www.samajalive.in
Sunday, December 7, 2025
13.1 C
Bhubaneswar

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଲେ ମହିଳା

ସାକ୍ଷୀଗୋପାଳ: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପରଜାପଡା ପଞ୍ଚାୟତର ପାରକେଣା ଗ୍ରାମରେ ଗ୍ରାମୀଣ ମହିଳାମାନଙ୍କ ଆତ୍ମନିର୍ଭରଶୀଳ ନିମନ୍ତେ ଗଠନ କରାଯାଇଥିବା ଶ୍ରୀରାଧା ମରା ନଡ଼ିଆ ତେଲ କ୍ଲଷ୍ଟରକୁ ବିଦ୍ୟୁତ ସଂଯୋଗ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏହା ପ୍ରତିବାଦରେ କ୍ଲଷ୍ଟରରେ କାର୍ଯ୍ୟରତ ୫୦ରୁ ଊର୍ଦ୍ଧ୍ୱ ମହିଳା ବୁଧବାର ସାକ୍ଷୀଗୋପାଳ ବିଦ୍ୟୁତ ଉପଖଣ୍ଡ  କାର୍ଯ୍ୟାଳୟ ସହିତ ଗ୍ରୀଡରେ ତାଲା ପକାଇ ଧାରଣା ଦେଇଥିଲେ । ଫଳରେ ସାକ୍ଷୀଗୋପାଳ ବିଦ୍ୟୁତ ଉପଖଣ୍ଡ ଅନ୍ତର୍ଗତ ୪ ଗୋଟି ସେକ୍ସନରେ ବିଦ୍ୟୁତ ଯୋଗାଣ ବନ୍ଦ ହୋଇ ଯାଇଥିଲା। ୫୦ ହଜାରରୁ ଊର୍ଦ୍ଧ୍ୱ ବିଦ୍ୟୁତ ଉପଭୋକ୍ତା ଦୀର୍ଘ ୬ଘଣ୍ଟା ଧରି ହଇରାଣ ହୋଇଥିଲେ।

ସୂଚନା ଅନୁସାରେ, ଗତ ଅକ୍ଟୋବର ୧୦ ତାରିଖରେ ପାରକେଣା ଗ୍ରାମରେ ବସିଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯାଇଥିଲା। ଏହା ପରେ ୧୫ ତାରିଖରେ ଗ୍ରାମରେ ନୂତନ ଟ୍ରାନ୍ସଫରମର ବସାଯାଇଥିଲା। ସମସ୍ତଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା। ମାତ୍ର କିଛି ବ୍ୟକ୍ତିଙ୍କ ବିରୋଧ ଫଳରେ ଶ୍ରୀରାଧା  ମରା ନଡ଼ିଆ ତେଲ କ୍ଲଷ୍ଟରକୁ ବିଦ୍ୟୁତ ସଂଯୋଗ ଦିଆଯାଇ ନ ଥିଲା।  କ୍ଲଷ୍ଟରର ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିଲା। କ୍ଲଷ୍ଟର ସମ୍ପାଦିକା ସର୍ଜିତା ହରିଚନ୍ଦନ ଏ ସମ୍ପର୍କରେ ସାକ୍ଷୀଗୋପାଳ ବିଦ୍ୟୁତ  ବିଭାଗୀୟ ଅଧିକାରୀ, ପୁରୀ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଓରମାସ ଅଧିକାରୀ, ବିଡ଼ିଓ ସତ୍ୟବାଦୀ, ଆଇଆଇସି ସତ୍ୟବାଦୀ, ସତ୍ୟବାଦୀ ବିଧାୟକ ପ୍ରମୁଖଙ୍କୁ ଚିଠି ମାଧ୍ୟମରେ ଅବଗତ କରିଥିଲେ। ସମସ୍ୟାର ସମାଧାନ ଲାଗି ଆଲୋଚନା କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏହା ଫଳରେ ଉତ୍ପାଦନ କେନ୍ଦ୍ର ଉପରେ ନିର୍ଭର କରୁଥିବା ୫୦ ମହିଳା ରୋଜଗାର ହରାଇଥିଲେ। ବିଦ୍ୟୁତ ସଂଯୋଗ ନ ଥିବା ଫଳରେ ଏହି କ୍ଲଷ୍ଟର ତରଫରୁ କଟକ ବାଲିଯାତ୍ରାକୁ ଷ୍ଟଲ ଯାଇ ପାରି ନ ଥିଲା।

- Advertisement -

ବିଦ୍ୟୁତ ବିଭାଗ ଏବଂ ପ୍ରଶାସନର ଏପରି ଖାମଖିଆଲ ନୀତି ପ୍ରତିବାଦରେ ବୁଧବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ୫୦ରୁ ଅଧିକ ମହିଳା ସାକ୍ଷୀଗୋପାଳ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ଟାଟା ପାୱାର କାର୍ଯ୍ୟାଳୟ, ବିଦ୍ୟୁତ ଗ୍ରୀଡ଼ ଓ ଶୁଳ୍କ ଆଦାୟ କାର୍ଯ୍ୟାଳୟରେ ତାଲା ପକାଇ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଧାରଣା ଦେଇଥିଲେ। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର  ରାଉତରାୟ, ସୁବାସ ପ୍ରଧାନ, ସ୍ୱାଧୀନ ଜେନା ଓ ପ୍ରକାଶ ଖଟୋଇ ପ୍ରମୁଖଙ୍କ ସମେତ ଅନ୍ୟମାନେ ଧାରଣା ଦେଇଥିଲେ । ପରେ ପରେ ସତ୍ୟବାଦୀର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ଘଟଣା ସ୍ଥଳରେ ପହଞ୍ଚିଥିଲେ।  ବିଦ୍ୟୁତ ସଂଯୋଗ ନ ହେବା ପର୍ଯ୍ୟନ୍ତ ମହିଳାମାନେ ଧାରଣାରୁ ଉଠିବେ ନାହଁ ବୋଲି ସମ୍ପାଦିକା ସର୍ଜିତା  ହରିଚନ୍ଦନ ପ୍ରକାଶ କରିଥିଲେ। ୩୩ହଜାର ଟଙ୍କାର ନଡ଼ିଆ ନଷ୍ଟ ଓ ୨ମାସ ଧରି କର୍ମ ନିଯୁକ୍ତି ହରାଇଥିବା ମହିଳାମାନଙ୍କୁ ୨ଲକ୍ଷ ଟଙ୍କା କ୍ଷତି ପୂରଣ ଦାବି କରିଥିଲେ।  ସତ୍ୟବାଦୀ ଆଇଆଇସି ବିଜୟ କେତନ ବେହେରା ଓ ବିଦ୍ୟୁତ ବିଭାଗ  ନିର୍ବାହୀ ଯନ୍ତ୍ରୀଙ୍କ ତରଫରୁ ଯନ୍ତ୍ରୀ ପ୍ରିୟଜିତ ବରାଳ ଆସନ୍ତା ୨୨ତାରିଖ ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। କ୍ଷୟକ୍ଷତି ଅଭିଯୋଗର ତଦନ୍ତ କରାଯିବ। ତଦନ୍ତ ପରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଅପରାହ୍ନ ୪ଟାରେ ମହିଳାମାନେ ଧାରଣାରୁ ଉଠିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories