BJD Bijuli 480×75 Mob

ୟୁଏଇରେ ରାଜୁତି ପାଇଁ ଧୋନି ପ୍ରସ୍ତୁତ

BJD Bijuli 480×75 Mob

ଦୁବାଇ : ଚଳିତବର୍ଷର ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ଖେଳିବା ଲାଗି ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସ୍‍କେ) ଶିବିରରେ ଯୋଗଦେବାର ପରଦିନ ଆନ୍ତର୍ଜାତିକ କ୍ରିକେଟ୍‍ରୁ ଅବସର ଘୋଷଣା କରି କ୍ରିକେଟ୍‍ ଦୁନିଆକୁ ସ୍ତବ୍‍ଧ କରି ଦେଇଥିଲେ ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଆନ୍ତର୍ଜାତିକ କ୍ରିକେଟ୍‍ ଛାଡ଼ିଥିଲେ ହେଁ ଧୋନିଙ୍କୁ କ୍ରିକେଟ୍‍ପ୍ରେମୀ ଛାଡ଼ିନାହାନ୍ତି ଏବଂ କ୍ରିକେଟ୍‍ ମଧ୍ୟ ତାଙ୍କୁ ଛାଡ଼ି ନାହିଁ। ଏବେ ସିଏସ୍‍କେର ନେତୃତ୍ୱ ନେଇ ଆଇପିଏଲ୍‍ରେ ରାଜୁତି କରିବାକୁ ଧୋନି ପ୍ରସ୍ତୁତ। ଭାରତରେ ଆଇପିଏଲ୍‍ ଆୟୋଜନ ହେଉନଥିଲେ ବି ୟୁଏଇ ମାଟିରେ ତାଙ୍କ ମହାନତାର ଆଉ ଏକ ପ୍ରଦର୍ଶନ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି ସମସ୍ତଙ୍କର ପ୍ରିୟ ମାହି।
ଆଇପିଏଲ୍‍କୁ ବିଶ୍ୱର ସବୁଠାରୁ ବଡ଼, ଧନଶାଳୀ ଓ ଲୋକପ୍ରିୟ ଟ୍ୱେଣ୍ଟି୨୦ ଲିଗ୍‍ ଭାବେ ପରିଚିତ କରିବାରେ ମହେନ୍ଦ୍ର ସିଂହ ଧୋନିଙ୍କର କିଛି କମ୍‍ ଅବଦାନ ନାହିଁ। ୨୦୦୭ରେ ଧୋନିଙ୍କ ଅଧୀନରେ ଭାରତ ସର୍ବପ୍ରଥମ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଜିତିବା ପରେ ହିଁ ଆଇପିଏଲ୍‍ର ଜନ୍ମ ହୋଇଥିଲା। ଟ୍ୱେଣ୍ଟି୨୦କୁ ଯୁବକଙ୍କ କ୍ରିକେଟ୍‍ ବୋଲି କୁହା ଯାଉଥିଲେ ହେଁ ୮ଟିଯାକ ଫ୍ରାଞ୍ଚାଇଜି ମଧ୍ୟରୁ ସବୁଠାରୁ ଅଧିକ ବୟସର ଦଳକୁ ନେଇ ୩ ଥର ସିଏସ୍‍କେକୁ ଆଇପିଏଲ୍‍ ଚମ୍ପିଆନ୍‍ କରିଛନ୍ତି ଧୋନି। ସିଏସ୍‍କେ ଧୋନିଙ୍କ ଅଧୀନରେ ଆଇପିଏଲ୍‍ର ୧୦ଟି ସଂସ୍କରଣ ଖେଳିଥିବା ବେଳେ ୮ଟି ସଂସ୍କରଣରେ ଏହା ଫାଇନାଲରେ ପହଞ୍ଚିଛି। ୫ ଥର ଧୋନିଙ୍କ ସିଏସ୍‍କେ ରନର୍ସଅପ୍‍ ରହିଛି। ଆସନ୍ତା ୧୯ରେ ଗତବର୍ଷର ଚମ୍ପିଆନ୍‍ ମୁମ୍ବଇ ଇଣ୍ଡିଆନ୍‍ସ ବିପକ୍ଷରେ ଚେନ୍ନଇ ସୁପର କିଙ୍ଗ୍‍ସ ଉଦ୍‍ଘାଟନୀ ମ୍ୟାଚ୍‍ ଖେଳିବାକୁ ଯାଉଛି। ଗତବର୍ଷ ଜୁଲାଇରେ ବିଶ୍ୱକପ୍‍ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବା ପରେ ଆସନ୍ତା ଶନିବାର ପ୍ରଥମ ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ୍‍ ଖେଳିବାକୁ ଯାଉଛନ୍ତି ଧୋନି। ଧୋନିଙ୍କ ଅଧୀନରେ ୧୬୫ଟି ମ୍ୟାଚ୍‍ ଖେଳି ସିଏସ୍‍କେ ୧୦୦ଟି ଜିତିଛି, ୬୩ଟି ହାରିଛି, ଗୋଟିଏ ଟାଇ ରହିଛି ଏବଂ ଗୋଟିଏ ମ୍ୟାଚ୍‍ ବାତିଲ ହୋଇଛି। ୨ ବର୍ଷ ପରେ ସିଏସ୍‍କେକୁ ପୁଣିଥରେ ଟାଇଟଲ ଜିତିବା ଲକ୍ଷ୍ୟରେ ଚଳିତବର୍ଷ ପଡ଼ିଆକୁ ଓହ୍ଲାଇବେ ଧୋନି। ଟ୍ୱେଣ୍ଟି୨୦ କ୍ରିକେଟ୍‍ କେବଳ ଛକା, ଚୌକାର ଖେଳ ନୁହେଁ; ଏଥିରେ ସଫଳ ନେତୃତ୍ୱ ଓ ବୁଦ୍ଧିମାନଭରା ନିଷ୍ପତ୍ତିର ମଧ୍ୟ ବହୁତ ଗୁରୁତ୍ୱ ରହିଛି ବୋଲି ଧୋନି ପ୍ରମାଣିତ କରି ପାରିଛନ୍ତି। ଅଦ୍ୟାବଧି ଧୋନି ଆଇପିଏଲ୍‍ରେ ୧୯୦ଟି ମ୍ୟାଚ୍‍ ଖେଳି ୨୩ଟି ଅର୍ଦ୍ଧଶତକ ସହ ୪୪୩୨ ରନ୍‍ ସ୍କୋର୍‍ କରିଛନ୍ତି। ସିଏସ୍‍କେର ବେଶ୍‍ ସଂଖ୍ୟକ ବିଜୟରେ ଧୋନି ଫିନିସର ଭୂମିକା ନିର୍ବାହ କରିଛନ୍ତି। ଚଳିତବର୍ଷ ଧୋନି ସିଏସ୍‍କେ ପାଇଁ ଆଇପିଏଲ୍‍ ଖେଳୁଥିଲେ ହେଁ ଆସନ୍ତା ୨ ବର୍ଷ ଲାଗି ମଧ୍ୟ ଦଳରେ ରଖିବାକୁ ଆଗ୍ରହ ପ୍ରକାଶ କରିଛି ସିଏସ୍‍କେ। କାରଣ ଧୋନିଙ୍କ ନେତୃତ୍ୱ ଯୋଗୁଁ ସିଏସ୍‍କେ ଆଜି ଆଇପିଏ୍‍ଲର ଅନ୍ୟତମ ସଫଳ ଦଳର ମାନ୍ୟତା ପାଇପାରିଛି।

Comments are closed.