ରଥଯାତ୍ରାରେ ମଲ୍ଟି ମିଡିଆ ଫଟୋ ପ୍ରଦର୍ଶନୀ

0

ପୁରୀ  : ଶ୍ରୀଜୀଉଙ୍କ ରଥଯାତ୍ରା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ପୁରୀ ଶରଧାବାଲିରେ ଆୟୋଜିତ ହୋଇଛି ମଲ୍ଟି ମିଡିଆ ଫଟୋ ପ୍ରଦର୍ଶନୀ। କେନ୍ଦ୍ର ସରକାରଙ୍କ ୪୮ମାସର ପରିବର୍ତ୍ତିତ ଭାରତ ଫଟୋଚିତ୍ର ସେଥିରେ ସ୍ଥାନ ପାଇଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର କାର୍ଯ୍ୟକ୍ରମ ଉଦ୍‍ଘାଟନ କରିଛନ୍ତି। ସେ କହିଲେ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ରଥଯାତ୍ରା ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ। ଏହି ଅବସରରେ ସେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମନ୍ତ୍ରାଳୟର ଅତିରିକ୍ତ ମହାନିର୍ଦେଶକ ରଞ୍ଜନା ଦେବଶର୍ମା ଓ ଅତିରିକ୍ତ ନିର୍ଦେଶକ ଗୋପା ବିଶ୍ୱାସ ଉଦ୍‍ଘାଟନ ସମାରୋହରେ ଉପସ୍ଥିତ ଥିଲେ। ରିଜିଓନାଲ ଆଉଟରିଚ୍‍ ବ୍ୟୁରୋ ଏବଂ ବ୍ୟୁରୋ ଅଫ୍‍ ଆଉଟରିଚ୍‍ ଓ କମ୍ୟୁନିକେସନ ପକ୍ଷରୁ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ସେଥିରେ ଏନଟିପିସି, ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ, ଖଦି ଓ ଗ୍ରାମୋଦ୍ୟୋଗ କମିଶନ ପକ୍ଷରୁ ଷ୍ଟଲ ଖୋଲାଯାଇଛି। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଓ ଉଜ୍ଜ୍ୱଳା ଯୋଜନା, ଦୀନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା, ଆୟୁଷ୍ମାନ ଭାରତ, ମୁଦ୍ରା, ମାତୃବନ୍ଦନା ଯୋଜନା, ଖେଲୋ ଇଣ୍ଡିଆ, ଜନଜାତି କଲ୍ୟାଣ, ସୁଗମ ଭାରତ ଓ ସମ୍ପୂର୍ଣ୍ଣ ଭାରତ, ଉପକୂଳ ରାଜପଥ ସମ୍ପର୍କରେ ସେଥିରେ ସୂଚନା ଦିଆଯାଇଛି।
କେନ୍ଦ୍ର ସରକାରଙ୍କ ୫୭୦କୋଟି ଟଙ୍କା ବ୍ୟୟରେ ବାଲେଶ୍ୱର, ବାରିପଦା, ବଲାଙ୍ଗୀର, କୋରାପୁଟ ଏବଂ ପୁରୀ ମେଡିକାଲ କଲେଜ ନିର୍ମାଣ କରାଯାଉଥିବା ପ୍ରଦର୍ଶନୀରେ କୁହାଯାଇଛି। ଏହାଛଡା ୩୬୦କୋଟି ଟଙ୍କା ବ୍ୟୟରେ କଟକ, ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜର ଆଧୁନିକୀକରଣ ଚାଲିଥିବା ସୂଚନା ଫଳକରେ ଉଲ୍ଲେଖ ରହିଛି। ତାଳଚେର ସାର କାରଖାନା ପୁନରୁଦ୍ଧାର ସମ୍ପର୍କରେ ସୂଚନା ଦିଆଯାଇଛି। ଶ୍ରୀଜୀଉଙ୍କ ବାହୁଡାଯାତ୍ରା ପର୍ଯ୍ୟନ୍ତ ପ୍ରଦର୍ଶନୀ ଖୋଲାରହିବ।

Leave A Reply