ପ୍ରିକ୍ୱାର୍ଟରଫାଇନାଲରେ ସ୍ୱିଡେନ୍
ଏକାତେରିନ୍ବର୍ଗ : ଫିଫା ବିଶ୍ୱକପ୍ରେ ଗୁରୁବାର ଗ୍ରୁପ୍ ଏଫ୍’ରେ ମେକ୍ସିକୋ ଓ ସ୍ୱିଡେନ୍ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ମେକ୍ସିକୋକୁ ୩-୦ ଗୋଲ୍ରେ ପରାସ୍ତ କରି ସ୍ୱିଡେନ୍ ପ୍ରିକ୍ୱାର୍ଟର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ସ୍ୱିଡେନ୍ ୨ଟି ବିଜୟ ସହ ୬ ପଏଣ୍ଟ ହାସଲ କରିଥିଲା। ମେକ୍ସିକୋ ମଧ୍ୟ ୨ଟି ବିଜୟ ସହ ପ୍ରିକ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରିଛି।
ଖେଳ ଆରମ୍ଭ ହେବାର ମାତ୍ର ୧୫ ସେକେଣ୍ଡରେ ସ୍ୱିଡେନ୍ର ଖେଳାଳି ଓଲା ଟୋଏଭୋନେନ୍ଙ୍କୁ ଫାଉଲ୍ ମାରିବାରୁ ମେକ୍ସିକୋର ଗାଲାର୍ଡୋଙ୍କୁ ରେଫରି ହଳଦିଆ କାର୍ଡ଼ ପ୍ରଦର୍ଶନ କରିଥିଲେ। ୨ ମିନିଟ୍ରେ ସ୍ୱିଡେନ୍କୁ ଏକ ଫ୍ରି-କିକ୍ ମିଳିଥିଲା। ତେବେ ଦଳର ଖେଳାଳିମାନେ ଏହାକୁ ଗୋଲ୍ରେ ପରିଣତ କରିବାରେ ବିଫଳ ହୋଇଥିଲେ। ୫ ମିନିଟ୍ରେ ସ୍ୱିଡେନ୍କୁ ଆଉ ଗୋଟିଏ ଫ୍ରି-କିକ୍ ମିଳିଥିଲେ ମଧ୍ୟ ମେକ୍ସିକୋ ଗୋଲରକ୍ଷକ ଓକହୋଆ ସଫଳତା ପୂର୍ବକ ସଟ୍କୁ ଧରି ନେଇଥିଲେ। ୧୨ ମିନିଟ୍ରେ ସ୍ୱିଡେନ୍କୁ ମିଳିଥିବା କର୍ଣ୍ଣରରୁ ଗୋଲ୍ ସ୍କୋର କରିବାକୁ ସୁଯୋଗ ମିଳିଥିଲେ ମଧ୍ୟ ତାହା ହାତଛଡ଼ା ହୋଇଯାଇଥିଲା। ୧୬ ମିନିଟ୍ରେ ମେକ୍ସିକୋ ଖେଳାଳିମାନେ ନିଜ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ସ୍ୱିଡେନ୍ ଗୋଲପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ତେବେ କାର୍ଲସ ଭେଲାଙ୍କ ସଟ୍ ସ୍ୱିଡେନ୍ ଗୋଲପୋଷ୍ଟ ନିକଟ ଦେଇ ଚାଲି ଯାଇଥିଲା। ଏହାପରେ ସ୍ୱିଡେନ୍ ଖେଳାଳିମାନେ ମେକ୍ସିକୋ ଗୋଲପୋଷ୍ଟ ଉପରେ ଆକ୍ରମଣ ଜାରି ରଖିଥିଲେ। ଖେଳର ୨୫ ମିନିଟ୍ରେ ସ୍ୱିଡେନ୍ର ମାର୍କସ ବର୍ଗଙ୍କ ସଟ୍କୁ ମେକ୍ସିକୋ ଗୋଲରକ୍ଷକ ଅଟକାଇ ଦେଇଥିଲେ। ୨୮ ମିନିଟ୍ରେ ମେକ୍ସିକୋ ଖେଳାଳି ଜାଭିଏର ହର୍ଣ୍ଣାଡେଜ୍ଙ୍କ ହାତରେ ବଲ୍ ବାଜିଥିବା ସ୍ୱିଡେନ୍ ଖେଳାଳି ଅଭିଯୋଗ କରିବା ପରେ ରେଫରୀ ‘ଭାର୍’ ବ୍ୟବସ୍ଥାର ସହାୟତା ନେଇଥିଲେ। ‘ଭାର୍’ ନିଷ୍ପତ୍ତି ଅନୁଯାୟୀ ସ୍ୱିଡେନ୍କୁ ପେନାଲ୍ଟି ମିଳିନଥିଲା। ୩୧ ମିନିଟ୍ରେ ଗୋଲ୍ ସ୍କୋର କରିବାକୁ ସ୍ୱିଡେନ୍କୁ ସୁଯୋଗ ମିଳିଥିଲା। ବର୍ଗଙ୍କ ଏକ ଶକ୍ତିଶାଳୀ ହେଡର୍କୁ ମେକ୍ସିକୋ ଗୋଲରକ୍ଷକ ଗୋଲପୋଷ୍ଟ ଉପରକୁ ଟେକି ଦେବାରୁ ସ୍ୱିଡେନ୍ ଗୋଲ ସ୍କୋର କରିବାରୁ ବଞ୍ଚିତ ହୋଇଥିଲା। ୩୮ ମିନିଟ୍ରେ ମେକ୍ସିକୋ ତରଫରୁ ହର୍ଣ୍ଣାଡେଜ୍ ସ୍ୱିଡେନ୍ ରକ୍ଷଣଭାଗ ଖେଳାଳିଙ୍କୁ ପରାସ୍ତ କରି ପେନାଲ୍ଟି ବକ୍ସ ମଧ୍ୟରେ ପ୍ରବେଶ କରିଥିଲେ ମଧ୍ୟ ଗୋଲ ସ୍କୋର କରିବାରେ ବିଫଳ ହୋଇଥିଲେ। ୩୯ ମିନିଟ୍ରେ କାର୍ଲସ ଭେଲାଙ୍କ ସଟ୍ ଗୋଲପୋଷ୍ଟ ଉପର ଦେଇ ଚାଲି ଯାଇଥିଲା। ପ୍ରଥମାର୍ଦ୍ଧ ଖେଳ ଗୋଲ୍ଶୂନ୍ୟ ଭାବେ ଶେଷ ହୋଇଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ସ୍ୱିଡେନ୍ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ୫୦ ମିନିଟ୍ରେ ସ୍ୱିଡେନ୍ ଗୋଲ୍ ସ୍କୋର କରିବାରେ ସଫଳତା ହାସଲ କରିଥିଲା। ଦଳ ତରଫରୁ ଲୁଡୱିଗ୍ ଅଗଷ୍ଟିନ୍ସନ୍ଙ୍କ ଏକ ଶକ୍ତିଶାଳୀ ସଟ୍ ମେକ୍ସିକୋ ଗୋଲରକ୍ଷକଙ୍କୁ ପରାସ୍ତ କରି ଗୋଲ୍ପୋଷ୍ଟ ମଧ୍ୟକୁ ପଶି ଯାଇଥିଲା। ୬୨ ମିନିଟ୍ରେ ସ୍ୱିଡେନ୍ ଦ୍ୱିତୀୟ ଗୋଲ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ସ୍ୱିଡେନ୍ ଖେଳାଳି ବର୍ଗଙ୍କୁ ମେକ୍ସିକୋର ହେକ୍ଟର ମୋରେନୋ ପେନାଲଟି ବକ୍ସରେ ଫାଉଲ୍ ମାରିବାରୁ ରେଫରି ସ୍ୱିଡେନ୍କୁ ପେନାଲ୍ଟି କିକ୍ ମାରିବାର ସୁଯୋଗ ଦେଇଥିଲେ। ଦଳ ତରଫରୁ ଆନ୍ଦ୍ରିଆସ୍ ଗ୍ରାନ୍କ୍ୱିଭିଷ୍ଟ ଗୋଲ୍ ସ୍କୋର କରିଥିଲେ। ୭୦ ମିନିଟ୍ରେ ମେକ୍ସିକୋ ଖେଳାଳି ହର୍ଣ୍ଣାଡେଜ୍ଙ୍କ ଏକ ହେଡର୍ ସ୍ୱିଡେନ୍ ଗୋଲପୋଷ୍ଟ ଉପର ଦେଇ ଚାଲି ଯାଇଥିଲା। ୭୪ ମିନିଟ୍ରେ ମେକ୍ସିକୋର ମୋରେନୋ ଆତ୍ମଘାତୀ ଗୋଲ୍ କରିବାରୁ ସ୍ୱିଡେନ୍ ୩-୦ରେ ଅଗ୍ରଣୀ ହୋଇଥିଲା। ଶେଷ ବେଳକୁ ଗୋଲ୍ ସୁଝାଇବାକୁ ମେକ୍ସିକୋ ପ୍ରୟାସ କରିଥିଲେ ମଧ୍ୟ ସଫଳତା ପାଇନଥିଲା।