ପାକିସ୍ତାନରେ ବିସ୍ଫୋରଣ : ପ୍ରାର୍ଥୀଙ୍କ ସମେତ ୨୫ ମୃତ, ୭୦ ଆହତ

0

ଇସଲାମାବାଦ : ଆତଙ୍କବାଦୀମାନେ ପାକିସ୍ତାନ ନିର୍ବାଚନ ଭଣ୍ଡୁର କରିବା ପାଇଁ ପୁନର୍ବାର ଉଦ୍ୟମ କରିଛନ୍ତି। ଶୁକ୍ରବାର ସେମାନେ ଘଟାଇଥିବା ଦୁଇଟି ବିସ୍ଫୋରଣରେ ଜଣେ ପ୍ରାର୍ଥୀଙ୍କ ସମେତ ୨୦ଜଣଙ୍କ ପ୍ରାଣହାନି ଘଟିଛି ଓ ପ୍ରାୟ ୭୦ ଜଣ ଆହତ ହୋଇଛନ୍ତି। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବେଲୁଚିସ୍ତାନ ଆୱାମି ପାର୍ଟିର ଏକ ନିର୍ବାଚନ ଶୋଭାଯାତ୍ରାରେ ଆତ୍ମଘାତୀ ବିସ୍ଫୋରଣ ଘଟି ୨୦ଜଣ ପ୍ରାଣ ହରାଇଥିବାବେଳେ ୪୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ପାଞ୍ଚ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ପ୍ରାଦେଶିକ ବିଧାନସଭା ସଦସ୍ୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସିରାଜ ରାଇସାନିଙ୍କ ଶୋଭାଯାତ୍ରାରେ ଏହି ବିସ୍ଫୋରଣ ଘଟିଥିଲା ଓ ଏଥିରେ ରାଇସାନିଙ୍କର ମୃତ୍ୟୁ ହୋଇଛି। ରାଇସାନି ହେଉଛନ୍ତି ପୂର୍ବତନ ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ନୱା ଆସଲାମ ରାଇସାନିଙ୍କ ଭାଇ।
ସେହିଭଳି ପୂର୍ବାହ୍ଣରେ ଉତ୍ତର-ପଶ୍ଚିମ ପାକିସ୍ତାନର ୱାଜିରିସ୍ଥାନ ଜିଲା ଅନ୍ତର୍ଗତ ବାନୁଠାରେ ଏକ ନିର୍ବାଚନ ଶୋଭାଯାତ୍ରାରେ ଘଟିଥିବା ଏକ ବିସ୍ପୋରଣରେ ୫ଜଣ ପ୍ରାଣ ହରାଇଛନ୍ତି। ଖାଇବର ପାଖତୁନ୍‍ଖାୱା ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜମାତ ଉଲେମା-ଇ-ଇସଲାମ-ଫାଜଲ(ଜେୟୁଆଇ-ଏଫ୍‍) ନେତା ଆକ୍ରମ ଦୁରାନି ଆହତ ହୋଇଛନ୍ତି। ନୱାଜ ସରିଫଙ୍କ ସହଯୋଗୀ ଉକ୍ତ ଇସ୍‍ଲାମିକ ରାଜନୈତିକ ଦଳର ଶୋଭାଯାତ୍ରା ଯାଉଥିବାବେଳେ ସଭାସ୍ଥଳଠାରୁ ମାତ୍ର କେଇ ମିଟର ଦୂରରେ ମୋଟର ସାଇକଲରେ ଖଞ୍ଜା ଯାଇଥିବା ବୋମା ବିସ୍ଫୋରଣ ଘଟିଥିଲା। ଦୁରାନିଙ୍କ ଅତି ନିକଟରେ ବିସ୍ଫୋରଣ ହୋଇଥିଲେ ମଧ୍ୟ ସୌଭାଗ୍ୟବଶତଃ ସେ ବର୍ତ୍ତି ଯାଇଛନ୍ତି। କ୍ରିକେଟରରୁ ରାଜନେତା ହୋଇଥିବା ତେହାରିକ୍‍-ଇ-ଇନ୍‍ସାଫ୍‍ ଦଳର ନେତା ଇ୍ରମାନ ଖାଁଙ୍କ ବିରୋଧରେ ସମ୍ପୃକ୍ତ ଅଞ୍ଚଳରୁ ପ୍ରାର୍ଥୀ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆସନ୍ତା ୨୫ତାରିଖରେ ଦେଶରେ ନିର୍ବାଚନ ହେବାକୁ ଥିବାବେଳେ ଏହା ହେଉଛି ନିର୍ବାଚନ ଶୋଭାଯାତ୍ରା ଉପରେ ତୃତୀୟ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ। ଗତ ୧୦ତାରିଖରେ ପେଶୱାରଠାରେ ତାଲିବାନ୍‍ ପକ୍ଷରୁ ଘଟାଯାଇଥିବା ଏଭଳି ଏକ ବିସ୍ଫୋରଣରେ ଆୱାମୀ ନ୍ୟାସନାଲ ପାର୍ଟି ନେତା ହାରୁନ୍‍ ବିଲୁରଙ୍କ ସମେତ ୧୯ଜଣଙ୍କ ମୃତ୍ୟୁ ହୋଇଥିଲା। ପୂର୍ବରୁ ଖାଇବର ପାଖତୁନ୍‍ଖାୱା ପ୍ରଦେଶରେ ଅନ୍ୟ ଏକ ବିସ୍ଫୋରଣରେ ୭ ଜଣଙ୍କ ପ୍ରାଣ ହରାଇଥିଲେ।

Leave A Reply