ଏମ୍ସର ନିଖୋଜ ଛାତ୍ରଙ୍କୁ ଖୋଜିବା ପାଇଁ କମିଶନରେଟ୍ ପୁଲିସର ଦିଲ୍ଲୀ ଯାତ୍ରା
ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସର ଦ୍ୱିତୀୟ ବର୍ଷର ନିଖୋଜ ଜମ୍ମୁକାଶ୍ମୀର ଛାତ୍ର ସୋହେଲ୍ ଏଜାଜ୍ଙ୍କୁ ଖୋଜିବା ପାଇଁ କମିଶନରେଟ୍ ପୁଲିସ୍ର ଏକ ତିନି ଜଣିଆ ଦଳ ଦିଲ୍ଲୀ ଯାତ୍ରା କରିଛି । ଗୁରୁଗ୍ରାମରେ ନିଖୋଜ ସୋହଲଙ୍କୁ ଜଣେ ସୁରକ୍ଷାକର୍ମୀ ଦେଖିଥିବା ନେଇ ଗଣମାଧ୍ୟମର ଖବର ପ୍ରକାଶ ପାଇଥିଲା । ଏହାପରେ ସୋହଲଙ୍କ ପିତାଙ୍କ ଠାରୁ ସୂଚନା ପାଇ କମିସନରେଟ ପୁଲିସ ଦିଲ୍ଲୀ ଯାଇଛି। ଦିଲ୍ଲୀରେ ଜଣେ ସଂପର୍କୀୟଙ୍କ ଘରେ ସୋହେଲ ଥିବା ସୂଚନା ପାଇ ପୁଲିସ ଦିଲ୍ଲୀ ଯାଇଛି। ଗତ ଫେବୃଆରୀ ୯ତାରିଖ ଠାରୁ ସୋହେଲ୍ ନିଖୋଜ ଅଛନ୍ତି । ସେହିଦିନ ଠାରୁ ସେ ତାଙ୍କ ପରିବାର କିମ୍ବା କୌଣସି ବନ୍ଧୁଙ୍କ ସହ ଯୋଗାଯୋଗ କରିନାହାନ୍ତି ।
ପୂର୍ବରୁ ସୋହେଲ୍ଙ୍କୁ ଖୋଜିବା ଲାଗି କମିଶନରେଟ୍ ପୁଲିସ୍ର ଏକ ୩ ଜଣିଆ ଟିମ୍ କଲକାତା ଯାଇଥିଲା। ଗତ ୧୦ ତାରିଖ ଭୋର୍ ୫ଟା ବେଳେ ସୋହେଲ୍ଙ୍କ ମୋବାଇଲ୍ ଫୋନ୍ ହାୱଡା ଷ୍ଟେସନ୍ ନିକଟରେ ସୁଇଚ୍ଅଫ୍ ହୋଇଥିଲା। ତା’ପରଠାରୁ ତାଙ୍କ ମୋବାଇଲ୍ ଫୋନ୍ ଆଉ ଖୋଲିନାହିଁ।
ସୋହେଲ୍ଙ୍କର ଘର ଜମ୍ମୁକାଶ୍ମୀରର କୁପୱାରା ଜିଲାର ମାସାରୀ ଚୌକିବାଲା। ଏଜାଜ୍ଙ୍କର ୬ ସନ୍ତାନଙ୍କ ମଧ୍ୟରୁ ସୋହେଲ୍ ତୃତୀୟ। ସୋହେଲ୍ଙ୍କର ୩ ଭଉଣୀ ଅଛନ୍ତି। ସେହି ଅଞ୍ଚଳର ପ୍ରଥମ ଛାତ୍ର ଭାବେ ସୋହେଲ୍ ଏମ୍ସ ଭଳି ଅନୁଷ୍ଠାନରେ ଡାକ୍ତରୀ ପଢ଼ିବାର ସୁଯୋଗ ପାଇଥିଲେ।