ଅଯୋଧ୍ୟା ମାମଲା : ସିଆ ୱାକଫ ବୋର୍ଡ କହିଲା ଜମି ଆମର, ମନ୍ଦିର ପାଇଁ ଦାନ କରିବୁ

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ବହୁଚର୍ଚ୍ଚିତ ଅଯୋଧ୍ୟା ରାମ ଜନ୍ମଭୂମି ଓ ବାବ୍ରି ମସଜିଦ୍‍ ଭୂମି ବିବାଦ ମାମଲାରେ ଶୁକ୍ରବାର ସିଆ ୱାକଫ ବୋର୍ଡ ନିଜ ପକ୍ଷ ରଖିଛି। ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍‍ ଅଶୋକ ଭୂଷଣ ଏବଂ ଏସ୍‍ ଅବଦୁଲ ନାଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଗରେ ସିଆ ୱାକଫ ବୋର୍ଡ ପକ୍ଷରୁ ବରିଷ୍ଠ ଓକିଲ ଏସ୍‍.ଏନ୍‍, ସିଂହ କହିଥିଲେ ଯେ ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ବିବାଦୀୟ ଜମିକୁ ତିନି ଅଂଶୀଦାରଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟିଦେବାକୁ ନିର୍ଦେଶ ଦେଇଥିଲେ। ଏହି ତିନି ଅଂଶୀଦାରଙ୍କ ମଧ୍ୟରୁ ମୁସଲମାନଙ୍କୁ ପ୍ରଦାନ କରାଯାଇଥିବା ଜମିର ପ୍ରକୃତ ଦାବିଦାର ହେଉଛି ସିଆ ୱାକଫ ବୋର୍ଡ। ବାବ୍ରି ମସଜିଦ୍‍ ନିର୍ମାଣ କରିଥିବା ମୀର ବାକି ହେଉଛନ୍ତି ଜଣେ ସିଆ ମୁସଲମାନ ସମ୍ପ୍ରଦାୟର; ତେଣୁ ସିଆ ହିଁ ଏହି ବିବାଦୀୟ ଜମିର ମୁସଲମାନଙ୍କ ଭାଗର ପ୍ରକୃତ ଦାବିଦାର ଅଟେ। ବାବ୍ରି ମସଜିଦ୍‍ ନର୍ମାଣ କରିଥିବା ବ୍ୟକ୍ତି ଜଣେ ସିଆ ହୋଇଥିବାରୁ ସୁନ୍ନି ୱାକଫ ବୋର୍ଡ ଏହା ଉପରେ ଦାବି ଉପସ୍ଥାପନ କରିପାରିବ ନାହିଁ। ଏହି ମହାନ ଦେଶର ଏକତା, ଅଖଣ୍ଡତା, ଶାନ୍ତି ଏବଂ ସମୃଦ୍ଧି ପାଇଁ ସିଆ ୱାକଫ ବୋର୍ଡ ବିବାଦୀୟ ଭୂମିର ମୁସଲମାନଙ୍କ ଭାଗକୁ ରାମ ମନ୍ଦିର ନିର୍ମାଣ ପାଇଁ ଦାନ ଦେବାକୁ ଚାହୁଁଛି। ଉଲ୍ଲେଖ ଯେ ଏହା ପୂର୍ବରୁ ମଧ୍ୟ ସିଆ ୱାକଫ ବୋର୍ଡ ରାମ ମନ୍ଦିର ପାଇଁ ମୁସଲମାନଙ୍କ ଭାଗରେ ମିଳିଥିବା ଜମିକୁ ଦାନ ଦେବାକୁ ଯୁକ୍ତି ଉପସ୍ଥାପନ କରିଥିଲା।
