www.samajalive.in
Tuesday, December 9, 2025
19.1 C
Bhubaneswar

ଶୀଘ୍ର ନିର୍ମାଣ ହେବ ଶିଖରପୁର ଅଣ୍ଡରପାସ : ସାଂସଦ ଅଶ୍ୱିନୀ ବୈଷ୍ଣବ

କଟକ : ଓଡ଼ିଶାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ। ରେଳପଥଠାରୁ ଆରମ୍ଭକରି ଜାତୀୟ ରାଜପଥ ନିର୍ମାଣ କ୍ଷେତ୍ରରେ ସବୁବେଳେ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରାଧାନ୍ୟ ଦେଉଛନ୍ତି। ନିକଟରେ କେନ୍ଦ୍ର ସରକାର ରାଜ୍ୟରେ ଏକାଧିକ ରାଜପଥ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା କହିଛନ୍ତି ରାଜ୍ୟସଭା ସାଂସଦ ବରିଷ୍ଠ ପ୍ରଶାସକ ତଥା କଟକର ପୂର୍ବତନ ଜିଲାପାଳ ଅଶ୍ୱିନୀ ବୈଷ୍ଣବ।
କେନ୍ଦ୍ର ସରକାର ଓଡ଼ିଶାକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଅଣ କଂଗ୍ରେସ ସରକାର ଅମଳରେ ହିଁ ଓଡ଼ିଶାର ସର୍ବାଧିକ ବିକାଶ ଘଟିଛି। କେନ୍ଦ୍ରରେ ବାଜପେୟୀ ସରକାର ଅମଳରେ ଭୁବନେଶ୍ୱରରେ ଏମ୍‍ସ ସହିତ ପାରାଦ୍ୱୀପରେ ବିଶୋଧନାଗାର ପ୍ରକଳ୍ପ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏମ୍‍ସ ପୂର୍ବ ଭାରତର ଶ୍ରେଷ୍ଠ ଚିକିତ୍ସା କେନ୍ଦ୍ର ଦିଗରେ ଗତି କରୁଛି। ସେହିପରି ପାରାଦ୍ୱୀପ ତୈଳ ବିଶୋଧନାଗାର ମଧ୍ୟ ସଫଳତା ଦିଗରେ ଅଗ୍ରସର ହେଉଛି। କେବଳ ଏହି ଦୁଇ ପ୍ରକଳ୍ପ ନୁହେଁ, ହରିଦାସପୁର-ପାରାଦ୍ୱୀପ ରେଳପଥ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଏହି ରେଳ ପ୍ରକଳ୍ପ ସହିତ ରାଜ୍ୟରେ ଏକାଧିକ ଅଞ୍ଚଳକୁ ରେଳପଥ ସହିତ ସଂଯୋଗ କରିବା ପାଇଁ କେନ୍ଦ୍ର ସରକାର ଅର୍ଥ ବ୍ୟବସ୍ଥା କରିଛନ୍ତି। ରେଳପଥ ନିର୍ମାଣ ସହିତ ରାଜ୍ୟରେ ଅଧିକରୁ ଅଧିକ ଜାତୀୟ ରାଜପଥ ନିର୍ମାଣ ଦିଗରେ ମଧ୍ୟ କେନ୍ଦ୍ର ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି। ୧୬ନମ୍ବର ଜାତୀୟ ରାଜପଥର ଶିଖରପୁର ନିକଟରେ ଏକ ଅଣ୍ଡରପାସ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ। ଓପିଟିସିଏଲର ଏକ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର ସମସ୍ୟା ଯୋଗୁଁ ଅଣ୍ଡରପାସ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଛି। ବିଭାଗୀୟ ଅଧିକାରୀଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିଛି। ଖୁବ୍‍ଶୀଘ୍ର ଏହି କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ଶ୍ରୀ ବୈଷ୍ଣବ କହିଥିଲେ। କଟକ ହେଉଛି ଏକ ଭାଇଚାରାର ସହର। ଏହାର ସଂସ୍କୃତି, ପରମ୍ପରା ଦେଶର ଅନ୍ୟ କୌଣସି ପ୍ରଦେଶରେ ଦେଖିବାକୁ ମିଳିନଥାଏ। କଟକର ପୁରୁଣା ଐତିହ୍ୟ ବଞ୍ଚାଇ ରଖିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ। କଟକ ରେଳଷ୍ଟେସନ ଦେଇ ଅନେକ ଟ୍ରେନ ଯାତାୟାତ କରୁନାହିଁ। ଏ ସମ୍ପର୍କରେ ସେ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା ହେବେ। ଯେଉଁସବୁ ଟ୍ରେନ କଟକ ରେଳଷ୍ଟେସନ ଦେଇ ଯାଉନାହିଁ, ସେଗୁଡିକ କିପରି ଏହି ଷ୍ଟେସନ ଦେଇ ଯାତାୟାତ କରିବ ଓ କଟକରୁ ସିଧାସଳଖ ସମ୍ବଲପୁରକୁ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ସେ ସମ୍ପର୍କରେ ମଧ୍ୟ ସେ ରେଳମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି କହିଥିଲେ। ଶୁକ୍ରବାର ପୂର୍ବାହ୍ଣରେ ଶ୍ରୀ ବୈଷ୍ଣବ ବକ୍ସିବଜାରସ୍ଥିତ ଗୋପବନ୍ଧୁ ଭବନ ପରିଦର୍ଶନରେ ଆସିଥିଲେ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ସେ ‘ସମାଜ’ ରିଲିଫ କମିଟିର ସମ୍ପାଦକ ଡଃ ପ୍ରଭାସ ଆଚାର୍ଯ୍ୟ, ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ ମହାନ୍ତିଙ୍କ ସହିତ ଦେଶର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ,  ଦେବାନନ୍ଦ ସିଂହ, ନନ୍ଦକିଶୋର ଜେନା, ସଞ୍ଜୟକୁମାର ଜେନା, ସତ୍ୟବ୍ରତ ମିଶ୍ର, ପୁଷ୍ପିତା ମହାପାତ୍ର, ଅମିତ ମିଶ୍ର ଓ ସୁବାସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories