ବୁରାଡ଼ି କାଣ୍ଡ:ରହସ୍ୟମୟ ବାବାକୁ ଖୋଜୁଛି ପୁଲିସ

0

ନୂଆଦିଲ୍ଲୀ: ବୁରାଡ଼ି କାଣ୍ଡରେ ମୃତ ୧୧ଜଣଙ୍କ କାରଣ ଖୋଜିବାକୁ ଯାଇ ପୁଲିସ ଉକ୍ତ ବାବାର ସନ୍ଧାନ ଆରମ୍ଭ କରିଛି। ପୁଲିସ ତଦନ୍ତରେ ଏସଡିଏମ ରିପୋର୍ଟ ଆସିଯାଇଛି। ଏହି ରିପୋର୍ଟ ପୁଲିସର ହସ୍ତଗତ ହେବା ପରେ ମୃତକଙ୍କ ପରିବାରବର୍ଗଙ୍କୁ ମୋକ୍ଷ ପ୍ରାପ୍ତି ପାଇଁ ମୃତ୍ୟୁର ବାଟ ଦେଖାଇ ଥିବା ବାବାର ସନ୍ଧାନରେ ବାହାରିଛି ଦିଲ୍ଲୀ ପୁଲିସ। ଏସଡିଏମ ରିପୋର୍ଟରେ ମୃତ ପରିବାର ଅନ୍ଧବିଶ୍ୱାସର ଶିକାର ହେବା ଓ ତନ୍ତ୍ରମନ୍ତ୍ରରେ ବିଶ୍ୱାସୀ ଥିଲା ବୋଲି ପ୍ରକାଶ କରାଯାଇଛି। ପରିବାରବର୍ଗଙ୍କୁ ଦୀର୍ଘ ଦିନରୁ କେହି ଜଣେ ଭୁଲ ବାଟରେ ପରିଚାଳିତ କରୁଥିଲା ବୋଲି ପୁଲିସ ସନ୍ଦେହ କରୁଛି। ମୃତକଙ୍କ ପରିବାରରେ ମିଳିଥିବା ଖାତା ଓ ଘର ପଛପଟେ ବାହାରିଥିବା ୧୧ଟି ପାଇପ୍‍ ଏହାର ପ୍ରମାଣ ବୋଲି ରିପୋର୍ଟରେ ଦର୍ଶାଯାଇଛି। ମୃତକଙ୍କ ପରିବାରରେ ୧୧ଜଣ ସଦସ୍ୟ ରହୁଥିବାବେଳେ ଘର ପଛପଟେ ୧୧ଟି ପାଇପ୍‍ ବାହାରି ଥିବା ପୁଲିସ ତଦନ୍ତରେ ଜଣା ପଡ଼ିଥିଲା। ଏହି ପାଇପର କୌଣସି ବ୍ୟବହାର ନଥିଲେ ମଧ୍ୟ ଘର ଭିତରେ ଏହି ପାଇପ ଲଗାଇବା କାରଣ କେବଳ ଏହି ବାବା ହିଁ ଦେଇ ପାରିବେ ବୋଲି ପୁଲିସ ପ୍ରକାଶ କରିଛି। ୧୧ଟି ପାଇପ ମଧ୍ୟରୁ ୭ଟି ପାଇପ୍‍ ତଳ ଆଡ଼କୁ ମୋଡ଼ି ହୋଇ ରହିଥିବାବେଳେ ୪ଟି ପାଇପ୍‍ ସିଧା ଭାବରେ ଖଞ୍ଜା ଯାଇଛି। ଅପରପକ୍ଷରେ ପରିବାରରେ ୭ଜଣ ମହିଳା ଥିବାବେଳେ ୪ଜଣ ପୁରୁଷ ରହୁଥିଲେ। ଏହା ଛଡ଼ା ଏହି ଘଟଣାରେ ୫ଟି ପ୍ରସଙ୍ଗ ପୁଲିସ ପାଇଁ ଏବେ ମଧ୍ୟ ମୁଣ୍ଡବ୍ୟଥାର କାରଣ ପାଲଟିଛି।
୧)କ’ଣ ବାସ୍ତବରେ ପରିବାରର ସମସ୍ତ ସଦସ୍ୟ ଆତ୍ମହତ୍ୟା କରିଥିଲେ ନା’ ପରିବାରର ଜଣେ ବ୍ୟକ୍ତି ସମସ୍ତଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି?
୨) ଘରର ମୁଖ୍ୟ ଦ୍ୱାର ଭିତରୁ ଖୋଲା ଥିଲା। ତେବେ କ’ଣ ସେଦିନ ବାହାରର କୌଣସି ବ୍ୟକ୍ତି ଏହି କାଣ୍ଡ ଘଟାଇଛି?
୩) ଘରେ ଥିବା ପୋଷା କୁକୁର ଛାତରେ ବନ୍ଧା ଅବସ୍ଥାରେ ପୁଲିସ ଉଦ୍ଧାର କରିଛି। ଯଦି ବାହାରର କୌଣସି ବ୍ୟକ୍ତି ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ତେବେ କୁକୁର ଭୁକିବା ଶବ୍ଦ ପୋଡ଼ଶୀମାନେ ଶୁଣି ପାରିଲେ ନାହିଁ କାହିଁକି?
୪) ୧୦ଟି ମୃତଦେହ ଝୁଲନ୍ତା ଅବସ୍ଥାରେ ପୁଲିସ ଉଦ୍ଧାର କରିଥିବାବେଳେ କେବଳ ୮ଟି ମୃତଦେହର ଆଖି କାହିଁକି ବନ୍ଧା ହୋଇଥିଲା?
୫) ପରିବାରରେ ୨ଜଣ ଛୋଟ ପିଲା କ’ଣ ଏହି ସମୁହ ଆତ୍ମହତ୍ୟା ପାଇଁ ରାଜି ଥିଲେ ନା’ ସେମାନଙ୍କୁ ହତ୍ୟା କରାଯାଇଛି?

kalyan agarbati
Leave A Reply