ତୃତୀୟ ସ୍ଥାନ ପାଇଁ ଇଂଲଣ୍ଡ-ବେଲ୍‍ଜିୟମ ମୁକାବିଲା ଆଜି

0

ସେଣ୍ଟ ପିଟସ୍‍ବର୍ଗ : ଫିଫା ବିଶ୍ୱକପ୍‍ ଫୁଟବଲ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ତୃତୀୟ ସ୍ଥାନ ନିମନ୍ତେ ଇଂଲଣ୍ଡ ଓ ବେଲ୍‍ଜିୟମ ମଧ୍ୟରେ ମୁକାବିଲା ହେବ।
ସେମିଫାଇନାଲରେ ଫ୍ରାନ୍‍ସ ଦଳ ବେଲ୍‍ଜିୟମକୁ ୧-୦ ଗୋଲ୍‍ରେ ପରାସ୍ତ କରିଥିବା ବେଳେ ଇଂଲଣ୍ଡକୁ କ୍ରୋଏସିଆ ୨-୧ ଗୋଲ୍‍ରେ ପରାସ୍ତ କରିଥିଲା। ଉଭୟ ବେଲ୍‍ଜିୟମ ଓ ଇଂଲଣ୍ଡ ବିଶ୍ୱକପ୍‍ ଆରମ୍ଭରୁ ବେଶ୍‍ ଚମତ୍କାର ପ୍ରଦର୍ଶନ କରିଥିଲେ। ଉଭୟ ଦଳକୁ ବିଶ୍ୱକପ୍‍ ବିଜେତା ହେବାର ପ୍ରମୁଖ ଦାବିଦାର ଭାବେ ପରିଗଣିତ କରାଯାଉଥିଲା। ବେଲ୍‍ଜିୟମକୁ ବିଶ୍ୱକପ୍‍ର ଡାର୍କହର୍ସ କୁହାଯାଉଥିବା ବେଳେ ହ୍ୟାରି କେନ୍‍ଙ୍କ ନେତୃତ୍ୱାଧୀନ ଯୁବ ଇଂଲଣ୍ଡ ଦଳ ନିଜ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ଚକିତ କରି ଦେଇଥିଲା। କ୍ୱାର୍ଟର ଫାଇନାଲରେ ବେଲ୍‍ଜିୟମ ଶକ୍ତିଶାଳୀ ବ୍ରାଜିଲ୍‍କୁ ୨-୧ ଗୋଲ୍‍ରେ ପରାସ୍ତ କରିଥିବା ବେଳେ ଇଂଲଣ୍ଡ ୨-୦ ଗୋଲ୍‍ରେ ସ୍ୱିଡେନ୍‍କୁ ପରାସ୍ତ କରିଥିଲା। ତେବେ ସେମିଫାଇନାଲରେ ଉଭୟ ବେଲ୍‍ଜିୟମ ଓ ଇଂଲଣ୍ଡ ଲଢ଼ୁଆ ଖେଳ ପ୍ରଦର୍ଶନ ସତ୍ତ୍ବେ ପରାଜିତ ହୋଇଥିଲା। ବେଲ୍‍ଜିୟମ ଦଳରେ ଥିବା ଲୁକାକୁ ଓ ଏଡେନ୍‍ ହାଜାର୍ଡ ବିଶ୍ୱକପ୍‍ରେ ନିଜ ପ୍ରତିଭାର ଭରପୂର ପରିଚୟ ପ୍ରଦାନ କରି ସାରିଛନ୍ତି। ଅନ୍ୟପକ୍ଷରେ ଇଂଲଣ୍ଡ ଦଳର ତାରକା ଫରୱାର୍ଡ ହ୍ୟାରି କେନ୍‍ ଯେପରି ଭାବେ ପ୍ରଦର୍ଶନ କରିଛନ୍ତି ତାହାକୁ ଦେଖିଲେ ସେ ଭବିଷ୍ୟତରେ ଜଣେ ପ୍ରଖ୍ୟାତ ଖେଳାଳି ଭାବେ ବିଶ୍ୱ ଫୁଟବଲ ଜଗତରେ ଉଭା ହେବେ ଏଥିରେ କୌଣସି ସନ୍ଦେହ ନାହିଁ।
ବେଲ୍‍ଜିୟମ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ସ୍ଥାନ ନିମନ୍ତେ ମ୍ୟାଚ୍‍ ଖେଳାଯିବା ସଂପର୍କରେ ମତ ଦେଇ ଇଂଲଣ୍ଡର ମ୍ୟାନେଜର ସାଉଥଗେଟ୍‍ କହିଛନ୍ତି ବିଶ୍ୱକପ୍‍ର ଏହି ମ୍ୟାଚ୍‍ ଖେଳିବାକୁ କୌଣସି ଦଳ ଚାହାନ୍ତି ନାହିଁ। ତେବେ ଉଭୟ ଦଳ ଏହି ମ୍ୟାଚ୍‍ ଜିତି ସମ୍ମାନର ସହ ସ୍ୱଦେଶ ଫେରିବାକୁ ଲକ୍ଷ୍ୟ ରଖିଥିବା ସ୍ପଷ୍ଟ। ୨୩ ଜଣିଆ ଇଂଲଣ୍ଡ ଦଳରେ ଥିବା ଗୋଲରକ୍ଷକ ଜ୍ୟାକ୍‍ ବଟ୍‍ଲ୍ୟାଣ୍ଡ ଓ ନିକ୍‍ ପୋପେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ୍‍ ଖେଳିନଥିବାରୁ ସେମାନଙ୍କୁ ତୃତୀୟ ସ୍ଥାନ ପାଇଁ ଖେଳାଯିବାକୁ ଥିବା ମ୍ୟାଚ୍‍ରେ ସୁଯୋଗ ମିଳିବାର ଆଶା ରହିଛି।

Leave A Reply