www.samajalive.in
Monday, December 15, 2025
17.1 C
Bhubaneswar

ଫେସ୍‍ବୁକ ସିଇଓଙ୍କୁ କଂଗ୍ରେସର ଚିଠି, ପକ୍ଷପାତିତା ନୀତିର ତଦନ୍ତ ହେଉ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ଫେସବୁକକୁ ଭାରତରେ ପରିଚାଳନା କରୁଥିବା ନେତୃବୃନ୍ଦ ପକ୍ଷପାତିତା ପୂର୍ଣ୍ଣ କାର୍ଯ୍ୟ କରୁଥିବା ଅଭିଯୋଗ କରିଛି କଂଗ୍ରେସ। ଫେସବୁକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ମାର୍କ ଜୁକରବର୍ଗଙ୍କ ନିକଟରେ କଂଗ୍ରେସ ଏପରି ଅଭିଯୋଗ ଉପସ୍ଥାପନ କରିଛି। ଜୁକରବର୍ଗଙ୍କୁ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ମଙ୍ଗଳବାର ଚିଠି ଲେଖି ଏହି ଅଭିଯୋଗ କରିବା ସହିତ ଏହାର ତଦନ୍ତ ଦାବି କରିଛନ୍ତି। ବେଣୁଗୋପାଳ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଫେସ୍‍ବୁକ ଇଣ୍ଡିଆ ଟିମ୍‍ର ପକ୍ଷପାତିତା ଯୋଗୁଁ ଭାରତର ଗଣତନ୍ତ୍ର ଓ ନିର୍ବାଚନ ପ୍ରଭାବିତ ହେଉଛି। ତେଣୁ ଫେସ୍‍ବୁକ ମୁଖ୍ୟାଳୟ ଏହାର ଭାରତୀୟ ଅଧିକାରୀଙ୍କ ବିରୋଧରେ ତଦନ୍ତ ନିମନ୍ତେ ଉଚ୍ଚସ୍ତରୀୟ କମିଟି ଗଠନ କରୁ। କମିଟି ଦୁଇମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରୁ ଓ ଏହି ଆଭ୍ୟନ୍ତରୀଣ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଯାଉ। ଏପରିକି ଫେସବୁକ ଏହାର ଭାରତ ଟିମ୍‍ର ପରିବର୍ତ୍ତନ କରି ନୂଆ ଅଧିକାରୀଙ୍କୁ ନିଯୁକ୍ତି ଦେବା ଲାଗି କଂଗ୍ରେସ ଦାବି କରିଛି। ନୂଆ ଅଧିକାରୀଙ୍କ ନିଯୁକ୍ତି ଦ୍ୱାରା ଫେସବୁକର ଆଭ୍ୟନ୍ତରୀଣ ତଦନ୍ତ ପ୍ରଭାବିତ ହେବ ନାହିଁ। ବେଣୁଗୋପାଳ କହିଛନ୍ତି ଯେ ଫେସବୁକର ପକ୍ଷପାତିତା ଯୋଗୁଁ ଦେଶର ନିର୍ବାଚନ ପ୍ରଭାବିତ ହେଉଛି। କଂଗ୍ରେସ ପୂର୍ବରୁ ଏହି ଅଭିଯୋଗ ଉଠାଇ ଆସିଥିଲା। ଏବେ ୱାଲ ଷ୍ଟ୍ରିଟ୍‍ ଜର୍ଣ୍ଣାଲରେ ଏହାର ରିପୋର୍ଟ ପ୍ରକାଶ ପାଇଛି।

