ଖୁବ୍‍ଶୀଘ୍ର ଭାରତ-ରୁଷ୍‍ ଟ୍ରାଏମ୍ପ କ୍ଷେପଣାସ୍ତ୍ର ରାଜିନାମା

0

ନୂଆଦିଲ୍ଲୀ : ଭାରତ ଓ ରୁଷ୍‍ ମଧ୍ୟରେ ଏସ୍‍-୪୦୦ ଟ୍ରାଏମ୍ପ କ୍ଷେପଣାସ୍ତ୍ର ରାଜିନାମା ଖୁବ୍‍ଶୀଘ୍ର ସ୍ୱାକ୍ଷରିତ ହେବାକୁ ଯାଉଛି। ବାୟୁସେନା ପାଇଁ ଉଦ୍ଦିଷ୍ଟ ଏହି କ୍ଷେପଣାସ୍ତ୍ର ରାଜିନାମା ସ୍ୱାକ୍ଷର ହେଲେ ଭାରତ ଉପରେ ଆମେରିକା କଟକଣା ଲଗାଇବ ନେଇ ରହିଥିବା ଆଶଙ୍କାକୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଖଣ୍ଡନ କରିଛନ୍ତି। ଶୁକ୍ରବାର ସୀତାରମଣ କହିଛନ୍ତି ଯେ ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିଶାଣ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ରାଜିନାମା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ୍‍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ହେବାକୁ ଥିବା ସାକ୍ଷାତ ଆଲୋଚନା କାଳରେ ଏହି ରାଜିନାମା ବିଧିବଦ୍ଧ ଭାବେ ସ୍ୱାକ୍ଷରିତ ହେବ। ସୀତାରମଣ କହିଛନ୍ତି ଯେ ରୁଷ୍‍ ଉପରେ ଆମେରିକା ଯେଉଁ କଟକଣା ଲାଗୁ କରିଛି ତାହା ଏହି ରାଜିନାମା ପାଇଁ କୌଣସି ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ। ୨୦୦୭ରୁ ରୁଷ୍‍ ସେନାରେ ଏସ୍‍-୪୦୦ ଟ୍ରାଏମ୍ପ କ୍ଷେପଣାସ୍ତ୍ର ଉପଯୋଗ କରାଯାଇଆସୁଛି। ଅତ୍ୟାଧୁନିକ ଶ୍ରେଣୀର ଏହି କ୍ଷେପଣାସ୍ତ୍ର ଭାରତର ସାମରିକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ। ଏହି କ୍ଷେପଣାସ୍ତ୍ର ସେକେଣ୍ଡ ପ୍ରତି ୪.୮ କିମି ବେଗରେ ଗତି କରିପାରିବ।

Leave A Reply