ଫାଇନାଲରେ କ୍ରୋଏସିଆ

0

ମସ୍କୋ : ଚଳିତ ଫୁଟ୍‍ବଲ ବିଶ୍ୱକପ୍‍ର ଫାଇନାଲରେ ଫ୍ରାନ୍‍ସ ଓ କ୍ରୋଏସିଆ ମଧ୍ୟରେ ମୁକାବିଲା ହେବ। ପ୍ରଥମ ସେମିଫାଇନାଲରେ ଜିତି ଫ୍ରାନ୍‍ସ ଫାଇନାଲରେ ପହଞ୍ଚି ସାରିଥିବା ବେଳେ ବୁଧବାର ୨ୟ ସେମିଫାଇନାଲରେ ଅତିରିକ୍ତ ସମୟରେ ଇଂଲଣ୍ଡକୁ ୨-୧ ଗୋଲ୍‍ରେ କ୍ରୋଏସିଆ ପରାସ୍ତ କରିଛି। ମ୍ୟାଚ୍‍ର ୫ମ ମିିନିଟରେ ଫ୍ରିକିକ୍‍ରୁ ଇଂଲଣ୍ଡର କିରନ୍‍ ଟିପିଅର ଗୋଲ୍‍ ସ୍କୋର୍‍ କରିଥିଲେ ହେଁ ୬୮ ମିନିଟରେ କ୍ରୋଏସିଆର ଇଭାନ୍‍ ପେରିସିଚ୍‍ ଗୋଲ୍‍ ସୁଝାଇ ଦେଇଥିଲେ। ଅତିରିକ୍ତ ସମୟରେ କ୍ରୋଏସିଆର ମାରିଓ ମାଣ୍ଡ୍‍ଜୁକିଚ୍‍ ୨ୟ ଗୋଲ୍‍ ଦେଇଥିଲେ। ଏହି ବିଜୟ ସହ ପ୍ରଥମଥର ବିଶ୍ୱକପ୍‍ ଫାଇନାଲରେ ପହଞ୍ଚି ଇତିହାସ ସୃଷ୍ଟିକରିଛି କ୍ରୋଏସିଆ। ଅନ୍ୟପକ୍ଷରେ ଇଂଲଣ୍ଡର ୨ୟ ଥର ଚମ୍ପିଆନ୍‍ ହେବା ସ୍ୱପ୍ନ ତୁଟିଯାଇଛି। ଶନିବାର ବେଲ୍‍ଜିୟମ୍‍ ସହ ଇଂଲଣ୍ଡ ୩ୟ ସ୍ଥାନ ପାଇଁ ମ୍ୟାଚ୍‍ ଖେଳିବ। ରବିବାର ଫାଇନାଲରେ ଫ୍ରାନ୍‍ସ-କ୍ରୋଏସିଆ ମୁକାବିଲା ହେବ। ମ୍ୟାଚ୍‍ ଧିମାଗତିରେ ଆରମ୍ଭ ହୋଇଥିଲା। ୫ମ ମିନିଟ୍‍ରେ ଇଂଲଣ୍ଡ ଗୋଲ୍‍ଦେଇ ଆଗୁଆ ହୋଇ ଯାଇଥିଲା। କ୍ରୋଏସିଆର ପେନାଲ୍‍ଟି ବକ୍ସର ବାହାରେ ଇଂଲଣ୍ଡର ରହିମ୍‍ ଷ୍ଟର୍ଲିଂଙ୍କୁ ଫାଉଲ୍‍ମାରି ପକାଇ ଦେଇଥିଲେ କ୍ରୋଏସିଆ ଅଧିନାୟକ ଲୁକା ମୋଡ୍ରିଚ୍‍। ଫଳରେ ଇଂଲଣ୍ଡକୁ ଫ୍ରିକିକ୍‍ ମିଳିଥିଲା। ଏଥିରୁ ସିଧା ସଟ୍‍ମାରି ଗୋଲ୍‍ ଦେଇଥିଲେ ଇଂଲଣ୍ଡର କିରନ୍‍ ଟିପିଅର। ଡିଫେନ୍‍ସ ୱାଲ୍‍ ଉପରେ ଟ୍ରିପିଅର ମାରିଥିବା ଏହି ସଟ୍‍କୁ କ୍ରୋଏସିଆ ଗୋଲ୍‍ରକ୍ଷକ ଡାନିଏଲ୍‍ ସୁବାସିଚ୍‍ ବୁଝି ପାରିନଥିଲେ। ଟ୍ରିପିଅରଙ୍କର ଏହା ପ୍ରଥମ ଆନ୍ତର୍ଜାତିକ ଗୋଲ୍‍ ଥିଲା। ୧୪ ମିନିଟରେ ଇଂଲଣ୍ଡର ୨ୟ କର୍ଣ୍ଣର କିକ୍‍ରୁ କିରନ୍‍ ଟ୍ରିପିଅରଙ୍କ ସଟ୍‍କୁ ଇଂଲଣ୍ଡର ହ୍ୟାରି ମାଗ୍ୱେର