‘ମହାନ’ ନିଷ୍ପ୍ରଭ

0

ରୁଷିଆରେ ଜୁନ ୧୪ରୁ ୨୦୧୮ ଫୁଟବଲ ବିଶ୍ବକପ୍ ଆରମ୍ଭ ହେବାପରଠାରୁ ଫୁଟବଲପ୍ରେମୀଙ୍କ ନଜରରେ ଏଥର କୌଣସି ଦଳ ନେଇ ଭବିଷ୍ୟବାଣୀ କରିବା ସହଜ ନଥିଲା ସତ; କିନ୍ତୁ ଜର୍ମାନୀ, ଆର୍ଜେଣ୍ଟିନା, ପର୍ତ୍ତୁଗାଲ ଭଳି ଦଳ ଯେ ଏଭଳି ମାଟି କାମୁଡ଼ି ପଡ଼ିବ, ତାହା ଥିଲା କଳ୍ପନାତୀତ। ବିଶେଷତଃ, ଲିଓନେଲ୍ ମେସି ଓ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭଳି ‘ମହାନ’ ଖେଳାଳିଙ୍କ ଖେଳ ଦେଖିବାକୁ ଯେଉଁମାନେ ଚାହୁଁଥିଲେ, ସେମାନଙ୍କୁ ବି ଏଥର ନିରାଶ ହେବାକୁ ପଡ଼ିଛି। ସେମାନେ ଯେଉଁ ପ୍ରକାରର ଖେଳ ପାଇଁ ବିଖ୍ୟାତ, ତାହା ଏଥର ସେମାନେ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ପରିଣାମ ସ୍ବରୂପ ସେମାନଙ୍କ ଦଳକୁ ବିଶ୍ବକପ୍‌ ଅଧାରୁ ବିଦାୟ ନେବାକୁ ପଡ଼ିଛି। ଯେଉଁ ଦଳଗୁଡ଼ିକ ବିଶ୍ବ ଫୁଟବଲ ଇତିହାସରେ ନିଜର ସ୍ବର୍ଣ୍ଣିମ ଅଧ୍ୟାୟ ଲେଖିଯାଇଛନ୍ତି, ସେମାନଙ୍କ ବିଫଳତା କ୍ରୀଡ଼ାର ଅନିଶ୍ଚିତତାକୁ ଦର୍ଶାଉଥିବାବେଳେ ଚର୍ଚାରେ ନଥିବା ଦଳଗୁଡ଼ିକର ବିଜୟ ଏଥର ବିଶ୍ବକପ୍‌କୁ ଅଧିକ ଆକର୍ଷଣୀୟ କରି ତୋଳିଛି। ବିଶେଷତଃ, ଏସିଆ, ଆଫ୍ରିକା ଓ ଆମେରିକାର ଜାପାନ, ଇରାନ, ମରକ୍କୋ, ସେନେଗାଲ, ପେରୁ, ନାଇଜେରିଆ, ଦ.କୋରିଆ ଭଳି ଦଳ ଏହାକୁ ପ୍ରମାଣିତ କରିଛନ୍ତି। ସେହିପରି ଇଂଲଣ୍ଡ, ବେଲଜିୟମ୍, କ୍ରୋଏସିଆ, ଉରୁଗୁଏ ଆଦି ଦଳ ଅତି ଉନ୍ନତ ମାନର କ୍ରୀଡ଼ା ପ୍ରଦର୍ଶନ କରି ସମଗ୍ର ବିଶ୍ବର ଫୁଟବଲପ୍ରେମୀଙ୍କୁ ଚମତ୍କୃତ କରିଛନ୍ତି। ଏହି ଦଳଗୁଡ଼ିକର ଯୁବପ୍ରତିଭାମାନେ ଯେଭଳି କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି, ମେସି, ରୋନାଲ୍ଡୋ, ନେମାରଙ୍କ ଭଳି ମହାରଥୀଙ୍କୁ ମଧ୍ୟ ନିଷ୍ପ୍ରଭ କରିଦେଇଛି।
ଆଗକୁ ଫୁଟବଲ ବିଶ୍ବକପ୍ ଆହୁରି ଆକର୍ଷଣୀୟ ହେବାର ସମ୍ଭାବନା ରହିଛି; ବିଶେଷକରି ନୂଆନୂଆ ଖେଳାଳିଙ୍କ ଚମତ୍କାରିତା ଦେଖିବା ମଜାଦାର ହେବ। ଆଜିକାଲି ବିଶ୍ବ ଫୁଟବଲରେ ଯେଉଁ ଜଗତାୟନ ଦେଖିବାକୁ ମିଳୁଛି, ତାହା କମ୍ ଗୁରୁତ୍ବପୂର୍ଣ୍ଣ ନୁହେଁ। ୟୁରୋପର ବଡ଼ବଡ଼ ଲିଗ୍‌ରେ ସମଗ୍ର ବିଶ୍ବର ପ୍ରତିଭାବାନ ଖେଳାଳିଙ୍କୁ ଆମନ୍ତ୍ରଣ କରାଯାଉଛି। ଶ୍ରେଷ୍ଠ ଫୁଟବଲ କ୍ଲବ୍‌ଗୁଡ଼ିକରେ ଖେଳିବା ପରେ ସେମାନେ ଜାତୀୟ ଦଳରେ ଖେଳୁଛନ୍ତି। ଏଥିଯୋଗୁଁ ଏବେ ବିଭିନ୍ନ ଦେଶର ଦଳରେ ଅନ୍ୟ ଦେଶର ଖେଳାଳିମାନଙ୍କୁ ମଧ୍ୟ ବେଶ୍ ଗୁରୁତ୍ବ ଦିଆଯାଉଥିବା ଦେଖିବାକୁ ମିଳିଛି। ଅଧିକାଂଶ ଖେଳାଳି ସେହି ଦେଶର ନାଗରିକତା ମଧ୍ୟ ନେଇଯାଉଛନ୍ତି। ଫୁଟବଲ ଯଥାର୍ଥରେ ବିଶ୍ବାୟିତ ହୋଇସାରିଛି।

Leave A Reply