ଈଶ୍ବର ପ୍ରାପ୍ତିର ପଥ

0

ଏକଦାରାମକୃଷ୍ଣ ପରମହଂସ ଆପଣା ଶିଷ୍ୟମାନଙ୍କସହ ନାବରେ ଯାତ୍ରା କରୁଥାନ୍ତି। ନାବଟି ଆଗକୁଆଗକୁ ଯାଉଥାଏ। କୂଳରୁ ବେଶ କିଛି ବାଟ ଯିବା ପରେ ଜନୈକ ଶିଷ୍ୟ ପ୍ରଶ୍ନ କଲେ ଗୁରୁଦେବ! ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେତେବେଳେ ପୃଥିବୀରେ ପାପର ଭାରା ଅଧିକ ହୋଇଯାଏ, ସାଧୁସନ୍ଥମାନଙ୍କୁ ପାପୀମାନେ ଅବଜ୍ଞା କରନ୍ତି, ଧର୍ମର ହାନି ଘଟେ, ଲୋକେ ପାପ-ପୁଣ୍ୟର ବିଚାରଧାରା ଭୁଲି ଅନୈତିକ କର୍ମରେ ଲିପ୍ତ ରହନ୍ତି, ସେ ସମୟରେ ଧର୍ମସଂସ୍ଥାପନ ନିମନ୍ତେ ମୁଁ ପୃଥିବୀରେ ଅବତୀର୍ଣ୍ଣ ହୋଇଥାଏ। ପାପର ବିନାଶ ଓ ଧର୍ମରକ୍ଷା ମୋର ଦାୟିତ୍ବ ହୋଇଥାଏ। ଆଜି ଯେତେବେଳେ ପାପର ମାତ୍ରା ଅସମ୍ଭବ ଭାବରେ ବଢ଼ି ଚାଲିଛି, ଧର୍ମର ହାନି ହେଉଛି ସେତେବେଳେ ଭଗବାନ କୌଣସି ଅବତାରରେ ଦର୍ଶନ ଦେଉନାହାନ୍ତି କାହିଁକି। ମୁଁ ଅନେକବାର ପ୍ରଯତ୍ନ କଲିଣି ଈଶ୍ବରଙ୍କ ସାକ୍ଷାତ୍‌ ପାଇବା ପାଇଁ, ହେଲେ ଅସଫଳ ହୋଇଛି। ଯଦି ଭଗବାନ ଅଛନ୍ତି ତେବେ ଦର୍ଶନ ଦେଉନାହାନ୍ତି କି? ଶିଷ୍ୟର ଏଭଳି ବିଚିତ୍ର ପ୍ରଶ୍ନ ଶୁଣି ଗୁରୁ କିଛିକ୍ଷଣ ନୀରବ ରହିଥିଲେ। ହଠାତ୍‌ ଅନ୍ୟଜଣେ ଶିଷ୍ୟଙ୍କୁ କହିଥିଲେ ପ୍ରଶ୍ନକର୍ତ୍ତା ଶିଷ୍ୟଙ୍କୁ ନଦୀକୁ ଫିଙ୍ଗି ଦେବାକୁ। ଶିଷ୍ୟ ଜଣକ ଗୁରୁଙ୍କ ଏଭଳି ଆଦେଶ ଶୁଣି କିଛିକ୍ଷଣ ପାଇଁ ସ୍ତବ୍ଧ ହୋଇଯାଇଥିଲେ। ପ୍ରଥମେ ଦ୍ବିଧାଗ୍ରସ୍ତ ହେଲେ ମଧ୍ୟ ଗୁରୁଙ୍କ ଆଦେଶ ପାଳନ କରି ଶିଷ୍ୟକୁ ନାବରୁ ଫିଙ୍ଗି ଦେଇଥିଲେ।
ଶିଷ୍ୟ ପାଣିରେ ପଡ଼ିବା ପରେ ଜୀବନ ରକ୍ଷା ଲାଗି ସକଳ ପ୍ରଯତ୍ନ କରିଥିଲେ। ହାତଗୋଡ଼ ବାଡ଼େଇ ନାବ ନିକଟକୁ ଆସିବାକୁ ପୂର୍ଣ୍ଣ ମାତ୍ରାରେ ପ୍ରୟାସ କରିଥିଲେ। ଏସବୁ ଥିଲା କେବଳ ପ୍ରାଣରକ୍ଷା ପାଇଁ। ଶେଷରେ କୌଣସି ପ୍ରକାର ନାବ ନିକଟକୁ ଆସି ନାବକୁ ଧରିବାରେ ସକ୍ଷମ ହୋଇଥିଲେ। କ୍ଲାନ୍ତ ହୋଇପଡ଼ିଥିବା ଶିଷ୍ୟକୁ ଅନ୍ୟ ଶିଷ୍ୟମାନେ ହାତଧରି ଟେକିଆଣି ନାବରେ ବସାଇ ଦେଇଥିଲେ।
ଶିଷ୍ୟଟି ଗୁରୁଙ୍କର ଏଭଳି ଆଦେଶକୁ ଅମାନବୀୟ ଭାବି ମନେମନେ ଭୀଷଣ କ୍ଷୁବ୍ଧ ହୋଇଯାଇଥିଲେ ଗୁରୁଙ୍କ ଉପରେ। କିଛି ମାତ୍ରାରେ କ୍ରୋଧ ଓ କିଛି ମାତ୍ରାରେ ନିଜକୁ ବଞ୍ଚାଇବା ଜନିତ କସରତ ଭିତରେ ଶିଷ୍ୟଜଣକ ବେଦମ୍‌ ହୋଇଯାଇଥିଲେ। ପ୍ରକୃତିସ୍ଥ ହେବାପରେ ଗୁରୁଙ୍କ ଆଡ଼କୁ ବଡ଼ କରୁଣ ଦୃଷ୍ଟିରେ ଚାହିଁଥିଲେ। ବୋଧହୁଏ ପର୍ଯ୍ୟାଲୋଚନା କରୁଥିଲେ ଜଣେ ଦେବୋପମ ଗୁୁରୁ ଏଭଳି ନିର୍ଦୟ ପଦକ୍ଷେପ ନେଲେ କାହିଁକି?
ଏହା ଲକ୍ଷ୍ୟ କରି ରାମକୃଷ୍ଣ କହିଲେ- ବତ୍ସ! କ୍ରୋଧ ପରିହାର କର। ମୁଁ ତୁମ ପ୍ରଶ୍ନର ଉତ୍ତର ଦେବାକୁ ଏଭଳି କରିଥିଲି। ତୁମେ ପାଣିରେ ପଡ଼ିବା ପରେ ନିଜକୁ ବଞ୍ଚାଇବା ଲାଗି, ପ୍ରାଣରକ୍ଷା ଲାଗି ସକଳପ୍ରକାର ପ୍ରଯତ୍ନ କରିଥିଲ। କେବେ ଈଶ୍ବରଙ୍କୁ ପାଇବା ଲାଗି ଏଭଳି ପ୍ରଯତ୍ନ କରିଛ କି? ମନେ ପକାଅ ତ? ଜୀବନକୁ ବାଜିଲଗାଇ ଜୀବନ ବଞ୍ଚାଇବାଲାଗି ଯେଭଳି ଏକନିଷ୍ଠ ଉଦ୍ୟମ କରିଥିଲ, ଈଶ୍ବରଙ୍କୁ ପାଇବା ଲାଗି ସେହିଭଳି ପ୍ରୟାସ କଲେ ନିଷ୍କର୍ଷ ନିଶ୍ଚୟ ବାହାରିବ, ଏଥିରେ ସନ୍ଦେହ ନାହିଁ। ଶିଷ୍ୟକୁ ନିଜ ପ୍ରଶ୍ନର ଉତ୍ତର ମିଳିଯାଇଥିଲା।

Leave A Reply