ଗ୍ରୁପ୍‍ ଶୀର୍ଷରେ କଲମ୍ବିଆ

0

ସାମାରା : ଚଳିତ ଫିଫା ବିଶ୍ୱକପ୍‍ରେ ଗ୍ରୁପ୍‍ ‘ଏଚ୍‍’ର ଶୀର୍ଷରେ ପହଞ୍ଚିଛି କଲମ୍ବିଆ। ଗୁରୁବାର ଅନ୍ତିମ ଗ୍ରୁପ୍‍ ମ୍ୟାଚ୍‍ରେ ସେନିଗାଲ୍‍କୁ ୧-୦ ଗୋଲ୍‍ରେ ହରାଇ କଲମ୍ବିଆ ଏହି କୃତିତ୍ୱ ହାସଲ କରିଛି। ପ୍ରଥମାର୍ଦ୍ଧ ଗୋଲ୍‍ଶୂନ୍ୟ ଭାବେ ଶେଷ ହୋଇଥିବା ବେଳେ ଦ୍ୱିତୀୟାର୍ଦ୍ଧରେ କଲମ୍ବିଆର ୟେରି ମିନା ଗୋଲ୍‍ ଦେଇଥିଲେ। ସର୍ବାଧିକ ୬ ପଏଣ୍ଟ ସହ କଲମ୍ବିଆ ଗ୍ରୁପ୍‍ ‘ଏଚ୍‍’ ଶୀର୍ଷରେ ରହି ପ୍ରିକ୍ୱାର୍ଟରରେ ପ୍ରବେଶ କରିଛି।
ମ୍ୟାଚ୍‍ରେ ପ୍ରଥମ ଗୋଲ୍‍ ଅଭିମୁଖୀ ସଟ୍‍ ମାରିଥିଲା ସେନିଗାଲ। ଏମ୍‍ବାୟେ ନିଆଙ୍ଗ୍‍ଙ୍କ ସଟ୍‍ ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା। ୮ମ ମିନିଟରେ ସେନିଗାଲ୍‍କୁ ପ୍ରଥମ ଫ୍ରିକିକ୍‍ ମିଳିଥିଲା। ଏଥିରୁ କେଇତା ବାଲ୍‍ଡେଙ୍କ ସିଧା ସଟ୍‍ ଗୋଲ୍‍ରକ୍ଷକ ଡେଭିଡ୍‍ ଅସ୍ପିନାଙ୍କ ହାତରେ ପଡ଼ିଥିଲା। ୧୧ ମିନିଟରେ କଲମ୍ବିଆ ଅଧିନାୟକ ତଥା ତାରକା ଖେଳାଳି ରାଡାମେଲ ଫାଲ୍‍କାଓଙ୍କେୁ ଡି ଏରିଆ ବାହାରେ ଫାଉଲ ହେବାରୁ କଲମ୍ବିଆକୁ ଫ୍ରିକିକ୍‍ ମିଳିଥିଲା। ଏଥିରୁ ୟୁଆନ୍‍ କ୍ୱିଣ୍ଟେରୋ ମାରିଥିବା ସଟ୍‍କୁ ସେନିଗାଲ୍‍ ଗୋଲ୍‍ରକ୍ଷକ ଖାଦିମ୍‍ ଏନ୍‍ଡିଆୟେ ଚମତ୍କାର ଢଙ୍ଗରେ ରୋକି ଦେଇଥିଲେ। ୧୭ ମିନିଟରେ ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେନିଗାଲ୍‍ର ସାଦିଓ ମାନେଙ୍କୁ କଲମ୍ବିଆ ପେନାଲ୍‍ଟି ବକ୍ସ ମଧ୍ୟରେ କଲମ୍ବିଆ ଡିଫେଣ୍ଡର ଡାଭିନ୍‍ସନ ସାଞ୍ଚେଜ୍‍ ଫାଉଲମାରି ପକାଇ ଦେଇଥିଲେ। ରେଫେରୀ ତୁରନ୍ତ ସେନିଗାଲ୍‍କୁ ପେନାଲ୍‍ଟି ଦେଇଥିଲେ। ପରେ କଲମ୍ବିଆ ଖେଳାଳିଙ୍କ ପ୍ରତିବାଦ ଯୋଗୁଁ ରେଫେରୀ ଭିଏଆର୍‍ ଦେଖିଥିଲେ ଏବଂ ପେନାଲ୍‍ଟିକୁ ନାକଚ କରିଥିଲେ। ୨୧ ମିନିଟରେ ସେନିଗାଲ୍‍ର ଫ୍ରିକିକ୍‍ରୁ ଏମ୍‍ବାୟେ ନିଆଙ୍ଗ୍‍ ସିଧା ଗୋଲ୍‍ରକ୍ଷକ ଅସ୍ପିନାଙ୍କ ହାତକୁ କିକ୍‍ ମାରିଥିଲେ। ପରବର୍ତ୍ତୀ ୫ ମିନିଟରେ କଲମ୍ବିଆ ଗୋଲ୍‍ରକ୍ଷକ ଅସ୍ପିନାଙ୍କୁ ୩ ଥର ଗୋଲ୍‍ ବଞ୍ଚାଇବାକୁ ପଡ଼ିଥିଲା। ୨୭ ମିନିଟରେ କେଇତା ବାଲ୍‍ଡେ ଓ ୨୮ ମିନିଟରେ ଇସ୍‍ମାଇଲା ସାର୍‍ କଲମ୍ବିଆ ଗୋଲ୍‍ରକ୍ଷକ ଅସ୍ପିନାଙ୍କୁ ପରାସ୍ତ କରି ପାରିନଥିଲେ। ୩୦ ମିନିଟରେ କଲମ୍ବିଆକୁ ଶକ୍ତ ଧକ୍କା ଲାଗିଥିଲା। ଦଳର ଶ୍ରେଷ୍ଠ ଫରୱାର୍ଡ ତଥା ଗତ ବିଶ୍ୱକପ୍‍ରେ ସର୍ବାଧିକ ୬ଟି ଗୋଲ୍‍ ସ୍କୋର୍‍କରି ଗୋଲ୍‍ଡେନ ବୁଟ୍‍ ପାଇଥିବା ଜେମ୍‍ସ ରଡ୍ରିଗ୍ୱେଜ୍‍ ଆହତ ହୋଇ ପଡ଼ିଆରୁ ବିଦାୟ ନେଇଥିଲେ। ପରେ କଲମ୍ବିଆ ପାଖରେ ଅଧିକ ସମୟ ବଲ୍‍ ରହିଥିଲେ ହେଁ ଗୋଲ୍‍ ହୋଇନଥିଲା। ପରେ କଲମ୍ବିଆର କ୍ୱିଣ୍ଟେରୋ ଓ ସେନିଗାଲ୍‍ର ସାଲିଫ୍‍ ସେନ୍‍ଙ୍କ ଫ୍ରିକିକ୍‍ ପ୍ରତିପକ୍ଷ ଗୋଲ୍‍ରକ୍ଷକଙ୍କ ହାତକୁ ଯାଇଥିଲା। ଏହିପରି ପ୍ରଥମାର୍ଦ୍ଧ ଗୋଲ୍‍ଶୂନ୍ୟ ରହିଥିଲା। ଦ୍ୱିତୀୟାର୍ଦ୍ଧରେ କଲମ୍ବିଆ ଆକ୍ରମଣାତ୍ମକ ମନୋଭାବ ନେଇ ପଡ଼ିଆକୁ ଓହ୍ଲାଇଥିଲା ଏବଂ ସେନିଗାଲ୍‍ ବାଧ୍ୟହୋଇ ରକ୍ଷଣାତ୍ମକ ଫୁଟ୍‍ବଲ ଖେଳିଥିଲା। ୫୫ ମିନିଟରେ ୟୋହାନ ମୋଇକାଙ୍କ କ୍ରସ୍‍ରୁ ଫାଲ୍‍କାଓ ହେଡ୍‍ କରିଥିଲେ ହେଁ ବଲ୍‍ ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା। ୭୪ ମିନିଟରେ କଲମ୍ବିଆ ଗୋଲ୍‍ଦେଇ ଆଗୁଆ ହୋଇ ଯାଇଥିଲା। ଡାହାଣପଟୁ ୟୁଆନ୍‍ କ୍ୱିଣ୍ଟେରୋଙ୍କଠାରୁ ପାସ୍‍ ପାଇ ୟେରି ମିନା ହେଡ୍‍କରି ଏହି ଗୋଲ୍‍ଟି ଦେଇଥିଲେ। ଚଳିତ ବିଶ୍ୱକପ୍‍ରେ ଏହା ମିନାଙ୍କର ୨ୟ ଗୋଲ୍‍। ପୋଲାଣ୍ଡ ବିରୋଧରେ ମଧ୍ୟ ମିନା କଲମ୍ବିଆର ପ୍ରଥମ ଗୋଲ୍‍ ଦେଇଥିଲେ। ଏହି ଗୋଲ୍‍ ପରେ ସେନିଗାଲ୍‍ ଆକ୍ରମଣ ଜୋରଦାର କରିଥିଲା। ଫଳରେ ୫ ମିନିଟ ମଧ୍ୟରେ କଲମ୍ବିଆ ଗୋଲ୍‍ରକ୍ଷକ ଅସ୍ପିନାଙ୍କୁ ୩ ଥର ନିଶ୍ଚିତ ଗୋଲ୍‍ ବଞ୍ଚାଇବାକୁ ପଡ଼ିଥିଲା। ତଥାପି ସେନିଗାଲ୍‍ର ଆକ୍ରମଣ ଜାରି ରହିଥିଲା। ତେବେ କଲମ୍ବିଆର ଡିଫେନ୍‍ସ ଦୃଢ଼ ରହିଥିଲା।

kalyan agarbati
Leave A Reply