ଭୋଟର ସ୍ବାସ୍ଥ୍ୟଚିନ୍ତା

0

ଗୋଟିଏ ମାସ ମଧ୍ୟରେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟକୁ ନେଇ ଅତ୍ୟନ୍ତ ଚିନ୍ତିତ ବୋଲି ପ୍ରତୀୟମାନ ହେଉଛି। ତେବେ ଏହା ସ୍ୱାସ୍ଥ୍ୟ ଚିନ୍ତା ନା ଆଗାମୀ ନିର୍ବାଚନ ଚିନ୍ତା ତାହା ସମୟ କହିବ। ଏବେଠୁ ଏନେଇ କୌଣସି ମନ୍ତବ୍ୟ ଦେବା ଠିକ୍‍ ହେବନି। ନିକଟରେ ରାଜ୍ୟ ସରକାର ସାମ୍ବାଦିକଙ୍କ ପରିବାର ଲାଗି ବାର୍ଷିକ ୨ ଲକ୍ଷ ଟଙ୍କା ଘୋଷଣା କରିଥିଲେ। ଚଳିତ ବଜେଟ୍‍ରେ କେନ୍ଦ୍ର ସରକାର ‘ଆୟୁଷ୍ମାନ୍‍ ଭାରତ’ ଯୋଜନାରେ ଓଡ଼ିଶାର ପାଖାପାଖି ୬୧ ଲକ୍ଷରୁ ଊର୍ଦ୍ଧ୍ବ ପରିବାରକୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ପ୍ରଦାନ କରିବେ ଓ ଏହା ଅଗଷ୍ଟ ୧୫ରୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି କରିଥିଲେ। ତେବେ କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ୍‍ ଭାରତ’ ଯୋଜନାକୁ ଓଡ଼ିଶାରେ ଲାଗୁ ନକରି ନିଜର ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ସେହିଦିନ ଅର୍ଥାତ୍‍ ଅଗଷ୍ଟ ୧୫ ତାରିଖରୁ ରାଜ୍ୟବ୍ୟାପୀ ୭୦ ଲକ୍ଷ ପରିବାର ଲାଗି ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଦିନକ ତଳେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ମହିଳାଙ୍କ ପାଇଁ ଏହି ବୀମା ରାଶିକୁ ୭ ଲକ୍ଷ ପର୍ଯ୍ୟନ୍ତ ବଢାଇଥିବା ଖୋଦ୍‍ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଭଳି ଘୋଷଣା ନିଶ୍ଚିତ ରୂପେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ; କିନ୍ତୁ ଏହାର ବାସ୍ତବତା ତଥା କ୍ଷେତ୍ରୀୟ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ରାଜ୍ୟରେ ସଂପ୍ରତି ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ସ୍ଥିତି ଯାହା ସେଥିରେ କେବଳ ବୀମା ବ୍ୟବସ୍ଥା କଲେ ଚିକିତ୍ସା ସେବା ଯେ ସୁଧୁରିଯିବ ତାହା ଭାବିବା ଭୁଲ୍‍। କାରଣ ଏହି ବୀମା ବ୍ୟବସ୍ଥା ଲାଗି ଯେଉଁ ଆର୍ଥିକ ବୋଝ ରାଜ୍ୟ ରାଜକୋଷ ଉପରେ ପଡ଼ିବ ତାହା କେଉଁଠୁ ଆସିବ ସେ ସଂପର୍କରେ ସରକାର କିି ବ୍ୟବସ୍ଥା କରିଛନ୍ତି ତାହା ଅସ୍ପଷ୍ଟ । ଯଦି ଏଭଳି ପ୍ରଶ୍ନ ଉଠେ ‘ଜନତା ତ’ ଚକୁଳି ଖାଇବା କଥା; ଏନେଇ ବିନ୍ଧ ଗଣିବ କିଆଁ’ ତା’ହେଲେ ଏହାର କିଛି ଉତ୍ତର ନାହିଁ।
ଆଜିର ଦିନରେ ଓଡ଼ିଶାର ସ୍ୱାସ୍ଥ୍ୟସ୍ଥିତି ଅତ୍ୟନ୍ତ ବିପର୍ଯ୍ୟସ୍ତ। ଶିଶୁ ଓ ମାତୃ ମୃତ୍ୟୁହାରରେ କିଛିଟା ଉନ୍ନତି ଆସିଥିଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ। ପୁଷ୍ଟିସାଧନ କ୍ଷେତ୍ରରେ ନଗଡ଼ା ଏକ ନଗ୍ନ ରୂପ। କେବଳ ୫ଟି ଜିଲାକୁ ଛାଡ଼ିଦେଲେ ଏକ୍ଷେତ୍ରରେ ରାଜ୍ୟର ଅନ୍ୟାନ୍ୟ ଜିଲାଗୁଡିକର ପରିସଂଖ୍ୟାନ ଅତ୍ୟନ୍ତ ନିରାଶାଜନକ ରହିଛି। ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ କରୁଥିବା ଖର୍ଚ୍ଚ ଆଦୌ ସନ୍ତୋଷଜନକ ନୁହେଁ। ଓଡ଼ିଶାର ପାଖାପାଖି ସାଢେ ଚାରିକୋଟି ଜନତାଙ୍କ ଲାଗି ମୁଣ୍ଡପିଛା ଦୈନିକ ସ୍ୱାସ୍ଥ୍ୟ ଖର୍ଚ୍ଚ ମାତ୍ର ଅଢେଇ ଟଙ୍କା। ଅର୍ଥାତ୍‍ ବର୍ଷକୁ ୯୧୨ ଟଙ୍କା ପାଖାପାଖି। ଜାତୀୟ ସ୍ୱାସ୍ଥ୍ୟ ମିଶନର ବ୍ୟାପକ ଆର୍ଥିକ ସହାୟତା ଯୋଗୁଁ ଗତ କିଛିବର୍ଷ ହେଲା ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିରେ କିଛିଟା ସୁଧାର ଆସିଛି। ଏବେ ବି ଅନେକ ସ୍ଥାନ ରହିଛି ଯେଉଁଠି ଡାକ୍ତରଖାନାଟିଏ ନାହିଁ। ଡାକ୍ତରଖାନା ଥିଲେ ଡାକ୍ତର ଓ ଆବଶ୍ୟକ ସ୍ୱାସ୍ଥ୍ୟ ସହାୟକ ନାହାନ୍ତି। କେନ୍ଦ୍ର-ରାଜ୍ୟ ସହଭାଗିତାରେ ଏବେ ଓଡ଼ିଶାରେ ଆଉ ୩ଟି ମେଡିକାଲ କଲେଜ ଓ ହସ୍ପିଟାଲ ଏବେ ବାରିପଦା, କୋରାପୁଟ ଓ ବାଲେଶ୍ୱରରେ କାର୍ଯ୍ୟକ୍ଷମ ହୋଇଛି। ଆଉ ୪ଟିର କାର୍ଯ୍ୟ ବଲାଙ୍ଗିର, ପୁରୀ ଓ ଭବାନୀପାଟଣାରେ ଚାଲିଛି। ଆଉ ଦୁଇଟି ହସ୍ପିଟାଲ ଝାରସୁଗୁଡ଼ା ଓ ତାଳଚେରରେ ସରକାରୀ-ଘରୋଇ ସହଭାଗିତାରେ ନିର୍ମାଣ କରାଯାଉଛି। ଜିଲା ହସ୍ପିଟାଲଗୁଡିକୁ ବିସ୍ତାର କରିବା ଓ ପିଏଚସି ଏବଂ ସିଏଚସିଗୁଡିକର ଆନୁଷଙ୍ଗିକ ବ୍ୟବସ୍ଥା ବଢାଇବା ଲାଗି କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଜନୌଷଧୀ କେନ୍ଦ୍ର, ରାଜ୍ୟ ସରକାରଙ୍କ ନିରାମୟ ଜେନେରିକ୍‍ ଔଷଧ ପ୍ରତି ଜନସଚେତନତା ଅବଶ୍ୟ ସୃଷ୍ଟି କରିଛି; ତଥାପି ଲୋକେ ଘରୋଇ ହସ୍ପିଟାଲକୁ ପରିସ୍ଥିତିରେ ପଡି ଯାଉଥିବା ଦେଖାଯାଉଛି। ଯଦିଓ ଓଡ଼ିଶାର ୭୯ ପ୍ରତିଶତ ଗ୍ରାମାଞ୍ଚଳ ଓ ୬୨ ପ୍ରତିଶତ ସହରାଞ୍ଚଳର ଲୋକ ସରକାରୀ ଡାକ୍ତରଖାନାକୁ ଯାଉଛନ୍ତି; ତଥାପି ଅନେକ ସମୟରେ ଡାକ୍ତର ଓ ଆନୁଷଙ୍ଗିକ ବ୍ୟବସ୍ଥା ନଥିବାରୁ ଘରୋଇ ହସ୍ପିଟାଲମୁହାଁ ହୋଇ ସର୍ବସ୍ୱାନ୍ତ ହେଉଛନ୍ତି।
ରାଜ୍ୟ ସରକାର ହୁଅନ୍ତୁ କି କେନ୍ଦ୍ର ସରକାର, କେବଳ ସ୍ୱାସ୍ଥ୍ୟବୀମା ଘୋଷଣା କଲେ ଚଳିବନି; କିଭଳି ଏହାଦ୍ୱାରା ସାଧାରଣ ଲୋକେ ଉତ୍ତମ ସେବା ପାଇପାରିବେ ତାହା ସୁନିଶ୍ଚିତ କରିବା ଜରୁରୀ। ଭାରତରେ ହାରାହାରି ପରମାୟୁ ୬୦ ବର୍ଷ ଥିବାବେଳେ ୨୦୨୫ ସୁଦ୍ଧା ଏହାକୁ ୭୦ ବର୍ଷ କରିବାକୁ ଖସଡ଼ା ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର। ମାତ୍ର ତଦନୁଯାୟୀ, ବଜେଟ୍‍ରେ ବ୍ୟୟବରାଦ ମୋଟ ଜିଡ଼ିପିର ୩.୯ ପ୍ରତିଶତରୁ ଉପରକୁ ଉଠିପାରିନି; ଯେଉଁଠି ବିଶ୍ୱର ହାରାହାରି ସ୍ୱାସ୍ଥ୍ୟ କ୍ଷେତ୍ରକୁ ଜିଡିପି ରହିଛି ୬ ପ୍ରତିଶତ। ଆଜି ବି ଓଡ଼ିଶା ବିହାର ଓ ଛତିଶଗଡ଼ଠାରୁ ତଳେ ରହିଛି। ୫୦ ପ୍ରତିଶତ ଲୋକେ ରୋଗବ୍ୟାଧିରେ ପଡିଲେ ଋଣ କରି ଚିକିତ୍ସିତ ହେଉଛନ୍ତି। ଏକ୍ଷେତ୍ରରେ ‘ଆୟୁଷ୍ମାନ୍‍ ଭାରତ’ ହେଉ କି ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ନିଶ୍ଚିତ ରୂପେ ଏକଏକ ସ୍ୱାଗତଯୋଗ୍ୟ ପଦକ୍ଷେପ; କିନ୍ତୁ ୭୦ ଲକ୍ଷ ପରିବାରକୁ ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଯେଉଁ ପ୍ରଭୂତ ଅର୍ଥ ଲୋଡ଼ା ତାହା ରାଜ୍ୟର ଋଣଭାର ବଢାଇବା ଆଶଙ୍କା ରଖିଛି। ବିତ୍ତ ପରିଚାଳନା ପ୍ରତି ମଧ୍ୟ ସରକାର ଅନୁରୂପ ଧ୍ୟାନ ଦେବା ଦରକାର। ନିର୍ବାଚନକୁ ଦେଖି ଯଦି ଏଭଳି ଘୋଷଣା କରାଯାଇଥାଏ; ତାହେଲେ ଏହାର ସଫଳତା ନେଇ ପ୍ରଶ୍ନବାଚୀ ଉଠିବା ସ୍ୱାଭାବିକ। ଅତୀତର ହରିଶ୍ଚନ୍ଦ୍ର ଯୋଜନା ଆଜିବି ପଞ୍ଚାୟତ ସ୍ତରରେ ଅର୍ଥାଭାବରୁ ଆଣ୍ଠେଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସେଭଳି ନହେଉ!

Leave A Reply