ଭାରତରେ ଫେସବୁକର ପକ୍ଷପାତିତା ପୂର୍ଣ୍ଣ ନୀତି ଯୋଗୁଁ ଘୃଣା ଓ ବିଭାଜନ ସୃଷ୍ଟିକାରୀ ପ୍ରସଙ୍ଗର ପ୍ରଚାର ପ୍ରସାର ହେଉଛି। ଘୃଣା ଓ ସାମ୍ପ୍ରଦାୟିକ ବିଭାଜନ ସୃଷ୍ଟିକାରୀ ପ୍ରସଙ୍ଗର ପ୍ରଚାର ପ୍ରସାରକୁ ରୋକିବା ପାଇଁ ଫେସବୁକ୍‍ ଯେଉଁ ନିୟମ ପ୍ରଣୟନ କରିଛି ତାକୁ ଭାରତର ଶାସକ ଦଳ ବିଜେପି କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଉ ନଥିବା ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇଛି। ୱାଲ ଷ୍ଟ୍ରିଟ୍‍ ଜର୍ଣ୍ଣାଲର ଏହି ରିପୋର୍ଟ ପରେ ବିରୋଧୀ କଂଗ୍ରେସ ଶାସକଦଳ ବିଜେପି ଓ ଆରଏସ୍‍ଏସ୍‍ ଉପରେ ଆକ୍ରମଣ ଆରମ୍ଭ କରିଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ ମିଥ୍ୟା ଓ ଘୃଣାର ଖବର ପ୍ରସାର କ୍ଷେତ୍ରରେ ଫେସବୁକ୍‍ର କାର୍ଯ୍ୟ ଉପରେ ପ୍ରତ୍ୟେକ ଭାରତୀୟ ପ୍ରଶ୍ନ ଉଠାଇବା ଦରକାର। ରବିବାର ରାହୁଲ କହିଥିଲେ ଭାରତରେ ଫେସବୁକ୍‍ ଓ ହ୍ୱାଟସ୍‍ ଆପ୍‍ ଭଳି ସୋସିଆଲ ମିଡିଆକୁ ବିଜେପି ଓ ଆରଏସଏସ୍‍ ନିୟନ୍ତ୍ରଣ କରୁଛନ୍ତି। ଏହି ସୋସିଆଲ ମିଡିଆ ଫ୍ଲାଟଫର୍ମ ମାଧ୍ୟମରେ ବିଜେପି ଓ ଆରଏସ୍‍ଏସ୍‍ ନିଜର ଘୃଣ୍ୟ ଓ ସାମ୍ପ୍ରଦାୟିକ ବିଭାଜନକାରୀ ବାର୍ତ୍ତାକୁ ପ୍ରସାର କରୁଛନ୍ତି। ଏହା ସହିତ ବିଜେପି ଏହି ସାମାଜିକ ଗଣମାଧ୍ୟମକୁ ଉପଯୋଗ କରି ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଭାବିତ କରୁଛି। ଫେସବୁକର ଏହି ପକ୍ଷପାତିତା କାର୍ଯ୍ୟର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ କରିବାକୁ ସୋମବାର କଂଗ୍ରେସ ଦାବି କରିଥିଲା। କଂଗ୍ରେସର ଦାବିକୁ ଖଣ୍ଡନ କରି ଫେସବୁକ୍‍ କହିଛି କୌଣସି ପରିସ୍ଥିତିରେ ଘୃଣା ବା ହିଂସା ସୃଷ୍ଟିକାରୀ ପ୍ରସଙ୍ଗକୁ ପ୍ରଚାର ପ୍ରସାର କରି ନଥାଏ। ବିଶ୍ୱବ୍ୟାପୀ ଫେସବୁକ ଗୋଟିଏ ନୀତି ଆପଣାଇଥାଏ। କୌଣସି ଦଳ ବା ପଦ ପଦବୀକୁ ଆଧାର କରି ଏହାର ଫେସବୁକ୍‍ ଏହାର ନୀତିରେ ପରିବର୍ତ୍ତନ କରି ନଥାଏ। ରାହୁଲଙ୍କ ଅଭିଯୋଗକୁ ଖଣ୍ଡନ କରି ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ଯେ କଂଗ୍ରେସ ଫେସବୁକର ତଥ୍ୟକୁ ଉପଯୋଗ କରି ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ଯୋଜନା କରିଥିଲା। ଏଥିପାଇଁ କେମ୍ବ୍ରିଜ ଆଲାନିଟିକା ସହିତ କଂଗ୍ରେସ ଯୋଗାଯୋଗ କରିଥିଲା।

- Advertisement -

ଅପରପକ୍ଷରେ ଫେସବୁକର ଭାରତ ପରିଚାଳିତ ଶାଖା (ଫେସବୁକ୍‍ ଇଣ୍ଡିଆ) ବିରୋଧରେ ଛତିଶଗଡ ପୁଲିସ ଏଫଆଇଆର ରୁଜୁ କରିଛି। ସାମ୍ବାଦିକ ଆୱେଶ ତିୱାରୀଙ୍କ ଅଭିଯୋଗ ଆଧାରରେ ରାୟପୁର କବିର ନଗର ଥାନାରେ ଫେସବୁକର ଦକ୍ଷିଣ ଓ କେନ୍ଦ୍ର ଏସିଆ ନିର୍ଦେଶକ (ପବ୍ଲିକ ପଲିସି) ଅଂକ୍ଷୀ ଦାସ ଓ ଅନ୍ୟ ଦୁଇଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି। ତିୱାରୀ ଅଭିଯୋଗ କରିଛନ୍ତି ଯେ ଅଂକ୍ଷୀ ଦାସ ଓ ଅନ୍ୟ ଦୁଇଜଣ ଫେସବୁକ ବ୍ୟବହାରକାରୀ ରାମ ସାହୁ ଓ ବିବେକ ସିହ୍ନା ତାଙ୍କୁ ଧମକ ଦେଇଥିଲେ। ୱାଲ ଷ୍ଟ୍ରିଟ୍‍ ଜର୍ଣ୍ଣାଲର ରିପୋର୍ଟ ଆଧାରରେ ସେ ଫେସବୁକ ବିରୋଧରେ ଖବର ପ୍ରକାଶ କରିବାରକୁ ତାଙ୍କୁ ଧମକ ଦିଆଯାଇଥିବା ତିୱାରୀ ଅଭିଯୋଗ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories