www.samajalive.in
Saturday, December 6, 2025
17.1 C
Bhubaneswar

ବାପାଙ୍କ ଶବ ନେବାକୁ ଆସିଲେନି ୨ ପୁଅ

ଦେବଗଡ : ଦେବଗଡ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖ ମ୍ୟୁନିସିପାଲିଟି ସାହିରେ ଥିବା ଏକ ଝୁମ୍ପୁଡିରେ ଗତ ୨୧ ତାରିଖଠାରୁ ହୋମ କ୍ୱାରେଣ୍ଟାଇନରେ ଥିବା ଜଣେ ରୋଗାକ୍ରାନ୍ତ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ତାଙ୍କ ପତ୍ନୀ ସୁନ୍ଦରଗଡ ଜିଲା ବଣାଇ ସବ୍‌ଡିଭିଜନ ଅନ୍ତର୍ଗତ ଗୁଢିଆଳି ଗ୍ରାମରେ ରହୁଥିବା ନିଜର ପୁଅ ମାନଙ୍କୁ ସୂଚନା ଦେଇଥିଲେ ହେଁ ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆସିନଥିଲେ। ଫଳରେ ସାହିର କେତେକ ବ୍ୟକ୍ତି ମୃତଦେହକୁ ଶବବାହକ ଗାଡିରେ ବୋହି ନେଇ ସଂସ୍କାର କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ପୁଅମାନେ ମୃତଦେହ ନେବାକୁ ନଆସିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ କରୋନା ଭୟରେ ସେମାନେ ପିତାଙ୍କର ମୃତଦେହ ନେବାକୁ ଆସିନଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ ଜିଲା ବଣାଇ ସବ୍‌ଡିଭିଜନ ଅନ୍ତର୍ଗତ ଗୁଢିଆଳି ଗ୍ର୍ରାମର ପ୍ରେମାନନ୍ଦ ସାହୁ (୬୦) ଦୀର୍ଘ ବର୍ଷ ପୂର୍ବେ ଦେବଗଡ ସହରରେ ଥିବା ରାଧାରାଣୀ ଟକିଜ (ପ୍ରେକ୍ଷାଳୟ)ରେ କାର୍ଯ୍ୟ କରୁଥିଲେ। ମାତ୍ର ପ୍ରେକ୍ଷାଳୟଟି ବନ୍ଦ ହେବା ପରେ ନିଜ ପତ୍ନୀ ଶାନ୍ତିଲତାଙ୍କ ସହ ଦେବଗଡ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖ ଭାଗରେ ଥିବା ଏକ ସରକାରୀ ଜାଗାରେ କୁଡିଆ କରି ରହିବା ସହ ଚଣା, ମୁଢି ଓ ବାଦାମ ଇତ୍ୟାଦି ବିକ୍ରିକରି ଗୁଜୁରାଣ ମେଣ୍ଟାଉଥିଲେ। ଗତ କିଛି ମାସ ପୂର୍ବେ ସେ କିଡ୍‌ନୀ ଓ ପକ୍ଷାଘାତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହେବା ପରେ ପତ୍ନୀ ଶାନ୍ତିଲତା ୩ ମାସ ପୂର୍ବେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଗତ କିଛିଦିନ ହେଲା କରୋନା ସଂକ୍ରମଣ ଯୋଗୁଁ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ରୋଗୀମାନଙ୍କୁ ଫେରାଇ ଦେଇଥିବା କାରଣରୁ ପ୍ରେମାନନ୍ଦଙ୍କୁ ମଧ୍ୟ ତାଙ୍କ ପତ୍ନୀ ଶାନ୍ତିଲତା ନିଜ ଘରକୁ ଫେରାଇ ଆଣିଥିଲେ। ସେ ପୂର୍ବରୁ କାର୍ଯ୍ୟ କରୁଥିବା ରାଧାରାଣୀ ପ୍ରେକ୍ଷାଳୟର ମାଲିକଙ୍କ ସହାୟତାରେ ବଣାଇ (ଷେଣ୍ଢପୁର)ରେ ରହୁଥିବା ଦୁଇପୁଅଙ୍କ ଘରକୁ ଯାଇଥିଲେ ମଧ୍ୟ ସେଠାରେ ରହୁଥିବା ତାଙ୍କ ପୁଅ ମାନେ ଘରେ ପୂରାଇ ଦେଇନଥିଲେ। ଫଳରେ ଶାନ୍ତିଲତା ତାଙ୍କୁ ପୁଣି ଥରେ ଦେବଗଡକୁ ଫେରାଇ ଆଣିଥିଲେ। ଅନ୍ୟ ପକ୍ଷରେ ପ୍ରେମାନନ୍ଦ ବୁର୍ଲାରୁ ଫେରିଥିବା ସୂଚନା ପାଇ ଜିଲା ପ୍ରଶାସନ ପକ୍ଷରୁ ଗତ ୨୧ ତାରିଖରୁ ସେ ରହୁଥିବା କୁଡିଆରେ ହୋମ କ୍ୱାରେଣ୍ଟାଇନର ଲଟ୍‌କା ଜାରି କରାଯାଇଥିଲା।

- Advertisement -

ମାତ୍ର ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ପ୍ରେମାନନ୍ଦଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ସାହି ପଡିଶା ଲୋକଙ୍କ ସମେତ ଜିଲା କ୍ରୀଡା ସଂସଦର ସମ୍ପାଦକ ଧିରେନ୍ଦ୍ର ନାୟକ, ଯୁଗ୍ମ ସମ୍ପାଦକ କିଶୋର ରାୟ, ଜିଲା ଓକିଲ ସଂଘର ସମ୍ପାଦକ ସିଦ୍ଧେଶ୍ୱର ଗୁରୁ, ସମଗ୍ର ଦେବଗଡ ଜିଲା ବିକାଶ ମଞ୍ଚର ଆବାହକ ସୁଧିର କୁମାର ବ୍ରହ୍ମା, ଦୟା ଶଙ୍କର ଦ୍ୱିବେଦୀ, ଆଇନଜୀବୀ ସାରଙ୍ଗଧର ଦେହୁରୀ ଓ ସାମ୍ବାଦିକ ପୃଥ୍ୱୀରାଜ ପଟ୍ଟନାୟକଙ୍କ ସମେତ ସହରର ବହୁ ସ୍ୱେଚ୍ଛାସେବୀ ତାଙ୍କ କୁଡିଆ ନିକଟରେ ରୁଣ୍ଡ ହେବା ସହ ତାଙ୍କର ପୁଅ ମାନଙ୍କ ଆସିବା ବାଟକୁ ଚାହିଁ ରହିଥିଲେ। ତେବେ କିଛି ଦିନ ପୂର୍ବେ ପ୍ରେମାନନ୍ଦଙ୍କୁ ନିଜ ଘରେ ରଖିବାକୁ ତାଙ୍କର ପୁଅ ମାନେ ମନା କରିଥିବା ଏବଂ ଆଜି ଫୋନ କରିବା ପରେ ଚାଷବାସ ଛାଡି ଆସିପାରିବେ ନାହିଁ ବୋଲି କହିଥିବା ତାଙ୍କର ପୁରୁଣା ମାଲିକ (ବନ୍ଦ ହୋଇଯାଇଥିବା ରାଧାରାଣୀ ଟକିଜର ମାଲିକ) କ୍ଷୀରେଶ୍ୱର ପ୍ରଧାନ ପ୍ରକାଶ କରିଥିଲେ। ଫଳରେ ନିଜସ୍ୱ ଉଦ୍ୟମରେ ଶବଦାହ କରିବା ପାଇଁ ଉପସ୍ଥିତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାନେ ପ୍ରସ୍ତୁତି ଆରମ୍ଭ କରିଥିଲେ। ତେବେ ପ୍ରେମାନନ୍ଦଙ୍କର ପୁରୁଣା ମାଲିକ ଶ୍ରୀ ପ୍ରଧାନ ଏକ ଶବବାହକ ଗାଡିର ବ୍ୟବସ୍ଥା କରି ପ୍ରେମାନନ୍ଦଙ୍କ ମୃତଦେହକୁ ଶ୍ମଶାନକୁ ନେବା ସହ ସେଠାରେ ତାଙ୍କର ଶବ ଦାହ କରିଥିଲେ। ଶବଦାହ ସମୟରେ ଶ୍ରୀ ପ୍ରଧାନଙ୍କ ସହ ପଡୋଶୀ ବିରେନ୍ଦ୍ର କୁମାର ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories