ଆମେରିକା ଖବର କାଗଜ କାର୍ଯ୍ୟାଳୟରେ ଗୁଳିକାଣ୍ଡ, ୫ ମୃତ

0

ନୂଆଦିଲ୍ଲୀ : ସମାଜର ଚତୁର୍ଥସ୍ତମ୍ଭ ‘ଗଣମାଧ୍ୟମ’ ଉପରେ ପୁନଃ ଆକ୍ରମଣ ହୋଇଛି। ଆମେରିକାର ମେରିଲାଣ୍ଡସ୍ଥିତ ଏକ ଖବରକାଗଜ କାର୍ଯ୍ୟାଳୟରେ ଗୁରୁବାର ଜଣେ ଆତତାୟୀର ଗୁଳିମାଡ଼ରେ ୪ ସାମ୍ବାଦିକଙ୍କ ସମେତ ଜଣେ ସେଲ୍‍ସ ଆସିଷ୍ଟାଣ୍ଟ ପ୍ରାଣ ହରାଇଛନ୍ତି। ପୁଲିସ ୩୮ ବର୍ଷ ବୟସ୍କ ଆତତାୟୀ ଜାରୋଦ୍‍ ନାମୋସ୍‍ଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ନାମୋସ୍‍ ପ୍ରତିଶୋଧ ପରାୟଣ ହୋଇ ଏହି ଗୁଳିକାଣ୍ଡ ଘଟାଇଥିବା ଜଣାପଡିଛି।
ନାମୋସ୍‍ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ‘କ୍ୟାପିଟାଲ୍‍ ଗେଜେଟ୍‍’ ଖବରକାଗଜର ଆନ୍ନାପୋଲିସସ୍ଥିତ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଏହାର କାଚ କବାଟ ବାହାରେ ରହି ଭିତରକୁ ଦେଖିଥିଲେ। କାର୍ଯ୍ୟାଳୟରେ ବହୁ ଲୋକ ଉପସ୍ଥିତ ଥିବା ଜାଣିବା ପରେ ସେ ଆଖିବୁଜା ଗୁଳିମାଡ଼ କରିଥିଲେ। ଉପସ୍ଥିତ ସାମ୍ବାଦିକ ଓ ଅନ୍ୟମାନେ ଲୁଚିଯାଇ ଆତ୍ମରକ୍ଷା ଉଦ୍ୟମ କରିଥିଲେ ମଧ୍ୟ ୫ ଜଣଙ୍କ ଦେହରେ ଗୁଳି ବାଜିଥିଲା। ସେମାନେ ସେହିଠାରେ ଟଳିପଡିଥିଲେ ବୋଲି ଗୁଳିକାଣ୍ଡ ବେଳେ ଏକ ଡେସ୍କ ତଳେ ଲୁଚି ରହି ଆତ୍ମରକ୍ଷା କରିଥିବା ସାମ୍ବାଦିକ ଫିଲ୍‍ ଡାଭିସ୍‍ କହିଛନ୍ତି। ସୁଯୋଗ ଦେଖି କେହି ଜଣେ ଏହି ଗୁଳିମାଡ଼ ବିଷୟରେ ୯୧୧ରେ ଟେଲିଫୋନ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ନାମୋସ୍‍ ଗୁଳିକାଣ୍ଡ ବନ୍ଦ କରି କାର୍ଯ୍ୟାଳୟର ଏକ ଡେସ୍କ ତଳେ ନିରବରେ ବସିଥିଲେ। ଗୁଳିଚାଳନାରେ ବ୍ୟବହୃତ ବନ୍ଧୁକକୁ ସେ କିଛି ଦୂରରେ ଭୂମି ଉପରେ ରଖି ଦେଇଥିଲେ। ପୁଲିସ ତାଙ୍କୁ ତୁରନ୍ତ ଗିରଫ କରିଥିଲା। ଏହି ଘଟଣାରେ ବର୍ଷୀଆନ୍‍ ସାମ୍ବାଦିକ ରୋବ୍‍ ହିସେନଙ୍କ ସହିତ ସାମ୍ବାଦିକ ଜେରାଲ୍ଡ ଫିସ୍କମ୍ୟାନ୍‍, ଜନ୍‍ ମ୍ୟକ୍‍ନମାରା ଓ ୱେଣ୍ଡି ୱିଣ୍ଟରସ ଏବଂ ସେଲ୍‍ସ ସହଯୋଗୀ ରେବେକା ସ୍ମିଥ୍‍ ପ୍ରାଣ ହରାଇଛନ୍ତି। ଅନ୍ୟ ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି। ନାମୋସ୍‍ ଜାଣିଶୁଣି ଏହି ଗୁଳିକାଣ୍ଡ ଘଟାଇଛନ୍ତି। ଏଥିନେଇ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଆସିଥିଲେ। ଏହି ଗୁଳିକାଣ୍ଡ ପଛରେ କୌଣସି ଆତଙ୍କବାଦୀଙ୍କ ହାତ ନ ଥିବା ପୁଲିସ ସ୍ପଷ୍ଟ କରିଛି। ‘କ୍ୟାପିଟାଲ୍‍ ଗେଜେଟ୍‍’ ସହିତ ନାମୋସ୍‍ଙ୍କର ପୂର୍ବରୁ ବିବାଦ ରହିଥିଲା। ନାମୋସ୍‍ ସ୍କୁଲ୍‍ ସମୟର ଜଣେ ବାନ୍ଧବୀଙ୍କୁ ନିୟମିତ ହଇରାଣ କରିବା ଘଟଣାକୁ ନେଇ ଏହି ଖବରକାଗଜରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ କ୍ରୋଧାନ୍ୱିତ ହୋଇ ନାମୋସ୍‍ ଖବରକାଗଜ ଏବଂ ଏହାର ସାମ୍ବାଦିକଙ୍କ ବିରୋଧରେ ୨୦୧୩ରେ ଏକ ମାନହାନି ମକଦ୍ଦମା ରୁଜୁ କରିଥିଲେ। ମାତ୍ର କୋର୍ଟ ତାଙ୍କ ବିରୋଧରେ ରାୟ ଦେଇଥିଲେ। ଏହି ଘଟଣା ପରେ ନାମୋସ୍‍ଙ୍କ ମନରେ ପ୍ରତିଶୋଧର ଅଗ୍ନି ଜଳିଥିଲା। ସେ ବାରମ୍ବାର ସାମାଜିକ ଗଣମାଧ୍ୟମ ଦ୍ୱାରା ଏହି ଖବରକାଗଜକୁ ଧମକ ଦେଇ ଆସୁଥିଲେ। ନାମୋସ୍‍ ଜଣେ ଗଣହତ୍ୟାକାରୀ ପାଲଟିଯାଇ ପାରନ୍ତି ବୋଲି ୫ ବର୍ଷ ପୂର୍ବେ ପୁଲିସକୁ ସତର୍କ କରିଥିଲେ ବୋଲି ବାନ୍ଧବୀ ଜଣକ ଏହି ଘଟଣା ପରେ ପ୍ରକାଶ କରିଛନ୍ତି।

kalyan agarbati
Leave A Reply