କରୋନା, ଉନ୍ନତ ଚିକିତ୍ସା ଓ ବଞ୍ଚିବାର ଅଧିକାର

- ବିଶ୍ବଭୂଷଣ ହରିଚନ୍ଦନ, ରାଜ୍ୟପାଳ, ଆନ୍ଧ୍ରପ୍ରଦେଶ

କରୋନାର ସଂକ୍ରମଣ ଏକ ଭୟାବହ ରୂପ ଧରିଛି। ପ୍ରତିଦିନ ବିଶ୍ୱର ଲକ୍ଷଲକ୍ଷ ଲୋକ କରୋନା ସଂକ୍ରମଣର ଶିକାର ହୋଇ ମୃତ୍ୟୁ ସହିତ ଲଢ଼େଇ କରୁଛନ୍ତି। ଏ ପର୍ୟ୍ୟନ୍ତ ପୃଥିବୀରେ ୬ ଲକ୍ଷ ୭୯ ହଜାରରୁ ଊର୍ଦ୍ଧ୍ବ ଲୋକ କରୋନାରେ ମୃତ୍ୟୁବରଣ କଲେଣି। ଜନଜୀବନ ସଂପୂର୍ଣ୍ଣ ବିପର୍ୟ୍ୟସ୍ତ ହୋଇପଡ଼ିଲାଣି। ବିଭିନ୍ନ ଦେଶ ସଂକ୍ରମଣରୁ ରକ୍ଷାପାଇବା ପାଇଁ ଲକ୍‌ଡାଉନ୍ ଓ ସଟ୍‌ଡାଉନ ଭଳି କଠୋର ପଦକ୍ଷେପମାନ ନେଉଛନ୍ତି; କିନ୍ତୁ ଅବସ୍ଥା ନିୟନ୍ତ୍ରଣ ଭିରରକୁ ଆସିପାରିନାହିଁ। ଏ ମାନବ ସମାଜ କ’ଣ ସତରେ ଧ୍ୱସଂ ପାଇଯିବ! ସତ୍ୟ-ଶିବ-ସୁନ୍ଦର ପୃଥିବୀ କ’ଣ ବିକଳାଙ୍ଗ ହୋଇଯିବ! ଏଭଳି ଭୟଙ୍କର ଦୁଶ୍ଚିନ୍ତା ମଣିଷ ମନକୁ ଆସୁଛି। ବିଶ୍ୱନିୟନ୍ତାଙ୍କର ସୃଷ୍ଟ ବିଶ୍ୱର ସର୍ବଶ୍ରେଷ୍ଠ ପ୍ରାଣୀ ମଣିଷ କ’ଣ କରୋନା ପାଖରେ ଆତ୍ମସମର୍ପଣ କରିବ! ନା, ଅସମ୍ଭବ! ବିଭିନ୍ନ ଦେଶର ବୈଜ୍ଞାନିକମାନେ କରୋନାର ପ୍ରତିଷେଧକ ପାଇଁ ଭ୍ୟାକ୍‌ସିନ୍‌ ଓ ରୋଗରୁ ମୁକ୍ତି ପାଇଁ ବିଭିନ୍ନ ପ୍ରକାର ଔଷଧର ପ୍ରସ୍ତୁତି ଓ ପରୀକ୍ଷଣରେ ଲାଗିପଡ଼ିଛନ୍ତି। କେତେକ ଦେଶ ଏ କ୍ଷେତ୍ରରେ ସଫଳତା ପାଇବାର ଦ୍ୱାର ଦେଶରେ ପହଞ୍ଚିବାର ଖବରମାନ ପ୍ରକାଶ ପାଇଛି। ଆମ ଦେଶ ଭାରତବର୍ଷ ଏଥିରେ ପଛରେ ପଡ଼ିନାହିଁ। ଆମର ଭ୍ୟାକ୍‌ସିନ୍‌ ପ୍ରସ୍ତୁତ ହୋଇ ମାନବ ପରୀକ୍ଷଣ ଚାଲିଛି। ଏହା ଆମ ସମସ୍ତଙ୍କ ମନରେ ବହୁ ଆଶା ସଞ୍ଚାର କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ବିରୁଦ୍ଧରେ ସମଗ୍ର ବିଶ୍ୱ ଏକ ହୋଇ ଲଢ଼େଇ କରିବା ପାଇଁ ଆହ୍ୱାନ ଦେଇଛନ୍ତି। କାରଣ କରୋନା କୌଣସି ନିର୍ଦ୍ଦିଷ୍ଟ ଦେଶ ନୁହେଁ, ସମଗ୍ର ମାନବ ଜାତି ପାଇଁ ଭୟଙ୍କର ସଙ୍କଟ ସୃଷ୍ଟି କରିଛି। ଆମେ ସମସ୍ତେ ଅବଗତ ଅଛେ ଯେ ବିଶ୍ୱର ୨୧୩ ଦେଶ କରୋନା ବ୍ୟାଧି ଦ୍ୱାରା ସଂକ୍ରମିତ ହୋଇଛି। ସବୁଠାରୁ ଶକ୍ତିଶାଳୀ ଓ ସମୃଦ୍ଧ ଦେଶ ଆମେରିକାର ଅବସ୍ଥା ତ ଅତ୍ୟନ୍ତ ଉଦ୍‌ବେଗଜନକ। ପ୍ରଶାସନର ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଏଠାରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଆତଙ୍କଜନକ ଭାବେ ବଢ଼ିଚାଲିଛି। ବିଶ୍ୱର ଅନ୍ୟ କେତେକ ଉନ୍ନତ ଓ ଚିକିତ୍ସା ବିଜ୍ଞାନରେ ଅଗ୍ରଣୀ ଦେଶ ମଧ୍ୟ କରୋନାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରି ନାହାନ୍ତି। ଭାରତରେ ଏ ପର୍ୟ୍ୟନ୍ତ ୧୬ ଲକ୍ଷ ୯୫ ହଜାରରୁ ଊର୍ଦ୍ଧ୍ବ ବ୍ୟକ୍ତି କରୋନା ସଂକ୍ରମିତ ହେଲାବେଳେ ୩୬ ହଜାରରୁ ଊର୍ଦ୍ଧ୍ବ ବ୍ୟକ୍ତି ମୃତ୍ୟୁବରଣ କଲେଣି ଓ ୧୦ ଲକ୍ଷ ୯୪ ହଜାରରୁ ଊର୍ଦ୍ଧ୍ବ ଆରୋଗ୍ୟ ଲାଭ କରିଛନ୍ତି। ଭାରତଭଳି ଏକ ଜନବହୁଳ ଦେଶ ପାଇଁ ଏହା ସାମାନ୍ୟ ଆଶ୍ୱାସନାର ବିଷୟ ହେଲେ ହେଁ କରୋନାକୁ ରୋକିବା ପାଇଁ ଆମକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଜାରି କରିଥିବା କଟକଣାଗୁଡ଼ିକୁ ମାନି ଚଳିବାକୁ ପଡ଼ିବ। ଆମକୁ ମନେରଖିବାକୁ ହେବ ଯେ କରୋନା ବିରୋଧରେ ଆଜିର ଏ ଯୁଦ୍ଧ, ଆମ ପାଇଁ, ଆମ ପରିବାର, ଦେଶ ଓ ସମଗ୍ର ମାନବଜାତି ପାଇଁ ଆମେ କରୁଛେ।
କରୋନାକୁ ନିୟନ୍ତ୍ରଣ କରିବାକୁ ଦେଶର ବିଭିନ୍ନ ପ୍ରଦେଶରେ ସ୍ଥାୟୀ ଡାକ୍ତରଖାନା ସହିତ ଅସ୍ଥାୟୀ ଡାକ୍ତରଖାନାମାନ ଖୋଲାଯାଇଛି। କେତେକ ରାଜ୍ୟରେ ଯେତେ ସଂଖ୍ୟାରେ ଲୋକ ସଂକ୍ରମିତ ହେଉଛନ୍ତି, ତା’ ତୁଳନାରେ ସ୍ଥାୟୀ ଓ ଅସ୍ଥାୟୀ ହସ୍‌ପିଟାଲଗୁଡ଼ିକରେ ଶଯ୍ୟାର ବ୍ୟବସ୍ଥା କରାଯାଇ ପାରିନାହିଁ। ଫଳରେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ବୋଲି ଜଣାପଡ଼ିବା ପରେ ଶଯ୍ୟାଟିଏ ପାଇଁ ଅପେକ୍ଷା କରିରହୁଛି। ଅପେକ୍ଷାରତ ଏ କରୋନା ସଂକ୍ରମିତ ବ୍ୟକ୍ତିଟିର ଦୁର୍ଦଶା ଅବର୍ଣ୍ଣନୀୟ। ଗାଁରେ ଓ ଏପରିକି ନିଜ ପରିବାର ଭିତରେ ତାକୁ ଆଶ୍ରୟ ଦେବାକୁ ଲୋକେ ପ୍ରସ୍ତୁତ ନୁହନ୍ତି। କରୋନା କବଳିତ ହୋଇ ଶାରୀରିକ ଓ ମାନସିକ ଯନ୍ତ୍ରଣାରେ ଛଟପଟ ହେଉଥିଲା ବେଳେ ତା’ ପାଇଁ ସାହା ଭରସା କେହି ନାହିଁ। ଏ ଭଳି ବହୁ ସମସ୍ୟା ଆଜି ମୁଣ୍ଡ ଟେକିଛି ଓ ଅନେକ କରୋନା ସଂକ୍ରମିତ ବ୍ୟକ୍ତି ଆଜି ଅସହାୟ ହୋଇ ବଞ୍ଚିବା ପାଇଁ ଲଢ଼େଇ କରିଚାଲିଛନ୍ତି।
କରୋନା ଚିକିତ୍ସା କ୍ଷେତ୍ରରେ ଆହୁରି ଏକ ସଙ୍କଟ ଆମର ଦୃଷ୍ଟିକୁ ଆସିଛି। କିଛି ରାଜ୍ୟର ପ୍ରାଇଭେଟ୍ ଓ କର୍ପୋରେଟ୍ ହସ୍ପିଟାଲଗୁଡ଼ିକ କରୋନା ଚିକିତ୍ସା କ୍ଷେତ୍ରରେ ସହଯୋଗର ହାତ ବଢ଼ାଉନାହାନ୍ତି। ରାଜ୍ୟ ସରକାର କରୋନା ସଂକ୍ରମିତ ବ୍ୟକ୍ତିର ସମସ୍ତ ଚିକିତ୍ସା ନିଜ ହାତକୁ ନେଇଛନ୍ତି। ତା’ ସହିତ ଆକ୍ରାନ୍ତ ବ୍ୟକ୍ତି ପ୍ରାଇଭେଟ୍ ହସ୍‌ପିଟାଲମାନଙ୍କରେ ଚିକିତ୍ସିତ ହୋଇପାରିବେ ନାହିଁ ବୋଲି ନିର୍ଦେଶ ଦେଇଛନ୍ତି। ଏପରିକି ପ୍ରାଇଭେଟ୍ ଓ କର୍ପୋରେଟ୍ ହସ୍‌ପିଟାଲଗୁଡ଼ିକରେ ଅନ୍ୟରୋଗରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ପାଖରେ କରୋନା ସଂକ୍ରମଣର ଲକ୍ଷଣ ମିଳିଲେ ତାହା ସରକାରଙ୍କୁ ଜଣାଇବାକୁ ନିର୍ଦେଶ ଅଛି। ସେଭଳି ରୋଗୀ ଆଉ ସେଠାରେ ଚିକିତ୍ସିତ ନହୋଇ ସରକାରଙ୍କ ସ୍ଥାୟୀ ଓ ପ୍ରାୟ ସବୁ କ୍ଷେତ୍ରରେ ଅସ୍ଥାୟୀ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି। ସରକାରଙ୍କର ଅସ୍ଥାୟୀ ଡାକ୍ତରଖାନାଗୁଡ଼ିକ ସଂପର୍କରେ ସମ୍ୟକ ସୂଚନା ଦେବା ବୋଧେ ଉଚିତ୍ ହେବ। ସେଠାରେ କି ପ୍ରକାର ଚିକିତ୍ସା କରୋନା ରୋଗୀ ପାଉଛି, ତାକୁ ସରକାର ଭଲ ଭାବରେ ଅନୁଧ୍ୟାନନ କରିବାର ଆବଶ୍ୟକତା ରହିଛି। ଏ ଡାକ୍ତରଖାନାଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଡାକ୍ତର, ନର୍ସ ଓ ଅନ୍ୟ ସହାୟକମାନଙ୍କର ଘୋର ଅଭାବ ରହିଛି। ଅଧିକ ସଂକ୍ରମିତ ଓ ଗୁରୁତର ରୋଗୀମାନଙ୍କର ବିଭିନ୍ନ ପ୍ରକାର ପରୀକ୍ଷାନିରୀକ୍ଷା ଓ ଚିକିତ୍ସା କରିବାର ବ୍ୟବସ୍ଥା ଏଠାରେ ପ୍ରାୟ ନାହିଁ। ଏହା ଯେତିକି ପରିଷ୍କାର ପରିଚ୍ଛନ୍ନ ରହିବା କଥା ତାହା ରଖାଯାଇପାରୁନାହିଁ। ସବୁଠାରୁ ବଡ଼ ଅସୁବିଧା ହେଉଛି ଆବଶ୍ୟକ ସଂଖ୍ୟକ ଶୌଚାଳୟର ବ୍ୟବସ୍ଥା ଏଠାରେ କରାଯାଇପାରିନାହିଁ। ଏ କ୍ଷେତ୍ରରେ ସରକାର ଅଧିକ ସତର୍କ ହୋଇ ଏ ସବୁର ନିରାକରଣ କରିବା ଆବଶ୍ୟକ।
ଦେଶରେ ମହାମାରୀ କରୋନାର ସ୍ଥିତି ସଂପର୍କରେ ମୋଟାମୋଟି ପର୍ୟ୍ୟାଲୋଚନା କଲାବେଳେ ଓଡ଼ିଶା, ଆନ୍ଧ୍ର, ତେଲେଙ୍ଗାନା ଓ କର୍ଣ୍ଣାଟକର କରୋନା ନିୟନ୍ତ୍ରଣ ବ୍ୟବସ୍ଥାର କିଛି ଚିତ୍ର ମୋର ଦୃଷ୍ଟିଗୋଚର ହୋଇଛି। ଜୁଲାଇ ୩୦ ତାରିଖରେ ଓଡ଼ିଶା ସରକାରଙ୍କର ଜନୈକ ମୁଖପାତ୍ର କହିଲେ ଯେ ରାଜ୍ୟରେ ଏ ପର୍ୟ୍ୟନ୍ତ କରୋନାରେ ମୃତ୍ୟୁବରଣ କରିଥିବା ଅଧିକାଂଶ ବ୍ୟକ୍ତି ମଧୁମେହ, ଉଚ୍ଚ ରକ୍ତଚାପ, କିଡ୍‌ନୀ ସଂପର୍କୀୟ ରୋଗ ଓ ଅନ୍ୟ ଗୁରୁତର ରୋଗରେ ଆକ୍ରାନ୍ତ ହୋଇଥିଲେ। ସେଥିମଧ୍ୟରୁ ପାଖାପାଖି ଅଧାଅଧି ବ୍ୟକ୍ତି ମଧୁମେହ ରୋଗରେ ପୀଡ଼ିତ ଥିଲେ ବୋଲି ସେ କହିଲେ। ସରକାରଙ୍କର ଏଭଳି ତଥ୍ୟ ପ୍ରଦାନ ପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛି। କରୋନା ସଂକ୍ରମିତ ଏ ଦୁରାରୋଗ୍ୟରେ ପୀଡ଼ିତ ଏ ବ୍ୟକ୍ତିମାନଙ୍କର ଚିକିତ୍ସା କେବଳ ଉନ୍ନତ ହସ୍‌ପିଟାଲ ଓ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ହୋଇପାରିବ। ଓଡ଼ିଶା ସରକାର ସମସ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର ଚିକିତ୍ସାର ଦାୟିତ୍ୱ ହାତକୁ ନେଇଥିବା ସ୍ୱାଗତଯୋଗ୍ୟ। ତା’ ସହିତ କରୋନା ଆକ୍ରାନ୍ତ ଗୁରୁତର ରୋଗୀଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ଉନ୍ନତ ସରକାରୀ ହସ୍‌ପିଟାଲଗୁଡ଼ିକ ସହ ପ୍ରାଇଭେଟ୍ ଓ କର୍ପୋରେଟ୍ ହସ୍‌ପିଟାଲଗୁଡ଼ିକର ସେବାର ସଂପୂର୍ଣ୍ଣ ବିନିଯୋଗ କରିବାର ଆବଶ୍ୟକତା ରହିଛି। ସରକାରୀ ବ୍ୟବସ୍ଥାରେ କରାଯାଇଥିବା ହସ୍ପିଟାଲର ଚିକିତ୍ସା ପର୍ୟ୍ୟାପ୍ତ ନୁହେଁ ଓ ଗୁରୁତର ରୋଗୀଙ୍କର ବିଭିନ୍ନ ଧରଣର ପରୀକ୍ଷଣ ଓ ଚିକିତ୍ସା ସେଠାରେ ସମ୍ଭବ ମଧ୍ୟ ନୁହେଁ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ବାଧ୍ୟକରି ସରକାରଙ୍କ ଅସ୍ଥାୟୀ ଡାକ୍ତରଖାନାରେ ଚିକିତ୍ସା କରାଇବା ମଧ୍ୟ ବିପଜ୍ଜନକ। ଏହାଦ୍ୱାରା ଅନେକ ଅମୂଲ୍ୟ ଜୀବନକୁ ଅକାଳରେ ହରାଇବାକୁ ପଡ଼ିବ। ପ୍ରତ୍ୟେକ ନାଗରିକର ବଞ୍ଚିବାର ଅଧିକାର ବା ଜୀବନର ଅଧିକାର (ରାଇଟ୍ ଟୁ ଲାଇଫ୍) ରହିଛି। ଭାରତୀୟ ସମ୍ବିଧାନ ଧାରା ୨୧ରେ ଏହା ନାଗରିକର ସବୁଠାରୁ ମୂଲ୍ୟବାନ ମୌଳିକ ଅଧିକାର। ଏଥିରୁ କାହାକୁ ବଞ୍ଚିତ କରିହେବ ନାହିଁ। ତେଣୁ ଯେଉଁ ବ୍ୟକ୍ତି ତା’ର ଜୀବନର ସୁରକ୍ଷା ପାଇଁ ଉନ୍ନତ ଧରଣର ଚିକିତ୍ସା ନିମନ୍ତେ କୌଣସି ସରକାରୀ, ପ୍ରାଇଭେଟ୍ ବା କର୍ପୋରେଟ ହସ୍‌ପିଟାଲକୁ ଯିବାକୁ ଚାହୁଁଛି ସରକାର ତା’କୁ ସେ ସୁଯୋଗ ଦେବା ଉଚିତ୍। ସେହିଭଳି କେତେକ ପ୍ରାଇଭେଟ୍ ଓ କର୍ପୋରେଟ୍ ହସ୍‌ପିଟାଲ ତାଙ୍କର ବ୍ୟାବସାୟିକ ଦୃଷ୍ଟିକୋଣରୁ କରୋନା ରୋଗୀଙ୍କର ଚିକିତ୍ସା କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ସେମାନେ ବୁଝିବା ଉଚିତ୍ ଯେ ଏହା ଏକ ମାନବିକ ସମସ୍ୟା ଓ ସମସ୍ତ ମାନବ ସମାଜ ଆଜି ଏକ ହୋଇ ଏହା ବିରୋଧରେ ଲଢ଼େଇ କରୁଛି। ଗୋଟିଏ କରୋନା ସଂକ୍ରମିତ ରୋଗୀ ଉପଯୁକ୍ତ ଚିକିତ୍ସା ନପାଇ ଅକାଳରେ ପ୍ରାଣତ୍ୟାଗ କଲେ, ତାହା ଅନ୍ୟାୟ କେବଳ ନୁହେଁ; ଅପରାଧ ଭାବରେ ଗଣ୍ୟ ହେବ। ତେଣୁ ପ୍ରାଇଭେଟ୍ ଓ କର୍ପୋରେଟ୍ ହସ୍‌ପିଟାଲଗୁଡ଼ିକର ମାଲିକମାନେ ଏ ଗୁରୁଦାୟିତ୍ୱ ମୁଣ୍ଡକୁ ନେବା ଉଚିତ। ଦେଶର ବିଭିନ୍ନ ରାଜ୍ୟରେ ଉଚ୍ଚ ସରକାରୀ ହସ୍ପିଟାଲ, ପ୍ରାଇଭେଟ୍ ଓ କର୍ପୋରେଟ୍ ହସ୍‌ପିଟାଲରେ କରୋନା ରୋଗୀଙ୍କୁ ଚିକିତ୍ସା କରିବାର ବ୍ୟବସ୍ଥା ଥିଲାବେଳେ ଓଡ଼ିଶାରେ ସେଭଳି ବ୍ୟବସ୍ଥା ନାହିଁ। ତେଣୁ ଏ ସଂପର୍କରେ ଦାୟିତ୍ୱରେ ଥିବା କିଛି ଉଚ୍ଚ ପ୍ରଶାସନିକ ଅଧିକାରୀ ଓ ରାଜ୍ୟର କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଆଲୋଚନା କରିଛି। ସେମାନେ ତାଙ୍କର ସୁଚିନ୍ତିତ ପରାମର୍ଶ ସରକାରଙ୍କୁ ଦେବେ ବୋଲି ଆଶା କରୁଛି। କାରଣ ଏହା କେବଳ ରାଜ୍ୟ ସରକାରଙ୍କର ଦାୟିତ୍ୱ ନୁହେଁ; ସଚେତନ ନାଗରିକମାନଙ୍କର ଏଥିରେ ବଡ଼ ଭୂମିକା ରହିଛି। କରୋନା କବଳରୁ ବହୁ ଅମୂଲ୍ୟ ଜୀବନକୁ ରକ୍ଷା କରିବା ପାଇଁ ସରକାର ତାଙ୍କ ସ୍ତରରେ ସମସ୍ତ ଚିକିତ୍ସାର ବ୍ୟବସ୍ଥା କରିବା ସହିତ ପ୍ରାଇଭେଟ୍ ଓ କର୍ପୋରେଟ୍ ହସ୍‌ପିଟାଲଗୁଡ଼ିକୁ କରୋନା ରୋଗର ଚିକିତ୍ସା କରିବାକୁ ନିର୍ଦେଶ ଦିଅନ୍ତୁ। ଏ ସବୁ ହସ୍‌ପିଟାଲରେ କରୋନା ରୋଗୀଙ୍କ ପାଇଁ ନିର୍ଦ୍ଦିଷ୍ଟ ସଂଖ୍ୟକ ଶଯ୍ୟାର ବ୍ୟବସ୍ଥା କରାନ୍ତୁ। ବ୍ୟାବସାୟିକ ଦୃଷ୍ଟିକୋଣରୁ ଏ ହସ୍‌ପିଟାଲଗୁଡ଼ିକ ସରକାରୀ ଚିକିତ୍ସାଳୟଗୁଡ଼ିକ ଅପେକ୍ଷା ଅଧିକ ଅର୍ଥ ଦାବି କରନ୍ତି। ଏହାକୁ ଏକ ନିର୍ଦ୍ଦିଷ୍ଟ ସୀମାଭିତରେ ରଖିବାକୁ ସରକାର ନିର୍ଦେଶ ଦିଅନ୍ତୁ। ସରକାର, ପ୍ରାଇଭେଟ୍ ହସ୍‌ପିଟାଲର ମାଲିକମାନେ ଏହାକୁ ଏକ ବିରାଟ ମାନବିକ ସମସ୍ୟାଭାବେ ଗ୍ରହଣ କରି ଲୋକଙ୍କ ପ୍ରତି ଓ ସମାଜ ପ୍ରତି ସଂବେଦନଶୀଳ ହୁଅନ୍ତୁ। ମହାମାରୀର ଏ ମହାଯୁଦ୍ଧରେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତୁ। ଆମର ବିଶ୍ୱାସ ଏ ମହାଯୁଦ୍ଧରେ ଆମେ ଶେଷରେ ବିଜୟୀ ହେବା ଓ ଜନସମାଜକୁ ରକ୍ଷା କରିପାରିବା।

Comments are closed.