www.samajalive.in
Tuesday, December 9, 2025
26.1 C
Bhubaneswar

ଔଷଧ ବଦଳରେ ପେଟ୍ରୋଲରେ ଚିକିତ୍ସା ଯୋଗୁଁ ଯୁବକଙ୍କ ବୃଦ୍ଧାଙ୍ଗୁଳି କଟାଯାଇଥିବା ଅଭିଯୋଗ

ଦେବଗଡ: ଔଷଧ ବଦଳରେ ପେଟ୍ରୋଲ ଦ୍ୱାରା ଚିକିତ୍ସା ଯୋଗୁଁ ଜଣେ ଯୁବକଙ୍କ ଗୋଡର ଆଙ୍ଗୁଠି କଟା ଯାଇଥିବା ଅଭିଯୋଗ କରି ଉକ୍ତ ପରିବାର ଲୋକେ ଡାକ୍ତର ଓ ଫାର୍ମାସିଷ୍ଟଙ୍କ ବିରୁଦ୍ଧରେ କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି। ଅଭିଯୋଗ ଆଧାରରେ କୁଣ୍ଢେଇଗୋଳା ଥାନା ପୁଲିସ ଏକ ମାମଲା ରୁଜୁ କରିଥିଲେ ହେଁ ପୀଡିତଙ୍କ ପରିବାର ଲୋକଙ୍କୁ ୧ଲକ୍ଷ ଟଙ୍କା ବଦଳରେ ମାମଲାକୁ ଆପୋଶ ସମାଧାନ କରିବାକୁ ଚାପ ପ୍ରୟୋଗ କରାଯାଉଛି। ପୀଡିତଙ୍କୁ ଧରି ପରିବାର ଲୋକେ ଆଜି ଦେବଗଡ ଏସ୍‍ପିଙ୍କ କାର୍ୟ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ଡାକ୍ତର ଓ ସମ୍ପୃକ୍ତ ଫାର୍ମାସିଷ୍ଟଙ୍କ ସପକ୍ଷରେ ଅଂଚଳବାସୀ ମୁହଁ ଖୋଲି ସମ୍ପୃକ୍ତ ଡାକ୍ତର ଓ ଫାର୍ମାସିଷ୍ଟ ଅଂଚଲବାସିଙ୍କୁ ଉତ୍ତମ ସେବା ଯୋଗାଇ ଆସୁଥିବାବେଳେ ସେମାନଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ସେମାନଙ୍କୁ ମର୍ମାହତ କରିଛି ବୋଲି ସେମାନେ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଫଳରେ ଅଭିଯୋଗର ସତ୍ୟାସତ୍ୟ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

- Advertisement -

ପୀଡିତଙ୍କ ମା’ ଙ୍କ ଅଭିଯୋଗ ଅନୁଯାୟୀ, କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଉଟୁଣିଆ ଗ୍ରାମର ତ୍ରିପୁରାରୀ ପ୍ରଧାନଙ୍କ ପୁଅ ସନ୍ଦୀପ ପ୍ରଧାନ(୧୮)ଙ୍କ ଡାହାଣ ଗୋଡର ବୃଦ୍ଧାଙ୍ଗୁଳିରେ କଣନଖା ହୋଇଥିବାରୁ ଗତ ଜୁନ ୧୭ ତାରିଖ ଦିନ ଚିକିତ୍ସା ନିମନ୍ତେ ପଳସମା କ୍ଷେତ୍ରୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରେ କାର୍ୟ୍ୟରତ ଡାକ୍ତର ଚିତ୍ତରଞ୍ଜନ ସାହୁଙ୍କୁ ତାଙ୍କ ବୃଦ୍ଧାଙ୍ଗୁଳିରେ ହୋଇଥିବା କଣନଖା ଦେଖାଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଫର୍ମାସିଷ୍ଟ ପଦ୍ମନାଭ ସାହୁ ସନ୍ଦୀପଙ୍କ ଗୋଡରେ ହୋଇଥିବା କଣନଖାକୁ କାଟିବା ସହ ଉକ୍ତ ସ୍ଥାନରେ ଔଷଧ ବଦଳରେ ପେଟ୍ରୋଲ ଢାଳି ଚିକିତ୍ସା କରିଥିଲେ। ଫଳରେ ସନ୍ଦୀପଙ୍କ ଘାଆ ଠିକ ହେବା ପରିବର୍ତ୍ତେ ବୃଦ୍ଧି ପାଇବାସହ ଯନ୍ତ୍ରଣା ମଧ୍ୟ ବଢିଥିଲା। ଏହାଦେଖି ପରିବାର ଲୋକେ ଅଧିକ ଚିକିତ୍ସା ପାଇଁ ଛେଣ୍ଡିପଦା ଓ ଅନୁଗୁଳ ଡାକ୍ତରଖାନରେ ଚିକିତ୍ସା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଶେଷର ସେମାନେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନରେ ଚିକିତ୍ସା ପାଇଁ ସନ୍ଦୀପଙ୍କୁ ଭର୍ତ୍ତି କରିଥିଲେ। ତେବେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ସନ୍ଦୀପଙ୍କ ବୃଦ୍ଧାଙ୍ଗୁଳିରେ ସଂକ୍ରମଣ ହୋଇଯାଇଥିବାରୁ ସେଠାରେ ଡାକ୍ତରଙ୍କୁ ତାଙ୍କ ବୃଦ୍ଧାଙ୍ଗୁଳିକୁ କାଟିବାକୁ ପଡିଥିଲା। ଚିକିତ୍ସାରେ ଅବହେଳା ଯୋଗୁଁ ସନ୍ଦୀପଙ୍କ ବୃଦ୍ଧାଙ୍ଗୁଳି କଟାଯିବା ଯୋଗୁଁ ସେ ଅକର୍ମଣ୍ୟ ହୋଇଥିବା ଅଭିଯୋଗ କରି ସନ୍ଦୀପଙ୍କ ମାଆ ଅଞ୍ଜଳି ପ୍ରଧାନ ଗତ ୧୭ ତାରିଖରେ କୁଣ୍ଢେଇଗୋଳା ଥାନାରେ ଲିଖିତ ଏତଲା ଦେଇଥିଲେ। ଏତଲା ଆଧାରରେ ସେହିଦିନ ହିଁ କୁଣ୍ଢେଇଗୋଳା ଥାନା ସବ ଇନ୍ସପେକ୍ଟର ଆର୍‍.କେ.ମୁର୍ମୁଙ୍କୁ ତଦନ୍ତ ଅଧିକାରୀ ନିଯୁକ୍ତ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ପେଟ୍ରୋଲ ଦ୍ୱାରା ରୋଗୀର ଚିକିତ୍ସା ସମ୍ପର୍କରେ ପଳସମା ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଚିତ୍ତରଞ୍ଜନ ସାହୁ ଓ ଫାର୍ମାସିଷ୍ଟ ପଦ୍ମନାଭ ସାହୁଙ୍କୁ ପଚାରିବାରୁ ସନ୍ଦୀପଙ୍କ ଗୋଡରେ କଣନଖା ହେବାସହ ସେଥିରେ ପୋକ ହୋଇଯାଇଥିଲା। ସେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅସିବା ପରେ ମେଡିକାଲ ସାଇନ୍ସ ଅନୁଯାୟୀ ପାରମ୍ପରିକ ପଦ୍ଧତିରେ ତାଙ୍କର ଚିକିତ୍ସା କରାଯାଇଥିଲା ଓ ପେଟ୍ରୋଲ ଦ୍ୱାରା ଚିକିତ୍ସା କରାଯାଇଥିବା ଅଭିଯୋଗ ମିଥ୍ୟା ଓ ଉଦ୍ଦେଶ୍ୟମୂଳକ ବୋଲି ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟଙ୍କ ମତାମତ ନେବାରୁ ଘଟଣା ସମ୍ପର୍କରେ ତାଙ୍କ ନିକଟରେ କୈାଣସି ଅଭିଯୋଗ ହୋଇ ନ ଥିବା ପ୍ରକାଶ କରିବାସହ ଅଭିଯୋଗ ଆସିଲେ ଘଟଣାର ତଦନ୍ତ କରାଯାଇ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ମତବ୍ୟକ୍ତ କରିଛନ୍ତି। ଅନ୍ୟ ଏକଲକ୍ଷ ଟଙ୍କା ନେଇ ମାମଲା ଉଠାଇ ନେବାକୁ ଚାପ ପ୍ରୟୋଗ କରିବା ସମ୍ପର୍କରେ କୁଣ୍ଢେଇଗୋଳା ଥାନା ଅଧିକାରୀଣୀ ନିରୂପମା ଜେନାଙ୍କୁ ପଚାରିବାରୁ ସେ ଏହି ଅଭିଯୋଗ ସମ୍ପୁର୍ଣ୍ଣ ମିଥ୍ୟା ବୋଲି ଉତ୍ତର ଦେବାସହ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ କରାଯାଉଥିବା ପ୍ରକାଶ କରିଛନ୍ତି। ତେବେ ଏକ ସ୍ୱତନ୍ତ୍ର ଦାକ୍ତର ଦଳ ଦ୍ୱାରା ଏ ଘଟଣାର ନିରପେକ୍ଷ ତଦନ୍ତ କରାଗଲେ ଅଭିଯୋଗର ପ୍ରକୃତ ସତ୍ୟା ସତ୍ୟ ଜଣାପଡିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories