ମହାରାଷ୍ଟ୍ରରେ ଏଣିକି ସିନେମା ହଲକୁ ନେଇ ହେବ ଖାଦ୍ୟ

0

ମୁମ୍ବଇ : ମହାରାଷ୍ଟ୍ରରେ ମଲ୍ଟିପ୍ଲେକ୍ସରେ ଚଳଚ୍ଚିତ୍ର ଦେଖୁଥିବା ଲୋକଙ୍କ ପାଇଁ ଖୁସି ଖବର। ବମ୍ବେ ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ମହାରାଷ୍ଟ୍ର ସରକାର ସିନେମା ହଲ ଭିତରକୁ ସାଥିରେ ଖାଦ୍ୟ ଏବଂ ପାନୀୟ ନେଇ ଯିବାକୁ ଅନୁମତି ପ୍ରଦାନ କରିଛନ୍ତି। ଅଗଷ୍ଠ ୧ରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ। ଅର୍ଥାତ ଅଗଷ୍ଠ ୧ରୁ ଚଳଚ୍ଚିତ୍ର ଦେଖିବାକୁ ଯାଉଥିବା ଲୋକେ ସିନେମା ହଲ ଭିତରକୁ ଖାଦ୍ୟ ଏବଂ ପାନୀୟ ନେଇ ଯାଇପାରିବେ। ଏହାଦ୍ୱାରା ସିନେମା ହଲ ବାହାରେ ବିକ୍ରି ହେଉଥିବା ଖାଦ୍ୟ ଉତ୍ପାଦର ଦର କମିବ ବୋଲି ଆଶା କରାଯାଉଛି। ଏହାସହ ମହାରାଷ୍ଟ୍ର ସରକାର ସୂଚନା ଦେଇଛନ୍ତି ଯେ ଏନେଇ ମଲ୍ଟିପ୍ଲେକ୍ସ ମାଲିକଙ୍କ ସହ ବୈଠକ କରାଯିବ। ମଲ୍ଟିପ୍ଲେକ୍ସ ଭିତରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ଦର, ବଜାର ଦର ସହ ସମାନ କରାଯିବ। ଉଲ୍ଲେଖ ଯେ ବାହାର ଖାଦ୍ୟକୁ ସିନେମା ହଲ ଭିତରକୁ ନେଇ ଯିବାକୁ ଲୋକଙ୍କୁ ଅନୁମତି ଦେବା ପାଇଁ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଜୈନେନ୍ଦ୍ର ବକ୍ସି ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାଖଲ ଜନସ୍ୱାର୍ଥ ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟର ବିଚାରପତି ଆରଏମ୍‍ ବୋର୍ଡେ ଏବଂ ଜଷ୍ଟିସ୍‍ ରାଶେଖ ଖେତକରଙ୍କ ଖଣ୍ଡପୀଠ କହିଥିଲେ ଯେ ସିନେମା ହଲ ମଧ୍ୟକୁ ବାହାର ଖାଦ୍ୟ ଏବଂ ପାନୀୟ ନେଇ ଯିବାକୁ ସମ୍ବିଧାନ କିମ୍ବା କୌଣସି ଆଇନ କଟକଣା ଲଗାଇନାହାନ୍ତି କିମ୍ବା ଲଗାଇ ପାରବେ ନାହିଁ। ସିନେମା ହଲ ପରିସରରେ ବିକ୍ରି ହେଉଥିବା ଖାଦ୍ୟ ଏବଂ ପାନୀୟର ଆକାଶ ଛୁଅାଁ ଦରକୁ ନେଇ ଲୋକେ ହନ୍ତସନ୍ତ ହେଉଥିଲା। ବଜାର ଦରଠାରୁ ସେଠାରେ ବିକ୍ରି ହେଉଥିବା ଖାଦ୍ୟ ଏବଂ ପାନୀୟ ଦର ଦ୍ୱିଗୁଣା ରହୁଥିବାରୁ ଲୋକେ ବିଭିନ୍ନ ସମୟରେ ଅଭିଯୋଗ କରି ଆସୁଥିଲେ। ଏବେ ବମ୍ବେ ହାଇକୋର୍ଟଙ୍କ ନିର୍ଦେଶ ପରେ ମହାରାଷ୍ଟ୍ର ସରକାରଙ୍କ ପଦକ୍ଷେପ ଲୋକଙ୍କୁ କିଛିଟା ଆଶ୍ୱସ୍ତି ଦେଇଛି।

Leave A Reply