ହେଡ୍‍ କରିଥିଲେ ହେଁ ବଲ୍‍ ଗୋଲ୍‍ପୋଷ୍ଟ ବାହାରେ ଚାଲି ଯାଇଥିଲା। ୨୫ ମିନିଟରେ ଇଂଲଣ୍ଡ ଏକ ଦ୍ରୁତ ପ୍ରତ୍ୟାକ୍ରମଣ କରିଥିଲା। ଜେସି ଲିନ୍‍ଗାର୍ଡ ବଲ୍‍ ନେଇ କ୍ରୋଏସିଆ ଗୋଲ୍‍ ଆଡ଼କୁ ଆଗେଇ ଯାଇଥିଲେ ଏବଂ ସମ୍ମୁଖରେ ସାଥୀ ଖେଳାଳି ହ୍ୟାରି କେନ୍‍ ଓ ଡେଲ୍‍ ଅଲୀ ଥିଲେ ହେଁ ଲିନ୍‍ଗାର୍ଡଙ୍କ ପାସ୍‍ ତ୍ରୁଟିପୂର୍ଣ୍ଣ ଥିଲା। ୨୭ ମିନିଟରେ ଇଂଲଣ୍ଡକୁ ଫ୍ରିକିକ୍‍ ମିଳିଥିଲା। ତେବେ ଇଂଲଣ୍ଡର ଆସ୍‍ଲେ ୟଙ୍ଗ୍‍ଙ୍କ ସଟ୍‍କୁ କ୍ରୋଏସିଆ ଗୋଲ୍‍ରକ୍ଷକ ସୁବାସିଚ୍‍ ବାହାର କରି ଦେଇଥିଲେ। ୩୦ ମିନିଟରେ ଏକ ସହଜ ସୁଯୋଗ ଛାଡ଼ିଥିଲେ ହ୍ୟାରି କେନ୍‍। କେବଳ କ୍ରୋଏସିଆ ଗୋଲ୍‍ରକ୍ଷକ ସୁବାସିଚ୍‍ଙ୍କୁ ପରାସ୍ତ କରିବାର ଥିଲେ ହେଁ କେନ୍‍ ସିଧା ତାଙ୍କ ହାତକୁ ମାରିଥିଲେ। ୨ୟ ପ୍ରୟାସରେ କେନ୍‍ଙ୍କ ସଟ୍‍ ଗୋଲ୍‍ପୋଷ୍ଟରେ ବାଜିଥିଲା। ୩୬ ମିନିଟରେ ଇଂଲଣ୍ଡର ରହିମ୍‍ ଷ୍ଟର୍ଲିଂଙ୍କଠାରୁ ପାସ୍‍ ପାଇ ଜେସି ଲିନ୍‍ଗାର୍ଡ ସଟ୍‍ ମାରିଥିଲେ ହେଁ ଏହା ଦିଶାହୀନ ଥିଲା। ଏହିପରି ପ୍ରଥମାର୍ଦ୍ଧରେ ଇଂଲଣ୍ଡ ଭଲ ଫୁଟ୍‍ବଲ ଖେଳି ୧-୦ ଗୋଲ୍‍ରେ ଆଗୁଆ ରହିଥିଲା।
ଦ୍ୱିତୀୟାର୍ଦ୍ଧରେ ଗୋଲ୍‍ ସୁଝାଇବା ପ୍ରୟାସରେ କ୍ରୋଏସିଆ ଆକ୍ରମଣାତ୍ମକ ଫୁଟ୍‍ବଲ ଖେଳିଥିଲା। ୪୬ ମିନିଟରେ କ୍ରୋଏସିଆର ଆଣ୍ଟେ ରେବିଚ୍‍ ବଲ୍‍ ପାଇଥିଲେ ହେଁ ଏହାକୁ ନିୟନ୍ତ୍ରଣରେ ରଖି ପାରିନଥିଲେ। ୫୫ ମିନିଟରେ କ୍ରୋଏସିଆକୁ କର୍ଣ୍ଣର ମିଳିଥିଲେ ହେଁ ଏହା ବେକାର ହୋଇଥିଲା। ୫୯ ମିନିଟରେ କ୍ରୋଏସିଆର କର୍ଣ୍ଣରୁ ଅଧିନାୟକ ଲୁକା ମୋଡ୍ରିଚ୍‍ ମାରିଥିବା ସଟ୍‍କୁ ଇଂଲଣ୍ଡର ଗୋଲ୍‍ରକ୍ଷକ ଜୋର୍ଡାନ୍‍ ପିକ୍‍ଫୋର୍ଡ ବାହାର କରି ଦେଇଥିଲେ। ୬୧ ମିନିଟରେ କ୍ରୋଏସିଆର ଇଭାନ୍‍ ରାକିଟିଚ୍‍ ଇଂଲଣ୍ଡ ଗୋଲ୍‍ପୋଷ୍ଟ ଉପରକୁ ସଟ୍‍ ମାରିଥିଲେ ହେଁ ବଲ୍‍ ବାହାରେ ଚାଲି ଯାଇଥିଲା। ୬୮ ମିନିଟରେ କ୍ରୋଏସିଆ ଗୋଲ୍‍ ସୁଝାଇ ଦେଇଥିଲା। ସିମେ ଭର୍ସଲ୍‍କ୍ୟୋଙ୍କ କ୍ରସ୍‍ରୁ କ୍ରୋଏସିଆର ତାରକା ଖେଳାଳି ଇଭାନ୍‍ ପେରିସିଚ୍‍ ଏହି ଗୋଲ୍‍ଟି ଦେଇଥିଲେ। ଏହି ଗୋଲ୍‍ କ୍ରୋଏସିଆକୁ ଉତ୍ସାହିତ କରିଥିଲା ଏବଂ ଏହା ଆକ୍ରମଣାତ୍ମକ ଫୁଟ୍‍ବଲ ଖେଳିଥିଲା। ୭୨ ମିନିଟରେ ପେରିସିଚ୍‍ଙ୍କୁ ୨ୟ ଗୋଲ୍‍ଦେବାର ସୁଯୋଗ ମିଳିଥିଲା। ତେବେ କ୍ରୋଏସିଆର ପେରିସିଚ୍‍ଙ୍କ ସଟ୍‍ ଗୋଲ୍‍ପୋଷ୍ଟରେ ବାଜି ଫେରି ଆସିଥିଲା। ଏଥିରୁ ଆଣ୍ଟେ ରେବିଚ୍‍ ସିଧା ଇଂଲଣ୍ଡ ଗୋଲ୍‍ରକ୍ଷକ ଜୋର୍ଡାନ୍‍ ପିକ୍‍ଫୋର୍ଡଙ୍କ ହାତକୁ ମାରିଥିଲେ। ପରେ କ୍ରୋଏସିଆ ଘନଘନ ଆକ୍ରମଣ କରି ଇଂଲଣ୍ଡକୁ ଚାପରେ ରଖିଥିଲା। ୮୩ ମିିନିଟରେ ଇଂଲଣ୍ଡ ଏକ ଗୋଲ୍‍ ବରଣରୁ ବଞ୍ଚି ଯାଇଥିଲା। କ୍ରୋଏସିଆର ମାରିଓ ମାଣ୍ଡ୍‍ଜୁକିଚ୍‍ଙ୍କ ସଟ୍‍କୁ ଇଂଲଣ୍ଡ ଗୋଲ୍‍ରକ୍ଷକ ପିକ୍‍ଫୋର୍ଡ ରୋକି ଦେଇଥିଲେ। ଏହିପରି ନିର୍ଦ୍ଧାରିତ ୯୦ ମିନିଟର ଖେଳ ୧-୧ ଗୋଲ୍‍ରେ ଶେଷ ହୋଇଥିଲା।
ଅତିରିକ୍ତ ସମୟରେ ଇଂଲଣ୍ଡ କିଛି ସୁଯୋଗ ସୃଷ୍ଟି କରିଥିଲା। ୯୮ ମିନିଟରେ ଇଂଲଣ୍ଡ ଗୋଲ୍‍ଦେବାର ନିକଟବର୍ତ୍ତୀ ହୋଇଥିଲା। ଗୋଲ୍‍ ଅଭିମୁଖେ ଯାଉଥିବା ଜନ୍‍ ଷ୍ଟୋନ୍‍ସଙ୍କ ହେଡରକୁ ସିମେ ଭର୍ସଲ୍‍କ୍ୟୋ ଗୋଲ୍‍ ଲାଇନ୍‍ରୁ ହେଡ୍‍କରି ବାହାର କରି ଦେଇଥିଲେ। ୧୦୫ ମିନିଟରେ ଇଂଲଣ୍ଡ ଗୋଲ୍‍ରକ୍ଷକ ଜୋର୍ଡାନ୍‍ ପିକ୍‍ଫୋର୍ଡ ଏକ ନିଶ୍ଚିତ ଗୋଲ୍‍ ବଞ୍ଚାଇ ଦେଇଥିଲେ। ମାରିଓ ମାଣ୍ଡ୍‍ଜୁକିଚ୍‍ ଗୋଲ୍‍ଦେବାକୁ ଯାଉଥିବା ବେଳେ ପିକ୍‍ଫୋର୍ଡ ଆଗେଇ ଆସି ଶରୀରକୁ ବଲ୍‍ ସମ୍ମୁଖରେ ରଖି ଗୋଲ୍‍ ବଞ୍ଚାଇଥିଲେ। ୧୦୯ ମିନିଟରେ କ୍ରୋଏସିଆ ୨ୟ ଗୋଲ୍‍ ଦେଇଥିଲା। ଇଂଲଣ୍ଡ ଗୋଲ୍‍ପୋଷ୍ଟ ସମ୍ମୁଖରେ ବଲ୍‍ ପାଇଁ କ୍ରୋଏସିଆର ଷ୍ଟ୍ରାଇକର ମାରିଓ ମାଣ୍ଡ୍‍ଜୁକିଚ୍‍ ଏହି ବିଜୟସୂଚକ ୨ୟ ଗୋଲ୍‍ଟି ଦେଇଥିଲେ।

Leave A Reply