ଭାରତକୁ ଧକ୍କା : ପାକିସ୍ତାନ ହାଜତକୁ ଗଲା ଦାଉଦ୍‍ ସହଯୋଗୀ

0

ନୂଆଦିଲ୍ଲୀ : ଭାରତୀୟ ଗୁଇନ୍ଦା ସଂସ୍ଥାର ସହଯୋଗ କ୍ରମେ ସଂଯୁକ୍ତ ଆରବ ଏମିରେଟ୍‍ସ (ୟୁଏଇ) ଅଣ୍ଡରୱାର୍ଲଡ ଡନ୍‍ ଦାଉଦ୍‍ ଇବ୍ରାହିମ୍‍ର ସହଯୋଗୀ ତଥା ସନ୍ଦିଗ୍ଧ ଆତଙ୍କବାଦୀ ଫାରୁକ ଦେବଦିୱାଲାକୁ ଗିରଫ କରିବାକୁ ସକ୍ଷମ ହୋଇଥିଲେ ମଧ୍ୟ ତାକୁ ପାକିସ୍ତାନକୁ ହସ୍ତାନ୍ତର କରାଯାଇଛି। ଫଳରେ ଭାରତର ଆତଙ୍କବାଦ ଦମନ ଅଭିଯାନକୁ ଧକ୍କା ଲାଗିଛି। ଫାରୁକ୍‍ ବିଜେପି ନେତା ହରେନ୍‍ ପାଣ୍ଡେ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‍ଆଇ ସହିତ ମିଶି ଫାରୁକ ଆତଙ୍କବାଦ ଚଳାଉଥିବା ସନ୍ଦେହରେ ଭାରତୀୟ ଅଧିକାରୀମାନେ ତା’ ବିରୋଧରେ ବ୍ୟାପକ ତଦନ୍ତ ଆରମ୍ଭ କରିଥିଲେ। ସେ ଦୁବାଇରେ ଲୁଚି ରହିଥିବା ନେଇ ଭାରତୀୟ ଗୁଇନ୍ଦା ସଂସ୍ଥା ନିକଟରେ ୟୁଏଇ ଅଧିକାରୀଙ୍କୁ ସୂଚନା ଦେଇଥିଲା। ମୁମ୍ବଇର ଯୋଗେଶ୍ୱରୀ ନିବାସୀ ସାମ୍‍ ନାମକ ଜଣେ ବ୍ୟକ୍ତି ସହ ଫାରୁକ୍‍କୁ ୟୁଏଇ ଅଧିକାରୀ ଦୁବାଇଠାରୁ ଗିରଫ କରିଥିଲେ। ୟୁଏଇ କର୍ତ୍ତୃପକ୍ଷ ସାମ୍‍କୁ ମଧ୍ୟ ପାକିସ୍ତାନକୁ ହସ୍ତାନ୍ତର କରିଛନ୍ତି। ଗତ ସପ୍ତାହରେ ସେମାନଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ପୂର୍ଣ୍ଣ ହୋଇଥିବା ଜଣାପଡିଛି। ଅନ୍ୟପଟେ ଅତି ନାଟକୀୟ ଢଙ୍ଗରେ ଫାରୁକ୍‍ ଭାରତୀୟ ନୁହେଁ; ବରଂ ପାକିସ୍ତାନୀ ନାଗରିକ ବୋଲି ପାକିସ୍ତାନ ଦାବି କରିଛି। ଏ ସମ୍ବନ୍ଧରେ ମିଥ୍ୟା ପ୍ରମାଣପତ୍ର ଦାଖଲ କରି ପାକିସ୍ତାନ ତାକୁ ନିଜ ହାଜତକୁ ନେବାରେ ସକ୍ଷମ ହୋଇଛି ବୋଲି ଭାରତୀୟ ଗୁଇନ୍ଦା ଅଧିକାରୀମାନେ କହିଛନ୍ତି। ଭାରତ ମାଟିରେ ଆକ୍ରମଣ ଘଟାଇବା ଲାଗି ଆତଙ୍କବାଦୀଙ୍କୁ ନିଯୁକ୍ତି ତଥା ପ୍ରଶିକ୍ଷଣ ଦେବା ରେ ଫାରୁକ୍‍ର ପ୍ରଚ୍ଛନ୍ନ ହାତ ରହିଥିବା ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି। ଗୁଇନ୍ଦା ସୂଚନା ମୁତାବକ ବିଦେଶୀ ମାଟିରେ ଗିରଫ ଭାରତର ‘ୱାଣ୍ଟେଡ୍‍’ ଆତଙ୍କବାଦୀଙ୍କ ଉପରେ ଦୃଷ୍ଟି ରଖିବା ଲାଗି ଆଇଏସ୍‍ଆଇ ଏକ ସ୍ୱତନ୍ତ୍ର ଦଳ ଗଠନ କରିଛି। ମିଥ୍ୟା ଦସ୍ତାବିଜ୍‍ ଉପସ୍ଥାପନ କରି ସେମାନଙ୍କୁ ଭାରତ ପ୍ରତ୍ୟର୍ପଣରୁ ସୁରକ୍ଷା ଦେବା ଦିଗରେ ଏହି ଦଳ କାର୍ଯ୍ୟ କରୁଛି।

Leave A Reply