ଅପରପକ୍ଷରେ ସୁନ୍ନି ୱାକଫ ବୋର୍ଡଙ୍କ ପକ୍ଷ ରଖି ବରିଷ୍ଠ ଆଇନଜୀବୀ ରାଜୀବ ଧାୱନ କହିଥିଲେ ଯେ ବାମିୟାନ ବୁଦ୍ଧଙ୍କୁ ମୂର୍ତ୍ତିଙ୍କୁ ମୁସଲିମ୍‍ ତାଲିବାନ ନଷ୍ଟ କରିଦେଇଥିଲେ। ସେହିପରି ବାବ୍ରି ମସଜିଦ୍‍କୁ ହିନ୍ଦୁ ତାଲିବାନ ଧ୍ୱଂସ କରିଛନ୍ତି। ଉଲ୍ଲେଖ ଯେ ପୂର୍ବରୁ ମଇ ୧୭ରେ ଶୁଣାଣି ଅବସରରେ ହିନ୍ଦୁ ସଂଗଠନ ପକ୍ଷରୁ କୁହାଯାଇଥିଲା ଯେ ବାବ୍ରି ମସଜିଦ୍‍ ପାଇଁ କୌଣସି ବିଶେଷସ୍ଥାନାର କିଛି ମହତ୍ୱ ନାହିଁ। କିନ୍ତୁ ରାମ ଜନ୍ମସ୍ଥଳୀର ଧାର୍ମିକ ମହତ୍ୱ ରହିଛି ଏବଂ ହିନ୍ଦୁଙ୍କ ଧାର୍ମିକ ଭାବନା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ। ତେଣୁ ରାମ ଜନ୍ମଭୂମି ସ୍ଥାନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ହେବନାହିଁ। ଏହାପରେ ଜୁଲାଇ ୭ରେ ସୁନ୍ନି ୱାକଫ ବୋର୍ଡ ପକ୍ଷ ରଖି ରାଜୀବ ଧାୱନ କହିଥିଲେ ଯେ ମସଜିଦ୍‍ କୌଣସି ମନୋରଞ୍ଜନ ପାଇଁ ନିର୍ମାଣ କରାଯାଇନଥିଲା, ଏଠାରେ ଶତାଧିକ ଲୋକ ନମାଜ ପଢୁଥିଲେ। ଇସଲାମ ଧର୍ମରେ କୌଣସି ବି ସ୍ଥାନରେ ନମାଜ ପାଠ କରିହେବ। କିନ୍ତୁ ମୁସଲମାନଙ୍କ ପାଇଁ ମସଜିଦ୍‍ ଗୁରୁତ୍ୱପୂର୍ଣ୍ଣ ଅଟେ ଓ ସାମୂହିକ ନମାଜ ପାଠ ମସଜିଜରେ ହୋଇଥାଏ। ମସଜିଦ୍‍କୁ ଇସଲାମର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ନ ମାନିବା ନେଇ ସୁପ୍ରିମକୋର୍ଟର ରାୟ ଭୁଲ ଅଟେ।
ପ୍ରକାଶ ଯେ ୨୦୧୦ରେ ଆହ୍ଲାବାଦ ହାଇକୋର୍ଟଙ୍କ ତିନିଜଣିଆ ବିଚାରପତି ପୀଠ ଅଯୋଧ୍ୟାସ୍ଥିତ ବିବାଦୀୟ ମନ୍ଦିର ଜମିକୁ ପ୍ରମୁଖ ତିନି ଅଂଶୀଦାରଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟିଦେଇଥିଲେ। ୨.୭୭ ଏକର ଜମିକୁ ତିନି ପ୍ରମୁଖ ଅଂଶୀଦାର ବାଣ୍ଟିନେବା ଲାଗି କୁହାଯାଇଥିଲା; ମାତ୍ର ଏହାକୁ ଅଂଶୀଦାରମାନେ ଗ୍ରହଣ ନ କରି ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି। ଏହି ବିବାଦକୁ ନେଇ ୧୪ଟି ପିଟିସନ ଦାଏର ହୋଇଛି। ଏହି ବିବାଦରେ ତିନିଜଣ ମୁଖ୍ୟ ଅଂଶୀଦାର ରହିଛନ୍ତି। ସେମାନେ ହେଲେ ରାମ ଲାଲା, ନିର୍ମୋହି ଆଖଡା ଓ ସୁନ୍ନି ୱାକଫ ବୋର୍ଡ।

Leave A Reply