କେଜରିୱାଲଙ୍କ ବିରୋଧରେ ଫୌଜଦାରୀ ଷଡ଼ଯନ୍ତ୍ର ଆରୋପ
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଫୌଜଦାରୀ ଷଡଯନ୍ତ୍ର ଆରୋପ ଲଗାଇବାକୁ ଯାଉଛି। ଗତ ଫେବୃଆରୀରେ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ କେଜରିୱାଲଙ୍କ ବାସଭବନରେ ମାଡ ମରାଯିବା ଅଭିଯୋଗ ଆଧାରରେ ପୁଲିସ ଏହି ଆରୋପ ଲଗାଇବାକୁ ଯାଉଛି। ଏହି ଆରୋପ ସମ୍ପର୍କିତ ଅଭିଯୋଗଫର୍ଦ ପୁଲିସ ଖୁବଶୀଘ୍ର ଅଦାଲତରେ ଦାଖଲ କରିବ ବୋଲି ଏକ ସୂତ୍ରରୁ ଜଣାଯାଇଛି। ଫୌଜଦାରୀ ଷଡଯନ୍ତ୍ର ଆରୋପରେ ଜଣେ ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ୩ବର୍ଷ ଜେଲ ଦଣ୍ଡ ଭୋଗିଥାଏ। ମାଡ ମରାଯିବାକୁ ନେଇ ମୁଖ୍ୟ ସଚିବ ପୁଲିସ ନିକଟରେ ଯେଉଁ ଏଫଆଇଆର ରୁଜୁ କରିଛନ୍ତି ସେଥିରେ କେଜରିୱାଲ ଓ ସିସୋଦିଆଙ୍କ ନାମ ରହିଛି। ଏହି ମାଡ ମରାଯିବା ଅଭିଯୋଗକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଖଣ୍ଡନ କରାଯାଇଆସୁଛି।