ଉପଲବ୍ଧ ଜ୍ଞାନ
ପ୍ରାଚୀନକାଳରେ ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ଚିିକିତ୍ସା ବିଶେଷ ଖାତି ଲାଭ କରିଥିଲା। ସେ ସମୟରେ ଜଡ଼ିବୁଟି ପ୍ରୟୋଗରେ ହିଁ ରୋଗ ଚିକିତ୍ସା କରାଯାଉଥିଲା। ଆୟୁର୍ବେଦ ଶାସ୍ତ୍ରର ଜନକ ଭାବରେ ଖ୍ୟାତ ଥିଲେ ଧନ୍ବନ୍ତରୀ। ଧନ୍ବନ୍ତରୀଙ୍କ ବିଦ୍ୟାଳୟରେ ବାଗ୍ଭଟ୍ଟ ଆୟୁର୍ବେଦ ଶାସ୍ତ୍ର ଅଧ୍ୟୟନ କରୁଥିଲେ। ଆୟୁର୍ବେଦ ଶିକ୍ଷାଲାଭ କରିବାରେ ତାଙ୍କର ଆଗ୍ରହ ଦେଖି ଧନ୍ବନ୍ତରୀ ତାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ।
ଏକଦା ଧନ୍ବନ୍ତରୀଙ୍କ ନିକଟକୁ ଚିକିତ୍ସା ନିମନ୍ତେ ଗଳିତ କୁଷ୍ଠରୋଗରେ ଆକ୍ରାନ୍ତ, ଭୟଙ୍କର ଦେଖାଯାଉଥିବା ରୋଗୀଟିଏ ଅାସିଲା। ରୋଗର ଉପଚାର ନିମନ୍ତେ ଜଡ଼ିବୁଟିର ଆବଶ୍ୟକତା ଉପଲବ୍ଧ ହେଲା। ସେ ସମୟରେ କେବଳ ଜଙ୍ଗଲରୁ ହିଁ ଔଷଧୀୟ ଜଡ଼ିବୁଟି ସଂଗ୍ରହ କରାଯାଉଥିଲା। ଚିକିତ୍ସକମାନେ ଜଙ୍ଗଲରେ ଖୋଜିଖୋଜି ନିର୍ଦିଷ୍ଟ ପ୍ରଜାତିର ଔଷଧୀୟ ବୃକ୍ଷର ପତ୍ର, ଚେରମୂଳ ସଂଗ୍ରହ କରି ସେଥିରେ ଔଷଧ ପ୍ରସ୍ତୁତ କରୁଥିଲେ। ତଦ୍ନୁଯାୟୀ ଗୁରୁ ଶିଷ୍ୟଙ୍କୁ ନିର୍ଦିଷ୍ଟ ଔଷଧୀୟ ବୃକ୍ଷର ଆକୃତି ପତ୍ରର ଆକାର ସମ୍ପର୍କରେ ବୁଝାଇ ଦେଇଥିଲେ। ବନପ୍ରଦେଶକୁ ଯାଇ ସେଇ ବୃକ୍ଷର ପତ୍ର ଓ ଚେରମୂଳ ସଂଗ୍ରହ କରିବାକୁ କହିଥିଲେ। ତାଗିଦ୍ କରି ଦେଇଥିଲେ ଯେପରି ହେଉ ଖୋଜିଖୋଜି ସେହି ଔଷଧୀୟ ବୃକ୍ଷର ଚେରମୂଳ ଆଣିବା ନିମନ୍ତେ।
ଗୁରୁଙ୍କ ନିର୍ଦେଶରେ ଶିଷ୍ୟ ଜଙ୍ଗଲକୁ ଯାଇ ସେହି ନିର୍ଦିଷ୍ଟ ଔଷଧୀୟ ବୃକ୍ଷର ସନ୍ଧାନ କରିଥିଲେ। ହେଲେ ଏହା ପାଇବା ଏତେ ସହଜ ନଥିଲା। ପ୍ରତ୍ୟହ ଜଙ୍ଗଲକୁ ଯାଇ ନୂଆନୂଆ ସ୍ଥାନ ଖୋଜନ୍ତି। ହେଲେ ସନ୍ଧ୍ୟା ସମୟକୁ ନିରାଶ ହୋଇ ଫେରିଥାନ୍ତି। ଏହିଭଳି ଭାବରେ ଦିନେ ଦୁଇଦିନ ନୁହେଁ, ଦୀର୍ଘ ତିନିମାସ ଅତିକ୍ରାନ୍ତ ହୋଇଗଲା। ଶିଷ୍ୟ ଖୋଜିବା ଦିଗରେ ଆଦୌ ତ୍ରୁଟି କରି ନଥିଲେ। ପ୍ରତ୍ୟେକ ଦିନ ନୂଆ ଉତ୍ସାହ, ଆଗ୍ରହରେର ଖୋଜିବାକୁ ଯାଉଥାନ୍ତି। ଅସୀମ ଧୈର୍ଯ୍ୟ ସହକାରେ ଖୋଜିବା ଭିତରେ ସେ ଅନେକ ପ୍ରକାର ଔଷଧୀୟ ବୃକ୍ଷ ଦେଖିଥିଲେ, ତାକୁ ଗୁରୁଦେବ କହିବା ମୁତାବକ ବୃୃକ୍ଷସହ ତୁଳନା କରିଥିଲେ। ହେଲେ ନିରାଶ ହୋଇଥିଲେ।
ଧନ୍ବନ୍ତରୀ ଶିଷ୍ୟଙ୍କ ଧୈର୍ଯ୍ୟ, ଅଧ୍ୟବସାୟ ସମ୍ପର୍କରେ ଜାଣିବାକୁ ପାଇଥିଲେ। ସାମାନ୍ୟ ମାତ୍ର ବିରକ୍ତି ପ୍ରକାଶ ନକରି ସେ ଯେ ତିନିମାସ ଧରି ଗୁରୁଙ୍କ ନିର୍ଦେଶିତ ଔଷଧୀୟ ବୃକ୍ଷ ଖୋଜୁଛନ୍ତି, ଏହା ଜାଣିବା ପରେ ଅତି ପ୍ରସନ୍ନ ହୋଇଯାଇଥିଲେ। ଜ୍ଞାନ ବୃଦ୍ଧି ନିମନ୍ତେ ଶିଷ୍ୟଙ୍କ ଏହି ପ୍ରଚେଷ୍ଟାରେ ସେ ଅଭିଭୂତ ହୋଇଯାଇଥିଲେ
ଅନ୍ୟଦିନ ଶିଷ୍ୟଙ୍କୁ ସାଥୀରେ ଧରି ସେ ଅତି ନିକଟରେ ଥିବା ପଡ଼ୋଶୀଙ୍କ କ୍ଷେତକୁ ଯାଇଥିଲେ। ସେଠାରୁ ସେହି ଔଷଧୀୟ ବୃକ୍ଷ ଶିଷ୍ୟକୁ ଚିହ୍ନାଇ ଦେଇଥିଲେ ଓ ନିଜେ ସେହି ବୃକ୍ଷର ପତ୍ର ତଥା ଚେରମୂଳ ସଂଗ୍ରହ କରି ଆଣିଥିଲେ। ସେହି ବୃକ୍ଷରୁ ପ୍ରସ୍ତୁତ ଔଷଧ ସେବନ ମାତ୍ରେ ରୋଗୀ କିଛିଦିନ ମଧ୍ୟରେ ଭଲ ହୋଇଯାଇଥିଲା। ଏହା ଦେଖି ଶିଷ୍ୟ ବିସ୍ମିତ ହୋଇ କହିଥିଲେ ଗୁରୁଦେବ! ଏଇ ନିକଟରେ ଉପଲବ୍ଧ ଥିଲାବେଳେ ମୋତେ କାହିଁକି ଜଙ୍ଗଲ ମଧ୍ୟକୁ ପଠାଇଥିଲେ। ଅନ୍ତତଃ ଏ ସମ୍ପର୍କରେ ମୋତେ ସୂଚନା ଦେଇପାରିଥାନ୍ତେ।
ଧନନ୍ତରୀଙ୍କ ଉତ୍ତର ଥିଲା- ବତ୍ସ! ପ୍ରୟୋଜନୀୟ ଲାଭ ତୁଳନାରେ ଜ୍ଞାନ, ଉପଲବ୍ଧି ଓ ଅନୁଭବ, ଅଧିକ ମହତ୍ତ୍ବପୂର୍ଣ୍ଣ। ତୁମେ ଏହି କାରଣରୁ ଯେ ଧୈର୍ଯ୍ୟରସହ ମାସମାସ ଧରି ଜଙ୍ଗଲରେ ବୁଲିଲ ସେଥିରେ ଅନେକ ଜ୍ଞାନ ଆହରଣ କରିଛି ନିଶ୍ଚୟ। ଏହା ଅନୁଭବ ସିଦ୍ଧ ଜ୍ଞାନ। ଏଥିରେ ଲାଭକ୍ଷତିର ପ୍ରଶ୍ନ ଉଠୁଛି କୁଆଡ଼ୁ?