ପ୍ରାଣ ହରାଇଲେ ପ୍ରାଣକୃଷ୍ଣ
କଟକ ସହର : ପୁଲିସ ବେତାର କେନ୍ଦ୍ର ନିକଟରେ ଥିବା ପାଣି ପାଇପରେ ମେ ୧୭ତାରିଖରେ ପଶି ଯାଇ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ପ୍ରାଣକୃଷ୍ଣ ମୁଦୁଲି(୫୩)ଙ୍କର ଗୁରୁବାର ଅପରାହ୍ଣରେ ଦେଉଳସାହି ସୁନାଦେଈ ମନ୍ଦିର ନିକଟସ୍ଥ ବାସଭବନରେ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ପ୍ରାଣକୃଷ୍ଣ ଏକପ୍ରକାର ସ୍ମୃତି ଶକ୍ତି ହରାଇଥିଲେ। କାହା ସହିତ ବିଶେଷ କଥାବାର୍ତ୍ତା କରୁନଥିଲେ। ଅଧିକାଂଶ ସମୟ ନୀରବ ରହୁଥିଲେ। କିଛି ଦିନ ପୂର୍ବେ ତାଙ୍କୁ ଜ୍ୱର ହୋଇଥିଲା। ଜ୍ୱର ଭଲ ହୋଇଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲେ। ଆଜି ଅପରାହ୍ଣରେ ହଠାତ ସେ ଅସୁସ୍ଥ ହୋଇପଡିଥିଲେ। ଘରେ ଲୋକେ ତାଙ୍କୁ ଡାକ୍ତରଖାନା ନେବାକୁ ଯାଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ଅବିବାହିତ ଥିଲେ।
ସୂଚନାଯୋଗ୍ୟ, ତୁଳସୀପୁର ପୁଲିସ କଲୋନୀ ବେତାର ବିଭାଗ କାର୍ଯ୍ୟାଳୟ ନିକଟରେ ମେ ୧୭ତାରିଖରେ କଂକ୍ରିଟ ଚ୍ୟାମ୍ବର ସଫେଇ କରିବା ସମୟରେ ଦଉଡ଼ି ଛିଡ଼ିଯିବାରୁ ଶ୍ରମିକ ପ୍ରାଣକୃଷ୍ଣ ପାଇପ୍ ଭିତରେ ଫସି ଯାଇଥିଲେ। ଅଗ୍ନିଶମ ଓ ଓଡ୍ରାଫ କର୍ମଚାରୀମାନେ ୭ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି ତାଙ୍କୁ ପାଇପ ଭିତରୁ ଉଦ୍ଧାର କରିଥିଲା। ତାଙ୍କୁ ଗୁରୁତର ଏସ୍ସିବି ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଆହତ ସମୟରେ ‘ସମାଜ’ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ବୋଲି ତାଙ୍କ ଭାଇ ନାବାନ ମୁଦୁଲି କହିଛନ୍ତି। ତାଙ୍କ ଶବଦାହ ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ମହାନଗର ନିଗମ ପକ୍ଷରୁ ତିନି ହଜାର ଟଙ୍କା ଶବଦାହ ପାଇଁ ପ୍ରଦାନ କରାଯାଇଥିଲା। ସତିଚଉରାସ୍ଥିତ ଶ୍ମଶାନରେ ଶବଦାହ କରାଯାଇଛି। ଭାଇ ନାବାନ ମୁଖାଗ୍ନୀ ଦେଇଥିଲେ।