ୱକପ୍‍ରେ ତୃତୀୟ ସ୍ଥାନ ହାସଲ କରିଛି ବେଲ୍‍ଜିୟମ। ତୃତୀୟ ସ୍ଥାନ ନିମନ୍ତେ ଇଂଲଣ୍ଡ ଓ ବେଲ୍‍ଜିୟମ ମଧ୍ୟରେ ଏଠାରେ ମ୍ୟାଚ୍‍ ଖେଳାଯାଇଥିଲା। ଏହି ମ୍ୟାଚ୍‍ରେ ବେଲ୍‍ଜିୟମ ୨-୦ ଗୋଲ୍‍ରେ ବିଜୟୀ ହୋଇଥିଲା।
ଖେଳର ଆରମ୍ଭରୁ ବେଲ୍‍ଜିୟମ ଦଳ ଇଂଲଣ୍ଡ ଗୋଲପୋଷ୍ଟ ଉପରେ ଆକ୍ରମଣ ଆରମ୍ଭ କରି ଦେଇଥିଲା। ମାତ୍ର ୪ ମିନିଟ୍‍ରେ ବେଲ୍‍ଜିୟମ ତରଫରୁ ଥୋମାସ ମ୍ୟୁନିୟର ଗୋଲ୍‍ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ। ୭ ମିନିଟ୍‍ରେ ଇଂଲଣ୍ଡ ତରଫରୁ ବେଲ୍‍ଜିୟମ ଗୋଲପୋଷ୍ଟ ଉପରେ ଆକ୍ରମଣ ହୋଇଥିଲା। ତେବେ ଗୋଲ୍‍ କରିବାକୁ ଇଂଲଣ୍ଡ ସକ୍ଷମ ହୋଇପାରିନଥିଲା। ୯ ମିିନିଟ୍‍ରେ ଗୋଲ୍‍ କରିବାକୁ ଇଂଲଣ୍ଡକୁ ଆଉ ଏକ ସୁଯୋଗ ମିଳିଥିଲା, ମାତ୍ର ଟିପିଏରଙ୍କ ଦୁର୍ବଳ ସଟ୍‍କୁ ବେଲ୍‍ଜିୟମ ଗୋଲରକ୍ଷକ ସହଜରେ ଅଟକାଇ ଦେଇଥିଲେ। ୧୨ ମିନିଟ୍‍ରେ ଲୁକାକୁଙ୍କ ଠାରୁ ଏକ ପାସ୍‍ ପାଇ କେଭିନ୍‍ ଡ୍ରୁ ବ୍ରୁଏନ୍‍ ଇଂଲଣ୍ଡ ଗୋଲପୋଷ୍ଟକୁ ଏକ ସଟ୍‍ ମାରିଥିଲେ ମଧ୍ୟ ଗୋଲ କରିବାରେ ସଫଳ ହୋଇପାରିନଥିଲେ। ୧୭ ମିନିଟ୍‍ରେ କେଭିନ୍‍ ଓ ଲୁକାକୁ ନିଜ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ପୁନର୍ବାର ଇଂଲଣ୍ଡ ଗୋଲପୋଷ୍ଟ ଉପରେ ଆକ୍ରମଣ କରି ଗୋଲ୍‍ କରିବାର ସୁଯୋଗ ସୃଷ୍ଟି କରିଥିଲେ। କେଭିନ୍‍ଙ୍କ ଦୁର୍ବଳ ସଟ୍‍ ଯୋଗୁଁ ବେଲ୍‍ଜିୟମ ଦ୍ୱିତୀୟ ଗୋଲ୍‍ ସ୍କୋର କରିବାରେ ବିଫଳ ହୋଇଥିଲା। ୨୩ ମିନିଟ୍‍ରେ ଇଂଲଣ୍ଡର ହ୍ୟାରି କେନ୍‍ ଗୋଲ୍‍ ଶୁଝାଇବା ଉଦ୍ଦେଶ୍ୟରେ ଏକ ସଟ୍‍ ମାରିଥିଲେ ମଧ୍ୟ ଗୋଲ୍‍ ହୋଇପାରିନଥିଲା। ୨୮ ମିନିଟ୍‍ରେ ବେଲ୍‍ଜିୟମ ତରଫରୁ ଲୁକାକୁ ଗୋଲ୍‍ ସ୍କୋର କରିବାକୁ ପ୍ରୟାସ କରିଥିଲେ ମଧ୍ୟ ସଫଳତା ପାଇ ପାରିନଥିଲେ। ୩୪ ଓ ୩୫ ମିନିଟ୍‍ରେ ହାଜାର୍ଡ ଓ କେଭିନ୍‍ ବେଲ୍‍ଜିୟମ ନିମନ୍ତେ ଗୋଲ୍‍ ସ୍କୋର କରିବାକୁ ସୁଯୋଗ ସୃଷ୍ଟି କରିଥିଲେ କିନ୍ତୁ ଗୋଲ୍‍ କରିବାକୁ ବିଫଳ ହୋଇଥିଲେ। ପ୍ରଥମାର୍ଦ୍ଧର ଅଧିକାଂଶ ସମୟରେ ବେଲ୍‍ଜିୟମ ଦଳ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ତେବେ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ବେଲ୍‍ଜିୟମ ୧-୦ ଗୋଲ୍‍ରେ ଅଗ୍ରଣୀ ରହିଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଇଂଲଣ୍ଡ ଦୁଇଟି ଖେଳାଳିଙ୍କୁ ପରିବର୍ତ୍ତନ କରିଥିଲା। ୪୯ ମିନିଟ୍‍ରେ ଇଂଲଣ୍ଡ ଗୋଲ୍‍ ସ୍କୋର କରିବାକୁ ସୁଯୋଗ ପାଇଥିଲେ ମଧ୍ୟ ସଫଳ ହୋଇ ପାରିନଥିଲା। ୫୧ ମିନିଟ୍‍ରେ ଇଂଲଣ୍ଡକୁ ଏକ ଫ୍ରିକିକ୍‍ ମିଳିଥିଲା। ଇଂଲଣ୍ଡ ଖେଳାଳିଙ୍କ ସଟ୍‍କୁ ବେଲ୍‍ଜିୟମ ଗୋଲରକ୍ଷକ ସହଜରେ ଅଟକାଇ ଦେଇଥିଲେ। ୫୨ ମିନିଟ୍‍ରେ ହାଜାର୍ଡଙ୍କୁ ଫାଉଲ୍‍ ମାରିଥିବାରୁ ଇଂଲଣ୍ଡର ଜନ୍‍ ଷ୍ଟୋନ୍‍ସଙ୍କୁ ହଳଦିଆ କାର୍ଡ ମିଳିଥିଲା। ୫୪ ମିନିଟ୍‍ରେ ଗୋଲ୍‍ ଶୁଝାଇବାକୁ ଇଂଲଣ୍ଡକୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଥିଲା। ବେଲ୍‍ଜିୟମ ଗୋଲପୋଷ୍ଟ ସମ୍ମୁଖ ଦେଇ ବଲ୍‍ ଚାଲି ଯାଉଥିଲେ ମଧ୍ୟ କେନ୍‍ ଏହାକୁ ଗୋଲ୍‍ରେ ପରିଣତ କରିପାରିନଥିଲେ। ଏହାପରେ ବେଲ୍‍ଜିୟମ ଖେଳାଳିମାନେ ଇଂଲଣ୍ଡ ଗୋଲ୍‍ପୋଷ୍ଟ ଉପରେ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ୮୧ ମିନିଟ୍‍ରେ ବେଲ୍‍ଜିୟମ ତରଫରୁ ଏଡେନ୍‍ ହାଜାର୍ଡ ଦ୍ୱିତୀୟ ଗୋଲ୍‍ ସ୍କୋର କରିଥିଲେ। ଇଂଲଣ୍ଡ ଗୋଲ ପରିଶୋଧ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲା।

Leave A Reply